ଡେରାଡୁନ: ଅନେକ କଳ୍ପନାଜଳ୍ପନା ଓ ବାଦବିବାଦ ପରେ ଶେଷରେ ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ । ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି ତ୍ରିଭେନ୍ଦ୍ର ସିଂହ । ଏହି ସମୟରେ ବିଜେପି ରାଜ୍ୟ ସଭାପତି ବଂଶୀଧର ଭଗତ ମଧ୍ୟ ଉପସ୍ଥିତ ଥିଲେ ।
ଉତ୍ତରାଖଣ୍ଡ ବିଜେପିର ଅନେକ ବିଧାୟକ ତ୍ରିଭେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଆସୁଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ଝଡ । କେନ୍ଦ୍ରୀୟ ନେତୃତ୍ବ ଏହା ଉପରେ ଗତ 2 ଦିନରୁ କ୍ରମାଗତ ଆଲୋଚନା କରିଆସୁଥିଲେ । ତେବେ ଶେଷରେ ରାୱତଙ୍କୁ ଇସ୍ତଫା ଦେବାକୁ ପଡିଛି ।
କିଛି ମାସ ତଳେ ଉତ୍ତରାଖଣ୍ଡରେ ଦଳର ଅନେକ ବିଧାୟକ ଓ ମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ବିରୋଧ କରିବା ପରଠାରୁ ତ୍ରିଭେନ୍ଦ୍ର ସିଂହ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।
ଡେରାଡୁନରେ ବୁଧିବାର ବସିବ ବିଜେପି ବିଧାୟକଦଳର ବୈଠକ । ତେବେ ଏହି ବୈଠକରେ ହିଁ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି ।
ଇସ୍ତଫା ଦେବା ପରେ ସାମ୍ବାଦିକ ସମ୍ମିଳନୀରେ ରାୱତ କହିଛନ୍ତି, ମୁଁ ଦୀର୍ଘ ଦିନରୁ ରାଜନୀତି କରିଆସୁଛି । 4 ବର୍ଷରୁ ଦଳଲ ମୋତେ ମୁଖ୍ୟମନ୍ତ୍ରୀ ଭାବେ ସେବାର ସୁଯୋଗ ଦେଇଥିଲା । କେବେ ଭାବିନଥିଲି ଯେ ମୁଁ ମୁଖ୍ୟମନ୍ତ୍ରୀ ହେବି । ହେଲେ ବିଜେପି ମୋତେ ସେବା କରିବାର ସୁଯୋଗ ଦେଇଥିବା କହିଛନ୍ତି ତ୍ରିଭେନ୍ଦ୍ର ।
ରାୱତ କହିଛନ୍ତି, ଦଳ ଏବେ ନିଷ୍ପତ୍ତି ନେଇଛି ଯେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାରୁ ସୁଯୋଗ ଆଉ କାହାକୁ ଦିଆଯିବାର ଆବଶ୍ୟକତା ରହିଛି । ସେ କହିଛନ୍ତି 8 ସଦସ୍ୟ ବିଶିଷ୍ଟ ଏକ ଛୋଟ ଗାଁର ଛୋଟ ପରିବାରରେ ମୁଁ ଜନ୍ମିତ । ମୋ ବାପା ଜଣେ ପୂର୍ବତନ ସୈନିକ ଥିଲେ । ଗୋଟିଏ ଛୋଟ ଗାଁରର ଅତି ସାଧାରଣ ପରିବାରର ଦଳୀୟ କାର୍ଯ୍ୟକର୍ତ୍ତାକୁ ଏତେ ବଡ ସମ୍ମାନ ମିଳିବା କେବଳ ବିଜେପିରେ ହିଁ ସମ୍ଭବ ବୋଲି କହିଛନ୍ତି ରାୱତ ।
ସେପଟେ ରାୱତଙ୍କ ଇସ୍ତଫା ପରେ ଏବେ କିଏ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ତାହା ଜଣାପଡିନି । ତେବେ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ବିଜେପି ନେତା ଧନସିଂହ । ଉତ୍ତରାଖଣ୍ଡରେ ଜାରି ରହିଥିବା ସଙ୍କଟ ମଧ୍ୟରେ ଧନସିଂହ ରାୱତ ଡେରାଡୁନ ପହଞ୍ଚିସାରିଛନ୍ତି । ହେଲିକପ୍ଟରରେ ଶ୍ରୀନଗରରୁ ଡେରାଡୁନ ଆସିବା ପରେ ସିଧା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି ଧନ ସିଂହ । ସୂଚନା ଅନୁଯାୟୀ, ତ୍ରିଭେନ୍ଦ୍ର ସିଂହ ରାୱତ ଧନସିଂହଙ୍କୁ ଉତ୍ତରାଖଣ୍ଡର ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ଦେଇଛନ୍ତି ।
2017 ମାର୍ଚ୍ଚ 18ରେ ତତ୍କାଳୀନ ରାଜ୍ୟପାଳ କୃଷ୍ଣକାନ୍ତ ପାଲ ସିଏମ ତ୍ରିଭେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ଦେଇଥିଲେ ।