ନୂଆଦିଲ୍ଲୀ: ଭାରତ ପ୍ରସ୍ତୁତ କୋଭିଡ ଟିକା କୋଭ୍ୟାକ୍ସିନକୁ ବ୍ୟବହାରିକ ଅନୁମତି ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏନେଇ WHOର ଏକ ବୈଶୟିକ ପ୍ୟାନେଲ କମିଟି ସ୍ପଷ୍ଟ କରିଛି । ତେବେ ଏହାକୁ ବ୍ୟବହାରିକ ଅନୁମତି ପରେ ବିଶ୍ବର କୌଣସି ଦେଶ ଏବେ ଏହି ଟିକାକୁ ଭାରତ ଠାରୁ କିଣିବା ସହ ବ୍ୟବହାର କରିପାରିବେ । ହାଇଦ୍ରାବାଦର ଫାର୍ମା କମ୍ପାନୀ ’ଭାରତ ବାୟୋଟେକ’ ଏହି କୋଭିଡ ଟିକାକୁ ପ୍ରସ୍ତୁତ କରିଛି । ପୂର୍ବରୁ ଭାରତ ସରକାର ଏହାର ବ୍ୟବହାରକୁ ବୈଧ କରିବା ସହ ଟୀକାକରଣ ଡ୍ରାଇଭରେ ମଧ୍ୟ ବହୁଳ ଭାବେ ବ୍ୟବହାର କରିସାରିଛନ୍ତି ।
କୋଭ୍ୟାକ୍ସିନ ମନୁଷ୍ୟ ଶରୀରରେ 77.8 ପ୍ରତିଶତ ପଳପ୍ରଦ ବୋଲି ଗବେଷଣାରୁ ଜଣାପଡିଛି । ଗବେଷଣାରୁ ଏପରି ସକରାତ୍ମକ ଫଳାଫଳ ମିଳିବା ପରେ ଏହାକୁ ଜରୁରୀକାଳୀନ ବ୍ୟବହାର ତାଲିକା (TAG-EUL) ପାଇଁ ବୈଷୟିକ ପରାମର୍ଶଦାତା ପ୍ୟାନେଲ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସୁପାରିଶ କରିଥିଲେ । ତେବେ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ବସ୍ତରୀୟ ସ୍ବୀକୃତି ପ୍ରଦାନ କରିଛି ।
କୋଭିଡ ଭାଇରସ ବିରୋଧରେ କୋଭାକ୍ସିନ୍ 77.8 ପ୍ରତିଶତ ଏବଂ ନୂତନ ପ୍ରଜାତିରେ ଡେଲଟା ଭାଇରସ ବିରୋଧରେ ବିରୁଦ୍ଧରେ ମଧ୍ୟ 65.2 ପ୍ରତିଶତ ଫଳପ୍ରଦ ବୋଲି ଗବେଷଣାରୁ ଜଣାପଡିଛି । ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ କହିଛି ଯେ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଏହି ଟିକାର ଗୁଣବତ୍ତାର ଚୂଡାନ୍ତ ବିଶ୍ଳେଷଣ ସଫଳତାର ସହ ଶେଷ ହୋଇଛି । ତେବେ ପୂର୍ବରୁ ଭାରତରେ ଜାରି ରହିଥିବା ଟୀକାକରଣରେ ଏହି ଟିକାକୁ ବହୁଳ ଭାବେ ବ୍ୟବହାର କରିସାରିଛନ୍ତି ଭାରତ ସରକାର । ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ୍ ଏବଂ ଆଷ୍ଟ୍ରା ଜେନେକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍ଡ ଟିକା ସଫଳତାର ସହ ଟୀକାକରଣରେ ବ୍ୟବହୃତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ତାର ଟୀକାକରଣ ଡ୍ରାଇଭରେ 107 କୋଟି ନାଗରିକଙ୍କୁ ସାମିଲ କରି ଏକ ବଡ ସଫଳତା ମଧ୍ୟ ହାସଲ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ