ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି(Voting begins for first phase Gujarat Assembly polls) । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୮୯ଟି ଆସନ ପାଇଁ ମତସାବ୍ୟସ୍ତ କରୁଛନ୍ତି ମତଦାତା । ଏହି ପର୍ଯ୍ୟାୟରେ ମୋଟ ୭୮୮ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ସମସ୍ତ ୮୯ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍ ୮୮ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି । ଭୋଟ ଦେବାକୁ ସକାଳୁ ବୁଥ ଗୁଡିକ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।
ପ୍ରଥମ ପର୍ଯ୍ୟାୟରେ ମୋଟ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୩୯ କୋଟି ଭୋଟର । ସେମାନଙ୍କ ମଧ୍ୟରେ ୧, ୨୪,୩୩,୩୬୨ ଜଣ ପୁରୁଷ ରହିଥିବା ବେଳେ ୧,୧,୫,୪୨,୮୧୧ ଜଣ ମହିଳା ଭୋଟର ଓ ୪୯୭ ଜଣ କିନ୍ନର ରହିଛନ୍ତି । ଚଳିତ ପର୍ଯ୍ୟାୟରେ ଯୁବ ତଥା ନବାଗତ ଭୋଟରଙ୍କ ସଂଖ୍ୟା ମଧ୍ୟ ଉତ୍ସାହ ଜନକ ରହିଛି । ୧୮ ରୁ ୧୯ ବର୍ଷ ବୟସ ମଧ୍ୟରେ ମୋଟ ୫,୭୫,୫୬୦ ନବାଗତ ଭୋଟର ପ୍ରଥମ ଥର ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ବରିଷ୍ଠ ନାଗରିକ ତଥା ୯୯ ବର୍ଷରୁ ଅଧିକ ବୟସାଧିକ ଭୋଟରଙ୍କ ସଂଖ୍ୟା ୪,୯୪୫ ରହିଛି ।
୮୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୪,୩୮୨ଟି ପୁଲିଂ ଷ୍ଟେସନ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ସହରାଞ୍ଚଳରେ ୩,୩୧୧ ଏବଂ ଗ୍ରାମାଞ୍ଚଳରେ ୧୧,୦୭୧ଟି ମତଦାନ କେନ୍ଦ୍ର ରହିଛି । ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ୧୯ ଜିଲ୍ଲାର ୧୩,୦୬୫ଟି ବୁଥରେ ଲାଇଭ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନେତୃତ୍ବରେ ଗାନ୍ଧୀନଗରରେ ରାଜ୍ୟସ୍ତରୀୟ ମନିଟରିଂ ରୁମ୍ ସ୍ଥାପନ କରାଯାଇଛି । ଭୋଟଗ୍ରହଣ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ନିରନ୍ତର ନିରୀକ୍ଷଣ କରାଯିବ ବୋଲି ଇସି କହିଛନ୍ତି ।
ଏହାମଧ୍ୟ ପଢନ୍ତୁ: ବୋହୂକୁ ଭୋଟ ନଦେବାକୁ ଜାଡେଜାଙ୍କ ବାପାଙ୍କ ପ୍ରଚାର, କହିଲେ କଂଗ୍ରେସକୁ ଦିଅ ଭୋଟ୍
ପ୍ରକାଶଥାଉ କି, ଡିସେମ୍ବର ୫ରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ । ୮ରେ ହିମାଚଳ ପ୍ରଦେଶ ସହ ଗୁଜୁରାଟ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।