ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପୁରର ଜଣେ ସୁଧଖୋରର ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ସୁଧ ନ ସୁଝିପାରିବାରୁ ଜଣେ ବ୍ୟକ୍ତିଙ୍କୁ ଉଲଗ୍ନ କରି ପ୍ରଥମେ ନାଚିବାକୁ ବାଧ୍ୟ କରିବା ପରେ ନିର୍ଦ୍ଧୁମ ମାଡ଼ ମାରିଥିବା ହୋଇଛି ଅଭିଯୋଗ । ଏହି ଘଟଣାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯଥାଶୀଘ୍ର ସୁଧ ଶୁଝିବା ପାଇଁ ଏହି ଭିଡ଼ିଓକୁ ଭାଇରାଲ କରିବା ନେଇ ଧମକ ଚମକ ଦେଉଥିଲା । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଧଖୋର ଚିରାଗ ଅଗ୍ରୱାଲ ଓ ସହଯୋଗୀ ଅରବିନ୍ଦ ଢାଲିକୁ ଗିରଫ କରିଛି ।
ପୀଡିତର ଦୁଃଖ-
ସେପଟେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଯାଇଥିବା ପୋଲିସଙ୍କ ଉପରେ ଗାଡ଼ି ଚଢାଇବା ପାଇଁ ପ୍ରୟାସ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଚିରାଗଙ୍କ ସମେତ ଅନ୍ୟ ୫ ଜଣଙ୍କ ଉପରେ ପୀଡ଼ିତ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଗତ ୨୦୧୯ ମସିହା ମେ ମାସରେ ସେ ୩୫ ହଜାର ଧାର ନେଇଥିଲେ । ଏହାପରେ ସେ ୨୦୨୦ ମାର୍ଚ୍ଚରେ ପୁଣି ସେ ଅଗ୍ରୱାଲଙ୍କଠୁ ୪୦ ହଜାର ଧାର ନେଇଥିଲେ । ଏହାପରେ ନଭେମ୍ବର ୨୦୨୦ ମସିହାରେ ସେ ପତ୍ନୀଙ୍କ ଅଳଙ୍କାର ଓ କାର ବନ୍ଧକ ରଖି ୬୪ ହଜାର ଟଙ୍କା ପୁଣି ନେଇଥିଲେ ।
ସେ ମୋଟ ୨ ଲକ୍ଷ ୫୭ ହଜାର ଟଙ୍କା ଧାର ନେଇଛନ୍ତି । ଏହା ବଦଳରେ ସେ ୧୯ଟି ଚେକ୍, ଅଳଙ୍କାର ଓ କାରକୁ ବନ୍ଧା ପକାଇଥିଲେ । ସୁଧ ସହିତ ସେ ୩ ଲକ୍ଷ ୧୭ ହଜାର ୩୦୦ ଟଙ୍କା ସୁଧଖୋର ଅଗ୍ରୱାଲକୁ ଫେରାଇ ଦେଇଛନ୍ତି । କିନ୍ତୁ ସୁଧଖୋର ମୋଟ ୫ ଲକ୍ଷ ୪୮ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ । ଏହାପରେ ପୀଡ଼ିତ ନ ଦେବାରୁ ସେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସୁଧଖୋର ଚିରାଗ ଅଗ୍ରୱାଲ, ଅରବିନ୍ଦ ଢାଲି, ଧନଶ୍ୟାମ ବାଠଲା, ମାନ ଓ ଦେବରାୟ ମଣ୍ଡଳଙ୍କ ବିରୋଧରେ ଧାରା ୩୬୫, ୩୨୩, ୩୪୨, ୩୦୭, ୩୮୬ ଓ ୧୪୭ ମକଦ୍ଦମା ରୁଜୁ ହୋଇଛି । ପୋଲିସ ସେମାନଙ୍କୁ ଗିରଫ କରିବା ସମୟରେ ସେମାନେ କାର ଯୋଗେ ଖସି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ରୋକିବାକୁ ଉଦ୍ୟମ କରିବା ସମୟରେ ପୋଲିସ ଉପରେ ଗାଡ଼ି ଚଢାଇ ଦେବା ପାଇଁ ସେମାନେ ଉଦ୍ୟମ କରିଥିଲେ ।
ପୋଲିସ ଘେରାବନ୍ଦୀ କରି ପ୍ରାୟ ୮ କିଲୋମିଟର ସେମାନଙ୍କ ପଛରେ ଦୌଡ଼ିବା ପରେ ଗିରଫ କରିବାରେ ସଫଳ ହୋଇଛି । ଦୁଇ ଅଭିଯୁକ୍ତ ଚିରାଗ ଅଗ୍ରୱାଲ ଓ ଗୋବିନ୍ଦ ଢାଲିଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ମୋବାଇଲରୁ କିଛି ଭିଡ଼ିଓକୁ ମଧ୍ୟ ପୋଲିସ ଜବତ କରିଛି । ଏହାସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ