କୋଲକାତା: ଥମୁନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟେନସନ । ଟଳମଳ ହେଉଛି ତୃଣମୂଳ କଂଗ୍ରେସ । ଦଳ ଉପରୁ ହଟୁନି ସଙ୍କଟର କଳାବାଦଲ । ଗୋଟିଏ ପରେ ଗୋଟିଏ ବିଧାୟକ ଓ ମନ୍ତ୍ରୀ ଛାଡୁଛନ୍ତି ମମତାଙ୍କ ହାତ । ଏହି କ୍ରମରେ ରାଜ୍ୟ ସରକାରରେ ବନ ମନ୍ତ୍ରୀ ଥିବା ରାଜୀବ ବାନାର୍ଜୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ।
ମନ୍ତ୍ରୀ ଦେଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି ପଶ୍ଚିମବଙ୍ଗ ଜନସାଧାରଣଙ୍କ ସେବା କରିବା ବହୁତ ସମ୍ମାନ ଓ ସୌଭାଗ୍ୟର ବିଷୟ । ଏହି ସୁଯୋଗ ପାଇଥିବାରୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି । ତେବେ ରାଜ୍ୟପାଳ ଜଗଦୀପ ଧନଖର ରାଜୀବ ବାନାର୍ଜୀଙ୍କ ଇସ୍ତଫାକୁ ସ୍ବୀକାର କରିନେଇଛନ୍ତି ।
ସେପଟେ ହୁଗଳି ଜିଲ୍ଲାର ଫୁରଫୁରା ଦରଘା ପୀରଜାଦା ଆବାସ ସିଦ୍ଦିକୀ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁବାର ଏକ ନୂଆ ରାଜନୈତିକ ସଙ୍ଗଠନ ଗଠନ କରିବା ନେଇ ଘୋଷଣା କରିଥିଲେ । ତେବେ ଏହି ଦଳ 284 ସିଟରେ ନିର୍ବାଚନ ଲଢିପାରେ ବୋଲି ଚର୍ଚ୍ଚା ହେଉଛି ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କେଇଦିନ ବାକି ରହିଛି । ଗୋଟିଏ ପରେ ଗୋଟିଏ ନେତା ଛାଡୁଛନ୍ତି ଦଳ । ଆଉ ଦୋହଲିବାକୁ ଲାଗିଛି ମମତାଙ୍କ ଗଡ । ଏହାପୂର୍ବରୁ ପଶ୍ଚିମବଙ୍ଗ ନଦିଆର ଶାନ୍ତିପୁର ବିଧାନସଭା ଆସନର ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ବିଜେପିରେ ଯୋଗଦେଇଥିଲେ । ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଦିଲ୍ଲୀରେ ପହଞ୍ଚି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କୁ ଭେଟିଥିଲେ । ଏହାପରେ ସେ ବିଜେପିରେ ସାମିଲ ହୋଇଯାଇଥିଲେ ।
ପୂର୍ବରୁ ଅନେକ ବିଧାୟକ ଟିଏମସି ଛାଡି ବିଜେପିରେ ଯୋଗ ଦେଇସାରିଛନ୍ତି । ନିକଟରେ ପଶ୍ଚିମବଙ୍ଗର ପ୍ରବାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଅନେକ ଟିଏମସି ବିଧାୟକ ଦଳ ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଥିଲେ । ସେପଟେ ନିଜ ଗଡ ଦୋହଲୁଥିବା ଦେଖି ଏହାକୁ ବଞ୍ଚାଇବା ପାଇଁ ଦୁଇ ଦୁଇଟି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁଭେନ୍ଦୁଙ୍କୁ ଟକ୍କର ଦେବା ପାଇଁ ମମତା ତାଙ୍କ ଗଡ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।