ଲକ୍ଷ୍ନୌ: ପ୍ରେମ ଶାଶ୍ବତ ଚିରନ୍ତନ... ପ୍ରେମ ବଞ୍ଚିବାର ରାହା । ମଣିଷ ହେଉକି ପଶୁପକ୍ଷୀ, ସମସ୍ତଙ୍କ ପାଇଁ ପ୍ରେମର ମୂଲ୍ୟ ଅମୂଲ୍ୟ । କିଏ ପ୍ରେମ ପାଇଁ ସୀମା ସରହଦ ପାର୍ କରୁଛି ତ ଆଉ କିଏ ସାତ ଦରିଆ ଡେଇଁ ପଡୁଛି । ବାଦଶାହ ଶାହାଜାହନ ପତ୍ନୀ ମମତାଜଙ୍କ ପ୍ରେମରେ ତାଜମହଲ ଗଢ଼ି ଦେଇଥିଲେ । ଆଜିର ଦୁନିଆରେ ବି ସେଭଳି କିଛି ପ୍ରେମିକ ଅଛନ୍ତି, ଯେଉଁମାନେ ପ୍ରେମିକାର ସ୍ମୃତିକୁ ଚିରକାଳ ସାଇତି ରଖିବା ପାଇଁ ବିଶ୍ବାସର ଇଟା, ସିମେଣ୍ଟରେ ପ୍ରେମର ସ୍ତୂପ ତୋଳୁଛନ୍ତି । ଉତ୍ତର ପ୍ରଦେଶ ଫତେହପୁରରୁ ନିଚ୍ଛକ ପ୍ରେମର ଏଭଳି ଏକ କାହାଣୀ ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ନିଜର ସ୍ବର୍ଗବାସୀ ପତ୍ନୀଙ୍କ ପାଇଁ ବିଶାଳ ମନ୍ଦିର ନିର୍ମାଣ କରିଛନ୍ତି । ମନ୍ଦିରରେ ଦେବୀ ରୂପେ ପତ୍ନୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ନିଇତି ସକାଳ ସନ୍ଧ୍ୟାରେ ପୂଜା କରୁଛନ୍ତି ।
ଫତେହପୁର ବକେବର ଅନ୍ତର୍ଗତ ପଧାରା ଗ୍ରାମ ନିବାସୀ ରାମ ସେବକ । ଜଣେ ଅବସରପ୍ରାପ୍ତ ଅମିନ । ୧୯୭୭ ମେ' ୧୮ରେ ରୂପାଙ୍କ ସହ ତାଙ୍କର ବିବାହ ହୋଇଥିଲା । ସେମାନଙ୍କର ୫ ଜଣ ସନ୍ତାନ ଅଛନ୍ତି । ପତ୍ନୀ, ୩ ଜଣ ପୁଅ ଓ ଦୁଇ ଝିଅଙ୍କୁ ନେଇ ହସଖୁସିରେ ସଂସାର ଚାଲିଥିଲା । କିନ୍ତୁ କୋରୋନା ମହାମାରୀ ରାମ ସେବକଙ୍କ ପରିବାର ପାଇଁ ଦୁଃଖର କଳାବାଦଲ ନେଇଆସିଲା । ଦୁଇ ବର୍ଷ ତଳେ କୋରୋନାରେ ଆକ୍ରାନ୍ତ ହୋଇ ପତ୍ନୀ ରୂପାଙ୍କ ଦେହାନ୍ତ ହୋଇଗଲା । ନିଜର ଜୀବନସାଥୀକୁ ହରାଇ ସେ ଦୁଃଖରେ ଭାଙ୍ଗି ପଡିଲେ । ପତ୍ନୀଙ୍କ ବିୟୋଗ ପରେ ରାମ ସେବକ ସବୁବେଳେ ଚୁପଚାପ ରହିବାକୁ ଲାଗିଲେ । ନିଜକୁ କାର୍ଯ୍ୟରେ ବ୍ୟସ୍ତ ରଖି ରୂପାଙ୍କୁ ଭୁଲିବାକୁ ଚେଷ୍ଟା କଲେ । କିନ୍ତୁ ଭୁଲି ପାରିଲେନି । ତେଣୁ ଶେଷରେ ନିଜ ପ୍ରାଣପ୍ରିୟାର ସ୍ମୃତିରେ ମନ୍ଦିରଟିଏ ଗଢିବାକୁ ନିଷ୍ପତ୍ତି ନେଲେ ।
ଏହାମଧ୍ୟ ପଢନ୍ତୁ: ପ୍ରେମ ପାଇଁ ସାତଦରିଆ ପାର, ପ୍ରେମିକକୁ ପାଇବାକୁ ପୋଲାଣ୍ଡରୁ ଭାରତ ଆସିଲେ ପ୍ରେମିକା
ରାମ ସେବକ ଘରଠାରୁ ଦୁଇ କିଲୋମିଟର ଦୂର ନିଜ ଚାଷଜମିରେ ବିଶାଳ ମନ୍ଦିର ନିର୍ମାଣ କଲେ । ସେଥିରେ ନିଜର ପତ୍ନୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ । ସେବେଠାରୁ ସେ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ମନ୍ଦିରରେ ପୂଜା କରିଆସୁଛନ୍ତି । ଏନେଇ ସେ କୁହନ୍ତି, "ରୁପା ଜଣେ ପତିବ୍ରତା ସ୍ତ୍ରୀ ଥିଲେ । ମୋ ସେବାକୁ ହିଁ ନିଜର ଧର୍ମ ଭାବୁଥିଲେ । ଜୀବନରେ ଯେତେ ଝଡି ଝଞ୍ଜା ଆସିଲେ, ସେ ନିଜ ଧୈର୍ଯ୍ୟ ରଖିବା ସହ ମୋତେ ସାହାସ ଦେଉଥିଲେ । ସବୁବେଳେ ଛାଇ ହୋଇ ପାଖେ ପାଖେ ରହୁଥିଲେ । ଅଫିସରୁ ଫେରିବା ପରେ ଯେତେ ପର୍ଯ୍ୟନ୍ତ ମୁଁ ଖାଏ ନାହିଁ, ସେ ମଧ୍ୟ ନିଜ ମୁହଁରେ ଦାନାଟିଏ ଦିଅନ୍ତି ନାହିଁ । ସେ ବଞ୍ଚିଥିବା ପର୍ଯ୍ୟନ୍ତ ଘର ହସଖୁସିରେ ପୁରି ଉଠୁଥିଲା । ୨୦୨୦ ମେ' ୧୮ରେ ରୂପା କୋରୋନାରେ ପଡି ଆରପାରିକୁ ଚାଲିଗଲେ । ସେ ଯିବା ପରେ ମୁଁ ଦୁଃଖରେ ଭାଙ୍ଗି ପଡିଲି । ସବୁବେଳେ ରୁପା ମୋର ମନେ ପଡିଲେ ।"
ଶତ ଚେଷ୍ଟା ସତ୍ତ୍ବେ ସେ ରୂପାଙ୍କୁ ଭୁଲି ନପାରିବାରୁ ମନ୍ଦିରଟିଏ ତୋଳିବାକୁ ଚିନ୍ତା କଲେ । ଏହାପରେ ଘରଠାରୁ ଦୁଇ କିଲୋମିଟର ଦୂରରେ ମନ୍ଦିର ଗଢ଼ିଲେ । ମନ୍ଦିରରେ ପତ୍ନୀଙ୍କ ମୂର୍ତ୍ତୀଟିଏ ପ୍ରତିଷ୍ଠା କଲେ ଓ ସେଠାରେ ରହିବାକୁ ଲାଗିଲେ । ଏହା ଦେଖି ପ୍ରଥମେ ପ୍ରଥମେ ଗାଁ ଲୋକେ ରାମ ସେବକଙ୍କୁ ପରିହାସ କରୁଥିଲେ, କିନ୍ତୁ ଏବେ ସବୁ ସ୍ବାଭାବିକ ହୋଇଛି । ରାମ ସେବକ କୁହନ୍ତି, ମନ୍ଦିରରେ ପୂଜା କଲେ ପତ୍ନୀ ତାଙ୍କ ପାଖରେ ଥିବାର ଅନୁଭବ ହୁଏ । ରୂପାଙ୍କ ସ୍ମୃତିରେ ମନ୍ଦିର ତୋଳି ସେ ଖୁବ୍ ଖୁସି ଅଛନ୍ତି ଏବଂ ପ୍ରତିବର୍ଷ ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ରୂପା ତାଙ୍କର ସବୁକିଛି ଥିଲେ ଏବଂ ତାଙ୍କରି ସ୍ମୃତିରେ ସେ ସାରା ଜୀବନ କାଟି ଦେବାକୁ ଚାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ