ଜୟପୁର: ଦେଶରେ ବଢୁଛି ସାମ୍ପ୍ରଦାୟିକ ହିଂସାକାଣ୍ଡ । ଇଦ୍ ପୂର୍ବ ରାତିରେ ରାଜସ୍ଥାନ ଯୋଧପୁରରେ ଦୁଇ ସମ୍ପ୍ରଦାୟର ଲୋକେ ମୁହାଁମୁହିଁ ହୋଇଛନ୍ତି । ପତାକାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ ହୋଇଛି, ଯେଉଁଥିରେ ୪ ପୋଲିସ କର୍ମୀ ଏବଂ କିଛି ସାମ୍ବାଦିକ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଯୋଧପୁର ଜାଲୋରୀ ଗେଟ୍(Jalori Gate) ସର୍କଲ ନିକଟରେ ଏହି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିବା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଛି । ଉତ୍ୟକ୍ତ ଲୋକ ପୋଲିସ ଉପରେ ମଧ୍ୟ ପଥରମାଡ କରିଛନ୍ତି । ସ୍ଥିତି ଏତେ ଖରାପ ରହିଛି ଯେ, ଏଠାରେ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିଛି । ରାତି ପ୍ରାୟ ୧ଟାରୁ ଯୋଧପୁରରେ ଇଣ୍ଟରନେଟ ସେବା ବନ୍ଦ ଅଛି ।
ସୂଚନା ଅନୁଯାୟୀ, ଜାଲୋରୀ ଗେଟ ସର୍କଲ ନିକଟରେ ଥିବା ସ୍ବତନ୍ତ୍ରତା ସେନାନୀ ବାଲ ମୁକୁନ୍ଦ ବିସାଙ୍କ ପ୍ରତିମୂର୍ତ୍ତିରେ ପତାକା ଲଗାଇବା ଏବଂ ଛକରେ ଇଦ୍ର ବ୍ୟାନର ଲଗାଯିବାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଉଭୟ ଗୋଷ୍ଠୀ ନାରାବାଜି କରି ପତାକା ଓ ବ୍ୟାନର ହଟାଇ ଦେଇଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀର ଲୋକେ ସେଠାରେ ଥିବା ଗାଡିଗୁଡିକୁ ଭଙ୍ଗାରୁଜା କରାଯିବା ସହ ବ୍ୟାପକ ପଥରମାଡ କରିଥିଲେ । ପୋଲିସ ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରି ସ୍ଥିତି ନିୟନ୍ତ୍ରଣ କରିଥିଲା ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି । ସେ କହିଛନ୍ତି, "ଜାଲୋରୀ ଗେଟ ଠାରେ ଘଟିଥିବା ହିଂସା ଦୁର୍ଭାଗ୍ୟପୂର୍ଣ୍ଣ । ପ୍ରଶାସନକୁ କୌଣସି ପରିସ୍ଥିତିରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛି ।'' ମୁଖ୍ୟମନ୍ତ୍ରୀ ସବୁ ପକ୍ଷକୁ ଶାନ୍ତି ରକ୍ଷା କରିବାକୁ ନିବେଦନ କରିଛନ୍ତି । ତେବେ ଏହା ଗୋଟିଏ ଘଟଣା ନୁହେଁ, ବିଗତ ଦିନରେ ଦେଶର ବିଭିନ୍ନ ସ୍ଥାନରୁ ସାମ୍ପ୍ରଦାୟିକ ହିଂସାର ଚିତ୍ର ଜନମାନସକୁ ବ୍ୟଥିତ କରିଛି । ଗତ କିଛି ସପ୍ତାହ ପୂର୍ବରୁ ଦିଲ୍ଲୀ, ଗୁଜୁରାଟ, ମଧ୍ୟପ୍ରଦେଶ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ମାମଲା ପ୍ରକାଶ ପାଇଥିଲା । ରାମନବମୀ ଏବଂ ହନୁମାନ ଜୟନୀ ଅବସରରେ ଦୁଇ ସମ୍ପ୍ରଦାୟର ଲୋକେ ମଧ୍ୟରେ ମାଡପିଟ୍ ହୋଇଥିଲେ ।