ଗାନ୍ଧୀନଗର: ‘ବାଘ ବକରି’ ଚା’ କମ୍ପାନୀର ମାଲିକ ତଥା ନିର୍ଦ୍ଦେଶକ ପରାଗ ଦେଶାଇଙ୍କର ଆଜି ମାତ୍ର 49 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ 15 ତାରିଖରେ କୁକୁର ଆକ୍ରମଣ କାରଣରୁ ରାସ୍ତାରେ ପଡି ଆହତ ହୋଇଥିଲେ । ମର୍ଣ୍ଣିିଂଓ୍ବାକ ବେଳେ ବୁଲା କୁକୁରଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଧାଇଁବା ବେଳେ ପଡିଯାଇ ଆହତ ହୋଇଥିଲେ ପରାଗ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ବ୍ରେନ ହାମରେଜ ଷ୍ଟେଜକୁ ଚାଲିଯାଇଥିଲେ ସେ । ତାଙ୍କୁ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ପ୍ରାୟ ସପ୍ତାହେ ବ୍ୟାପି ଭେଣ୍ଟିଲେଟରରେ ରହିବା ପରେ ଗତକାଲି (ରବିବାର) ରାତିରେ ତାଙ୍କର ଦେହାନ୍ତ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କାରଯାଇଛି ।
15 ତାରିଖ ସକାଳେ ସେ ତାଙ୍କ ଅହମ୍ମଦାବାଦ ସ୍ଥିତ ଇସ୍କନ-ଆମ୍ବଲୀ ରାସ୍ତାରେ ମର୍ଣ୍ଣିଂଓ୍ବାକରେ ବାହାରିଥିଲେ । ଏହି ରାସ୍ତାରେ ବୁଲା କୁକୁରଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଧାଉଁଥିବା ବେଳେ ରାସ୍ତାରେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେ କୋମା ଷ୍ଟେଜକୁ ଚାଲିଯାଇଥିଲେ । ସେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା । ତେବେ କିଛି ଦିନ ତାଙ୍କୁ ଭେଣ୍ଟିଲେଟରରେ ରଖାଯିବା ପରେ ଗତକାଲି ସଂଧ୍ୟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଚା’ କମ୍ପାନୀ ଏ ସମ୍ପର୍କରେ ଘୋଷଣା କରିବା ସହ ଶୋକ ପ୍ରକାଶ କରିଛି ।
ଏହା ମଧ୍ୟ ପଢନ୍ତୁ :-ମୁମ୍ବାଇରେ ଏକ ବହୁତଳ ବିଲ୍ଡିଂରେ ଅଗ୍ନିକାଣ୍ଡ: 2 ମୃତ, ନିଆଁ ଲିଭା ଜାରି
ଏହି ଯୁବ ଉଦ୍ୟୋଗପତିଙ୍କ ଅକାଳ ନିଧନରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟସଭା ସାଂସଦ ଶଶିକାନ୍ତ ଗୋହିଲ ଏକ୍ସରେ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ଏପରି କଠିନ ସମୟରେ ପରିବାର ସଦସ୍ୟଙ୍କୁ ଧୈର୍ଯ୍ୟ ରଖିବା ପାଇଁ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି । ଏବେ କମ୍ପାନୀରେ ପରାଗଙ୍କ ସହ ଦୁଇ ଜଣ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଛନ୍ତି । ପରାଗଙ୍କ ନେତୃତ୍ବରେ କମ୍ପାନୀ ଇ-କମର୍ସ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଥିଲା । ପରାଗ ନିଜେ କମ୍ପାନୀର ମାର୍କେଟିଂ, ସେଲ୍ସ ଓ ଏକ୍ସପୋର୍ଟ ବ୍ୟାପାରର ଦାୟିତ୍ବରେ ଥିଲେ । ତାଙ୍କ ଦକ୍ଷ ନେତୃତ୍ବରେ କମ୍ପାନୀର ଅଭିବୃଦ୍ଧି ଜାରି ରହିଥିଲା ବେଳେ ଏହି ଯୁବ ଉଦ୍ୟୋଗୀଙ୍କ ଦୁଖଃଦ ମୃତ୍ୟୁ ହୋଇଯାଇଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ