ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବିଶ୍ବର ନଜରରେ ରହିଥିବା ଋଷ-ୟୁକ୍ରେନ ଯୁଦ୍ଧ ଆଶଙ୍କା ଆଜି ବାସ୍ତବରେ ପରିଣତ ହୋଇଛି । ଆଜି ଋଷ ସେନା ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଗତକାଲି ଋଷ ରାଷ୍ଟ୍ରପତି ୟୁକ୍ରେନକୁ ଦେଇଥିବା ଆତ୍ମସମର୍ପଣ ଚେତାବନୀ ଯୁଦ୍ଧରେ ବଦଳିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଆଧାରରେ ୟୁକ୍ରେନର ରାଜଧାନୀ କିଭ ସମେତ ବିଭିନ୍ନ ଅଞ୍ଚଳରେ ଋଷ ବିମାନ ଆକ୍ରମଣ ଜାରି ରହିଛି । କିଛି ସ୍ଥାନରେ ଋଷ ସ୍ଥଳସେନା ମଧ୍ୟ ପ୍ରବେଶ କରିସାରିଲାଣି । ୟୁକ୍ରେନର ସୈନ୍ୟ ଠିକଣାକୁ ଧ୍ବଂସ କରିବା ପାଇଁ ଋଷର ଅଭିଯାନ ଜାରି ରହିଥିବା ବେଳେ ଭୀଷଣ କ୍ଷତିଗ୍ରସ୍ତ ୟୁକ୍ରେନ ଆତ୍ମରକ୍ଷା ପାଇଁ ଆପ୍ରାଣ ଚେଷ୍ଟା କରୁଛି ।
ଅନ୍ୟପଟେ ପୂର୍ବରୁୁ ୟୁକ୍ରେନକୁ ସମସ୍ତ ସହାୟତା ଯୋଗାଇବା ପାଇଁ ପ୍ରତୁଶ୍ରୁତି ଦେଇଥିବା ଆମେରିକା ସମେତ ଅନ୍ୟ କିଛି ପ୍ରମୁଖ ରାଷ୍ଟ୍ରଙ୍କ ଭୂମିକାକୁ ନେଇ ସମଗ୍ର ବିଶ୍ବର ନଜର ରହିଛି । ଏହି ସଙ୍କଟ ମଧ୍ୟରେ ୟୁକ୍ରେନ ଭାରତ ସମେତ ଅନ୍ୟ କିଛି ପ୍ରମୁଖ ରାଷ୍ଟ୍ରକୁ ଆକ୍ରମଣ ବନ୍ଦ କରି ଶାନ୍ତି ଆଲୋଚନା ଦିଗରେ ଋଷକୁ ପ୍ରସ୍ତାବ ଦେବା ପାଇଁ ନିବେଦନ କରିଛି । ତେବେ ସୋଭିଏତ ଋଷ ୟୁନିୟନରୁ ପୃଥକ ହୋଇ ଏକ ସ୍ବତନ୍ତ୍ର ରାଷ୍ଟ୍ର ମାନ୍ୟତା ପାଇଥିବା ପୂର୍ବ ୟୁରୋପୀୟ ଦେଶ ୟୁକ୍ରେନ ସହ କଣ ରହିଛି ଋଷର ପାରମ୍ପାରିକ ତଥା ଦୀର୍ଘକାଳୀନ ବିବାଦ । କଣ ରହିଛି ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନାର କାରଣ । ନଜର ପକାନ୍ତୁ
୧. USSR ରୁ ପୃଥକ ହୋଇ ସ୍ବତନ୍ତ୍ର ରାଷ୍ଟ୍ର ହୋଇଥିଲା ୟୁକ୍ରେନ
ପୂର୍ବତନ ସୋଭିଏତ୍ ରିପବ୍ଲିକ୍ ରୁଷ (USSR) ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘବର୍ଷ ଧରି ରହିଛି ତିକ୍ତତା । ତେବେ ଦୀର୍ଘବର୍ଷର ଏହି ତିକ୍ତତା ଗତବର୍ଷ (2021) କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିବା ସହ ନିୟନ୍ତ୍ରଣ ବାହାରକୁ ଯିବା ଆରମ୍ଭ କରିଥିଲା । ତେବେ ଏହି ତିକ୍ତତାକୁ ଅଧିକ ତିକ୍ତ କରିଥିଲା ଆମେରିକାର ପ୍ରବେଶ । ଋଷର ପୋଡଶୀ ତଥା ପ୍ରତିଦ୍ବନ୍ଦୀ ୟୁକ୍ରେନକୁ ଋଷ ବିରୋଧୀ ନାଟୋ (NATO)ରେ ସାମିଲ ହେବା ନେଇ ରଣନୀତି ଆରମ୍ଭ କରେ ଆମେରିକା । ୟୁକ୍ରେନର NATO ସାମିଲ ହେବା ଆଗ୍ରହ ଓ ନିଷ୍ପତ୍ତି ହିଁ ଋଷକୁ ଅଧିକ ପ୍ରତିକ୍ରିୟାଶୀଳ କରିବା ସହ ଲାଗି ରହିଥିବା ତିକ୍ତତା ଯୁଦ୍ଧ ଆଡକୁ ମୁହାଁଇଥିଲା ।
୨. ଦୁଇ ଦେଶ ବଢାଇଥିଲେ ସାମରିକ ପ୍ରସ୍ତୁତି:-
ତିକ୍ତକ୍ତା ବଢିବା ସହ ଦୁଇ ଦେଶ ନିଜର ସାମରିକ ପ୍ରସ୍ତୁତି ଆରମ୍ଭ କଲେ । ଋଷ ଧିରେ ଧିରେ ନିଜ ସୈନ୍ୟବାହିନୀ ୟୁକ୍ରେନ ସୀମାବର୍ତ୍ତୀ ଅଞ୍ଚଳରେ ମୂତୟନ କରିଥିଲା । ତେବେ ଗତ କିଛି ଦିନ ତଳେ ଋଷ ମଧ୍ୟ ନିଜ ସେନା ଦ୍ବାରା ଏକ ସାମରିକ ଅଭ୍ୟାସ କରିଥିଲା । ଯାହା ତାର ଆକ୍ରମଣ ରଣନୀତିକୁ ସ୍ପଷ୍ଟ କରିବା ଦିହରେ ସ୍ପଷ୍ଟ ସୂଚନା ଥିଲା ବୋଲି ପଶ୍ଚିମ ରାଷ୍ଟ୍ରର ରକ୍ଷା ବିଶେଷଜ୍ଞମାନେ ସତର୍କ କରାଇଥିଲେ ।
୩. ପୂର୍ବ-ୟୁରୋପରେ NATOର ଆଧିପତ୍ୟ ବୃଦ୍ଧି
କ୍ରମାଗତ ଭାବେ କିଛି ଦଶନ୍ଧି ଧରିି NATO ଋଷ ବିରୋଧୀ ମେଳିକୁ ଏକାଠି କରିବାରେ ଲାଗିଥିବା ବେଳେ ୟୁକ୍ରେନର ଆଭିମୁଖ୍ୟ ପରିବର୍ତ୍ତନ ପରେ ୟୁକ୍ରେନ ସମେତ ପୂର୍ବ-ୟୁରୋପୀୟ କ୍ଷେତ୍ରରେ NATO ସେନାର ପ୍ରଭାବ ବଢିବାରେ ଲାଗିଲା । NATO ଏହି ଅଞ୍ଚଳରେ କିଛି ସାମରିକ ଅଭ୍ୟାସ ମଧ୍ୟ କରିଥିଲା । ଏହା ଋଷ ପାଇଁ ସର୍ବାଧିକ ଆହ୍ବାନପୂର୍ଣ୍ଣ ସ୍ଥିତି ହୋଇଥିବା ବେଳେ ଏହି ଅଞ୍ଚଳରେ NATO ର ସାମରିକ ଅଭ୍ୟାସ ନିଷେଧ କରିବାକୁ ଦାବି କରିଥିଲା ଋଷ ।
4. ତିକ୍ତତା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ହୋଇଛି ଆକ୍ରମଣ :-
ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଏହା ପ୍ରଥମ ଥର ନୁହେଁ । 2014ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଯେତେବେଳେ ରାଷ୍ଟ୍ରପତି ପୁଟିନଙ୍କ ସମର୍ଥିତ ବିଦ୍ରୋହୀମାନେ ପୂର୍ବ-ୟୁକ୍ରେନର ବହୁ ଅଂଶ ଦଖଲ କରିଥିଲେ । ଯାହା ବର୍ତ୍ତମାନ ମଧ୍ୟ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ରହିଆସିଛି । ସେହିପରି ସେତେବେଳେ ୟୁକ୍ରେନର ପଡୋଶୀ କ୍ରିମିୟାକୁ ଅକ୍ତିଆର କରିଥିଲା ଋଷ ।
5. ସାମାଜିକ ଓ ସାସ୍କୃତିକ ସମ୍ପର୍କରେ ଅଧୋପତନ:-
ପୂର୍ବ ସୋଭିଏତ୍ ରିପବ୍ଲିକର ଏକ ଅଂଶ ହୋଇଥିବା କାରଣରୁ ୟୁକ୍ରେନର ଋଷ ସହିତ ଗଭୀର ସାମାଜିକ ଏବଂ ସାଂସ୍କୃତିକ ସମ୍ପର୍କ ମଧ୍ୟ ରହିଛି । ଦୁଇ ଦେଶର ଅଧିବାସୀଙ୍କ ମଧ୍ୟରେ ଭାଷା ଓ ଚଳନୀଗତ ସାମଞ୍ଜସ୍ୟ ମଧ୍ୟ ବେସ ଦୃଢ । ୟୁକ୍ରେନରେ ମଧ୍ୟ ବହୁଳ ଭାବେ ଋଷ ଭାଷା ପ୍ରଚଳିତ ହୋଇଥାଏ । ତେବେ ୨୦୧୪ ଆକ୍ରମଣ ପରେ ଏହି ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ହ୍ରାସ ଘଟିଥିବା ବେଳେ ଦୁଇ ଦେଶ ମଧ୍ୟରେ ତିକ୍ତତା ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା ।
୭. 2014ରେ ପ୍ରାଣ ହରାଇଥିଲେ 14,000 ନାଗରିକ:-
୨୦୧୪ ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହି ଯୁଦ୍ଧରେ 14,000 ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା । ଯାହା ଦୁଇ ଦେଶ ଉପରେ ପ୍ରଭାବ ପକାଇବା ସହ ୟୁକ୍ରେନୀୟଙ୍କୁ ଋଷ ବିରୋଧୀ ଭାବେ ସୃଷ୍ଟି କରିଥିଲା ।
7. ୟୁକ୍ରେନର ଗୃହଯୁଦ୍ଧ ଓ କଣ ଥିଲା ମିନସ୍କ ଶାନ୍ତି ଚୁକ୍ତି
ଋଷର ଡୋନବାସ ଅଞ୍ଚଳ ସମେତ ପୂର୍ବ ୟୁକ୍ରେନରେ ସଶସ୍ତ୍ର ବିଦ୍ରୋହକୁ ରୋକିବା ପାଇଁ ରୁଷିଆ ଏବଂ ୟୁକ୍ରେନ ମିନସ୍କ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ । କିନ୍ତୁ ଏହି ସଶସ୍ତ୍ର ବିଦ୍ରୋହ ଏବେ ମଧ୍ୟ ଜାରି ରହିଛି । ତେବେ ପୂର୍ବ ଚୁକ୍ତିନାମା ଅନୁସାରେ ଶାନ୍ତି ପ୍ରତିଷ୍ଠା ଓ ଉକ୍ତ ଅଞ୍ଚଳରେ ସ୍ଥିରତା ବଜାର ରଖିବା ପାଇଁ ଋଷ ସର୍ବଦା ଚେଷ୍ଟା କରି ଆସିଛି, ଶାନ୍ତି ବାହିନୀ ମଧ୍ୟ ପ୍ରରଣ କରିଛି ବୋଲି ଦାବି କରିଆସିଛି । ଅନ୍ୟପଟେ ପଶ୍ଚିମ ରାଷ୍ଟ୍ର ଏପରି ଦାବିକୁ ଖଣ୍ଡନ କରିବା ସହ ଉକ୍ତ ଅଞ୍ଚଳରେ ଋଷ ହିଁ ବିଦ୍ରୋହୀଙ୍କୁ ବଳ ଦେଇଛି ବୋଲି ଅଭିଯୋଗ ହୋଇଛି । ମସ୍କୋ ବିଦ୍ରୋହୀଙ୍କ ଜରିଆରେ ୟୁକ୍ରେନର ସାର୍ବଭୌମ ଅଞ୍ଚଳ ଦଖଲ କରିବାର ପ୍ରୟାସ କରୁଛି ବୋଲି କୁହନ୍ତି ପଶ୍ଚିମ ରାଷ୍ଟ୍ର ।
୮. ୟୁରୋପିୟାନ ୟୁନିୟନ(EU)ର ଭୂମିକା
ଋଷ ଏବଂ ୟୁକ୍ରେନ ମଧ୍ୟରେ ନୂତନ ତିକ୍ତତା, ଯାହା ୟୁରୋପୀୟ ୟୁନିୟନର ସୀମା ମଧ୍ୟ ରଖିଛି । ସେଥିପାଇଁ EU, ଯେଉଁମାନେ ନାଟୋର ସହଯୋଗୀ ରାଷ୍ଟ୍ର ସେମାନଙ୍କ ମଧ୍ୟରୁ ଅଧିକାଂଶ ଋଷ ସଂସ୍ଥା ବିରୁଦ୍ଧରେ ପ୍ରତିବନ୍ଧକ ଘୋଷଣା କରିଥିଲେ ଏବଂ ଆମେରିକା ସହ ସୁସମ୍ପର୍କ ବଢାଇଥିଲେ ।
୯. ଶାନ୍ତି ପ୍ରତିଷ୍ଠା ପାଇଁ ପଶ୍ଚିମ ଦେଶର ମଧ୍ୟସ୍ଥତା:-
ଦୁଇ ଦେଶ ମଧ୍ୟରେ ଗତ କିଛି ମାସ ଧରି ଲାଗିରହିଥିବା ବିବାଦ ପାଇଁ ଏକାଧିକ ପଶ୍ଚିମରାଷ୍ଟ୍ର ମଧ୍ୟ ଶାନ୍ତି ପ୍ରତିଷ୍ଠା ଦିଗରେ ଋଷ ସହ ଆଲୋଚନା କରିସାରିଛନ୍ତି । ଠିକ୍ ସପ୍ତାହ ପୂର୍ବରୁ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଉତ୍ତେଜନା ହ୍ରାସ କରିବାକୁ ଋଷ ସହ କଥାବାର୍ତ୍ତା କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ମସ୍କୋ ଆସି ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ମଧ୍ୟ କରିଥିଲେ ।
10. ଭାରତର ନିରପେକ୍ଷ ଆଭିମୁଖ୍ୟ:-
ଋଷ ସହ ଦୀର୍ଘକାଳୀନ ସୁସମ୍ପର୍କ ଥିବା ଭାରତ ମଧ୍ୟ ଉଭୟ ଦେଶ ମଧ୍ୟରେ ଦାରି ରହିଥିବା ସଂଘର୍ଷ ପୂର୍ଣ୍ଣ ସ୍ଥିତି ପାଇଁ ଚିନ୍ତାବ୍ୟକ୍ତ କରିଆସିଛି । କୌଣସି ପକ୍ଷଭୂକ୍ତ ନହୋଇ ଭାରସାମ୍ୟ ରକ୍ଷା କରି ଆଭିମୁଖ୍ୟ ରଖିଥିଲା ଭାରତ । ଦୁଇ ଦେଶ ଉତ୍ତେଜନାମୂଳକ ସ୍ଥିତିରୁ ଦୂରେଇବା ସହ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ ଦିଗରେ ବଢିବାକୁ ପ୍ରସ୍ତାବ ଦେଇଥିଲା ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ