ହାଇଦ୍ରାବାଦ: ପୂର୍ବ ସମୟରେ ନିର୍ବାଚନ ପ୍ରଚାରର ଶୈଳୀ ଭିନ୍ନ ଥିଲା । ଗାଁକୁ ଗାଁ ଘରକୁ ଘର ବୁଲି ରାଜନେତାମାନେ ନିଜର ପରିଚୟ ଦେବା ସାଙ୍ଗକୁ ଦଳୀୟ ଚିହ୍ନ ବାବଦରେ ଭୋଟରଙ୍କୁ ଅବଗତ କରାଉଥିଲେ । ଏହାସହ 'ଏହିଥର ମୋତେ ଜିତାଇଦିଅନ୍ତୁ, ମୁଁ ଆପଣଙ୍କ ଗାଁକୁ ରାଜପଥ ସହ ଯୋଡିଦେବି, ସ୍କୁଲ, କଲେଜ ନିର୍ମାଣ କରି, ସୁନାର ରାଇଜ ବନାଇଦେବି ।' ତା' ସାଙ୍ଗକୁ ଅମକ ଦେବି, ସମକ ଦେବି ଏମିତି ପ୍ରତିଶ୍ରୁତି ଦେଉଥିଲେ । ହେଲେ ଏବେ ସମୟ ପରିବର୍ତ୍ତନ ହେବା ପରି ଲାଗୁଛି । ଲୋକଙ୍କୁ ଆଉ କୌଣସି ପ୍ରତିଶ୍ରୁତି ଦେବାକୁ ପଡୁନି ରାଜନେତାମାନଙ୍କୁ । ବାସ୍ ଯୋଜନା ଟିଏ ସବୁ କାମ କରିଦେଉଛି ।
ଆଜ୍ଞା ହଁ ପୂର୍ବପରି ଆଉ ରାଜନେତାମାନଙ୍କୁ ଲୋକଙ୍କ ପାଖକୁ ଯିବାର ଦେଖିବାକୁ ମିଳୁନି, ବାସ୍ ଗୋଟିଏ ବଟମ୍ ଦବାଇ ଇଣ୍ଟରନେଟ୍ ମାଧ୍ୟମରେ ସିଧା ଯାଇ ପହଁଞ୍ଚୁଛନ୍ତି ଭୋଟରଙ୍କ ପାଖରେ । ଦେଶରେ ଦଳସଂଖ୍ୟାର ୩ ଗୁଣା, ଯୋଜନା ସଂଖ୍ୟା ହୋଇଗଲାଣି । ମାଳ ମାଳ ଯୋଜନା ପ୍ରଣୟନ କରାଯାଇ ମାଗଣାରେ ପ୍ରେସର କୁକର୍, ଛତା, ଜୋତା, ଗ୍ୟାସ, ସ୍ମାର୍ଟ ଫୋନ ସାଙ୍ଗକୁ ଆକାଉଣ୍ଟକୁ ସିଧା କ୍ୟାସ୍ ମଧ୍ୟ ପଠାଯାଉଛି । ଫଳରେ ଭୋଟରଙ୍କ ଅଧିକ ଆଦୃତି ଯୋଜନା ପ୍ରତି ବଢୁଥିବା ଆକଳନ କହୁଛି । ତେବେ ଭୋଟର ରାଜନେତାଙ୍କ ନାମ ମନେ ରଖିବା ପରିବର୍ତ୍ତେ ଯୋଜନାର ନାମ ମନେରଖି ଭୋଟ ଦେଉଥିବା କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।
ଉତ୍ତରପ୍ରଦେଶରରେ ସ୍ମାର୍ଟ ଫୋନ ଯୋଜନା:-
ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତ ଅଗଷ୍ଟ ୧୫ ତାରିଖରେ ସ୍ମାର୍ଟ ଫୋନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ଏକ କୋଟି ଯୁବବର୍ଗଙ୍କୁ ମାଗଣରେ ସ୍ମାର୍ଟ ଫୋନ ବଣ୍ଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାଗଣା ରାସନ, ମାଗଣା ଟିକା ପରେ ନିର୍ବାଚନ ପୂର୍ବରୁ ଆଉ ଏକ ମାଗଣା ଯୋଜନା ଯୋଡି ହୋଇ ଯାଇଛି । ଏପରି ନୁହେଁ କି ଯେ, କେବଳ ଉତ୍ତରପ୍ରଦେଶରେ ହିଁ ମାଗଣା ଯୋଜନା ପ୍ରଥମ କରି ଆସିଛି ବରଂ ଦେଖିବାକୁ ଗଲେ ପ୍ରତି ରାଜ୍ୟରେ ମାଳ ମାଳ ମାଗଣା ଯୋଜନା ପ୍ରଣୟନ କରାଯାଇଛି । ଅଖିଳେଶ ଯାଦବ ମାଗଣାରେ ସାଇକେଲ ଏବଂ ଲାପଟପ୍ ବାଣ୍ଟି ୫ ବର୍ଷ ଗାଦି ଅକ୍ତିଆର କରିଥିଲେ ।
ସେହିପରି ଉତ୍ତରାଖଣ୍ଡରେ 'ରାଷ୍ଟ୍ରୀୟ ପୋଷଣ ମିଶନ' ଯୋଜନାରେ ପ୍ରେସର କୁକର ବଣ୍ଟା ଯାଉଛି, ଝାଡଖଣ୍ଡରେ ମାଗଣାରେ ଲୁଙ୍ଗି-ଶାଢୀ, ଛତିଶଗଡରେ ୨୦୦୫-୨୦୧୮ ପର୍ଯ୍ୟନ୍ତ 'ଚରଣ ପାଦୁକା' ଯୋଜନା ମାଧ୍ୟମରେ ଆଦିବାସୀ ଲୋକଙ୍କୁ ଜୋତା ବଣ୍ଟନ କରାଯାଉଥିଲା । ଭୁପେଶ ବଘେଲଙ୍କ ସରକାର 3 ବର୍ଷ ପୂର୍ବେ ଜୋତା ଦେବା ବନ୍ଦ କରି ଏହା ବଦଳରେ ନଗଦ ଟଙ୍କା ଦେବା ଆରମ୍ଭ କରିଦେଇଛନ୍ତି ।
ମାଗଣା ଚାଉଳ ଏବଂ ଆମ୍ମା କ୍ୟାଣ୍ଟିନ ବତାଇଲା ଭୋଟରଙ୍କୁ ରାସ୍ତା:-
ଦକ୍ଷିଣ ଭାରତ ରାଜ୍ୟ ଗୁଡିକରେ ମାଗଣା ଯୋଜନା ବେଶ୍ ଲୋକପ୍ରିୟ ଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସିଏନ ଅନ୍ନାଦୁରେ 1967 ମସିହାରେ ତାମିଲନାଡୁରେ ମାଗଣା ଚାଉଳ ଯୋଜନା ଆରମ୍ଭ କରିଥିଲେ । ଏହାର ଅପାର ସଫଳତା ପରେ ପ୍ରତ୍ୟେକ ଦଳର ଘୋଷଣାରେ ଏକ ମାଗଣା ଯୋଜନା ଯୋଡି ହୋଇଗଲା । 2006 ବିଧାନସଭା ନିର୍ବାଚନରେ ଡିଏମକେ ନେତାମାନେ ରଙ୍ଗୀନ ଟିଭି ଏବଂ ମାଗଣା ଚାଉଳ ବାଣ୍ଟିଲେ । ଗତ ବିଧାନସଭା ନିର୍ବାଚନରେ ମିକ୍ସର୍ ଗ୍ରାଇଣ୍ଡର, କୁକର, ଷ୍ଟୋଭ ସହିତ ଅନେକ ଦଳ 1000 ଟଙ୍କା ଦେବାକୁ ଘୋଷଣା କରିଥିଲେ । ମାଗଣା ଯୋଜନା ମାଧ୍ୟମରେ ମାର୍ଚ୍ଚ 31, 2020 ପର୍ଯ୍ୟନ୍ତ ତାମିଲନାଡୁରେ 4 ଲକ୍ଷ 87 ହଜାର ଖର୍ଚ୍ଚ ହୋଇଛି ।
ଛତିଶଗଡର ରମଣ ସିଂହଙ୍କ ସରକାର ଆମ୍ମା କ୍ୟାଣ୍ଟିନ ଯୋଜନା ମାଧ୍ୟମରେ 2005 ପରେ ମଶୁର ଡାଲି ଏବଂ ଚାଉଳ ସହିତ ଲୁଣ ମଧ୍ୟ ବଣ୍ଟନ କଲେ । ଏହି ଆଧାରରେ ରାଜସ୍ଥାନର 'ଇନ୍ଦିରା ଥାଳି', ଦିଲ୍ଲୀରେ 'ଆମ୍ ଆଦମୀ ଥାଳି' ଏବଂ 'ଅଟଳ ଜନ ଆହାର ଯୋଜନା' ମଧ୍ୟ ଆରମ୍ଭ ହୋଇ ଯାଇଥିଲା ।
ମାଗଣା ଯୋଜନା କ୍ଷେତ୍ରରେ ଅରବିନ୍ଦ କେଜ୍ରିୱାଲ ଆଗରେ:-
ମାଗଣା ବିଦ୍ୟୁତ, ମାଗଣା ଜଳର ସ୍ଲୋଗାନକୁ ଦିଲ୍ଲୀବାସୀଙ୍କୁ ବେଶ୍ ପସନ୍ଦ ଆସିଛି । ଯାହା ଜାତୀୟ ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ବାରମ୍ବାର ଗାଦି ଅକ୍ତିଆର ପ୍ରମାଣିତ କରୁଛି । 2019-20ରେ ମାଗଣା ଜଳ ଯୋଜନାରେ ଦିଲ୍ଲୀ ସରକାର 468 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଦିଲ୍ଲୀରେ 20 ହଜାର ଲିଟର ପର୍ଯ୍ୟନ୍ତ ପାଣି ବ୍ୟବହାର କଲେ ବିଲ୍ ଆସେନାହିଁ । ନିର୍ବାଚନର କିଛିମାସ ପୂର୍ବରୁ ଦିଲ୍ଲୀ ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏଥିପାଇଁ 108 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ରାଜ୍ୟ ସରକାର ଦାବି କରିଛନ୍ତି । ଦିଲ୍ଲୀ ସରକାର ଦେଇଥିବା ତାଙ୍କ ରିପୋର୍ଟ କାର୍ଡ ଅନୁଯାୟୀ, ସେ 2018-19 ରେ ସବସିଡି ପାଇଁ 1700 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରୁ ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ଏକ ନୂଆ ସୂତ୍ର ପାଇଲେ । ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର 100 ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କଲେ । ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି ଯେ, କେଉଁ ଦଳ କେତେ ମାଗଣା ଯୋଜନା ପ୍ରଣୟନ କରିପାରୁଛି ।
କୋରୋନା ଏହି ପ୍ରତିଯୋଗିତାକୁ ବଢାଇ ଦେଇଛି:-
ଲକଡାଉନ ସମୟରେ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଆରମ୍ଭ କରିଥିଲେ । ଦ୍ୱିତୀୟ ଲହର ପରେ ଦୀପାବଳି ପର୍ଯ୍ୟନ୍ତ 80 କୋଟି ଲୋକଙ୍କୁ ମାଗଣା ରାସନ ବଣ୍ଟନ କରିବାକୁ କେନ୍ଦ୍ର ଘୋଷଣା କରିଛି । ଏହି ଯୋଜନା ମାଧ୍ୟମରେ ବିଜେପି ଲୋକଙ୍କ ରୋଷେଇ ଘରେ ପହଞ୍ଚିବାକୁ ଚାହୁଁଛି ବୋଲି ଚର୍ଚ୍ଚା ହେଉଛି । ଏହା ପରେ ତାମିଲନାଡୁ ସରକାର ରାସନ କାର୍ଡଧାରୀଙ୍କୁ 15 କିଲୋଗ୍ରାମ ଚାଉଳ ସହିତ 4000 ଟଙ୍କା ନଗଦ ଦେବାକୁ ଘୋଷଣା କରିଛନ୍ତି ।
ସରକାର କେଉଁଠୁ କରୁଛନ୍ତି ଆୟ:-
କୋଟି କୋଟି ଟଙ୍କାର ଏସବୁ ଯୋଜନା ପରେ ପ୍ରଶ୍ନ ଉଠିଛି, ସରକାର ଏତେ ଅର୍ଥ ଆଣୁଛନ୍ତି କେଉଁଠୁ ? କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ରାଜକୋଷକୁ ବିଭିନ୍ନ ପ୍ରକାରର ଟ୍ୟାକ୍ସରେ ଭରନ୍ତି । ଆୟକର ହେଉଛି ଏକ ପ୍ରତ୍ୟେକ୍ଷ ଟିକସ, ଯାହା ଟିକସଦାତାଙ୍କ ଦ୍ବାରା ହିଁ ହାସଲ କରାଯାଇଥାଏ, କିନ୍ତୁ ଅନ୍ୟାନ୍ୟ ଟିକସ ମଧ୍ୟ ଜନସାଧାରଣଙ୍କ ପକେଟରୁ ସଂଗ୍ରହ କରାଯାଇଥାଏ । କେନ୍ଦ୍ର ସରକାରଙ୍କ ଆୟ କର୍ପୋରେସନ୍ ଟ୍ୟାକ୍ସ, ଇନକମ ଟ୍ୟାକ୍ସ, କଷ୍ଟମ ଡ୍ୟୁଟି, ସେଣ୍ଟ୍ରାଲ୍ ଏକ୍ସାଇଜ୍ ଡ୍ୟୁଟି, ସେଣ୍ଟ୍ରାଲ୍ GST, ଇଣ୍ଟିଗ୍ରେଟେଡ୍ GST, ସୁଧ ରସିଦ, ବିଦେଶୀ ଅନୁଦାନ, ବିନିଯୋଗରୁ ଆୟ ଆସିଥାଏ ।
ଦ୍ରବ୍ୟ ଏବଂ ସେବା କର (33%) କେନ୍ଦ୍ର ସରକାରଙ୍କ ମୋଟ ଆୟରେ ଅଧିକ ଅଂଶ ଅଟେ । ସରକାର କର୍ପୋରେସନ୍ ଟ୍ୟାକ୍ସରୁ 27% ଏବଂ ଆୟକରରୁ 23% ପାଉଛନ୍ତି । ରାଜ୍ୟ ସରକାର GST, ସାର୍ବଜନୀନ ଶିଳ୍ପ, ଜଳସେଚନ, ଜଙ୍ଗଲ, ମଦ, ବିଦ୍ୟୁତ୍ ଏବଂ ସଡକ ଟ୍ୟାକ୍ସରୁ ମଧ୍ୟ ରୋଜଗାର କରନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ମନୋରଞ୍ଜନ କର, ପଞ୍ଜୀକରଣ ଫି, ଷ୍ଟାମ୍ପ ଡ୍ୟୁଟି ଏବଂ ବିକ୍ରୟ କରରୁ ମଧ୍ୟ ରୋଜଗାର କରନ୍ତି ।
ଅର୍ଥାତ୍ ଜନସାଧାରଣଙ୍କ ଠାରୁ ନିଆଯାଇଥିବା ଟଙ୍କାକୁ ଏକ ମାଗଣା ଯୋଜନାରେ ବଣ୍ଟନ କରାଯାଉଛି । ବିଶେଷଜ୍ଞମାନଙ୍କ ମତ ଅନୁସାରେ ଜନସାଧାରଣଙ୍କ ଠାରୁ ସଂଗୃହିତ ଟିକସ କେବଳ ଜନ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବା ଉଚିତ । ତେବେ ଏକ୍ଷେତ୍ରରେ ସରକାରଙ୍କ ଦାୟିତ୍ବ ଅଧିକ । ଯୋଜନା ପ୍ରଣୟନ ସମୟରେ ସରକାରଙ୍କୁ ସର୍ବାଧିକ ନାଗରିକଙ୍କ ଲାଭ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ । ମାଗଣା ଯୋଜନାର ଅର୍ଥ ଏହା ନୁହେଁ ଯେ, ଦିନକୁ ଦୁଇଥର ଖାଦ୍ୟ ସାଙ୍ଗକୁ ସୁରକ୍ଷା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଯୋଗାଇବା । ଏପରି ହେଲେ ଜନସାଧାରଣଙ୍କ ଟିକସ୍ ଅପଚୟ କରାଯାଉଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।
ସର୍ବ ଶେଷରେ ଜନସାଧାରଣ ସରକାରଙ୍କୁ ସୁହାଇବା ଭଳି ମନବୃତ୍ତି ପୋଷଣଠୁ ଦୂରେଇବାର ଯେତିକି ଆବଶ୍ୟକତା ପଡିଛି, ତା' ଠୁ ଅଧିକ ଦେଶବାସୀଙ୍କୁ ଆତ୍ମନିର୍ଭରଶୀଳ କରାଇ ଦେଶକୁ ଉନ୍ନତି ପଥରେ ଆଗେଇ ନେବା ପାଇଁ ଦାୟିତ୍ବବାନ ହେବାର ଆବଶ୍ୟକତା ପଡିଛି ସରକାରଙ୍କୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ