ଚେନ୍ନାଇ: ଆପଣ ଆକାଶରେ କେବେ ଏକାଠି ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଦେଖିଛନ୍ତି କି ? କଥାଟି ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ସମସ୍ତ ଜାଣନ୍ତି, ଏକା ସମୟରେ ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ରୋଦୟ ହୁଏନାହିଁ । କିନ୍ତୁ ଆଜି ଆପଣଙ୍କୁ ଏକାସାଙ୍ଗରେ ସୂର୍ଯ୍ୟାସ୍ତ ଓ ଚନ୍ଦ୍ରଙ୍କୁ ଦେଖିବାର ସୁଯୋଗ ମିଳିବ । ତାମିଲନାଡୁର କନ୍ୟାକୁମାରୀ ଆକାଶରେ ଏହି ଆଲୌକିକ ଘଟଣା ଘଟିବାକୁ ଯାଉଛି । ଆଜି କନ୍ୟାକୁମାରୀ ଆକାଶରେ ସୂର୍ଯ୍ୟାସ୍ତ ସମୟରେ ସାମାନ୍ୟ ଚନ୍ଦ୍ରୋଦୟ ଦୃଶ୍ୟମାନ ହେବ(sunset and the moon rising place at same time) ।
ଅନନ୍ତ ବ୍ରାହ୍ମାଣ୍ଡରେ ଅନେକ ସମୟରେ ବିଭିନ୍ନ ମହାଜାଗତିକ ଘଟଣାବଳୀ ଘଟେ । ତନ୍ମଧ୍ୟରୁ ଆଜି କନ୍ୟାକୁମାରୀରେ ହେବାକୁ ଯାଉଥିବା ବିରଳ ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ରୋଦୟ ଅନ୍ୟତମ । କନ୍ୟାକୁମାରୀ ଭୌଗୋଳିକ ଗଠନ ଦୃଷ୍ଟିରୁ ସ୍ବତନ୍ତ୍ର, ଯାହା ଭାରତର ଅନ୍ୟ କୌଣସି ଅଞ୍ଚଳରେ ବିଦ୍ୟମାନ ନାହିଁ । ଏଠାରେ ଆରବ ସାଗର, ବଙ୍ଗୋପସାଗର ଏବଂ ଭାରତ ମହାସାଗର ମିଶିଛନ୍ତି । କନ୍ୟାକୁମାରୀର ସି' ଭ୍ୟୁ ପଏଣ୍ଟ(Sea view point)ରୁ ଆଜି ଆପଣ ଏକାସାଙ୍ଗରେ ବିରଳ ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ରୋଦୟ ଦେଖାପାରିବେ । ଏହି ଅଲୌକିକ ଦୃଶ୍ୟ ଦେଖିବାକୁ କନ୍ୟାକୁମାରୀ ଅଭିମୁଖେ ପର୍ଯ୍ୟଟକଙ୍କ ଭିଡ ଛୁଟିବା ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି କନ୍ୟାକୁମାରୀ ଜିଲ୍ଲା ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ।
ଏକାଠି ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ରୋଦୟ ଭଳି ଚମତ୍କାର ତାମିଲନାଡୁ ଚିଥିରାଇ(Chithirai) ମାସରେ ଘଟିଥାଏ । ଚୈତ୍ୟ ପୂର୍ଣ୍ଣମୀ ଅବସରରେ ଆଜି କନ୍ୟାକୁମାରୀ ସ୍ଥିତ ଭଗବତୀ ଅମ୍ମାନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆୟୋଜିତ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ