ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜ କର୍ମଚାରୀମାନଙ୍କୁ ଖୁସି ଖବର ଦେଇଛନ୍ତି । କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୪% ବୃଦ୍ଧି କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର ମିଳିଛି । କେନ୍ଦ୍ର କ୍ୟାବିନଟର ଏହି ନିଷ୍ପତି ଦ୍ବାରା ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନ ଭୋଗୀ ଉପକୃତ ହେବେ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ବୈଠକ ବସିଥିଲା । ଏହି ବୈଠକରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ପ୍ରସ୍ତାବ ଆସିଥିଲା । ଫଳରେ ଏଣିକି କର୍ମଚାରୀ ମାନେ ୪୨% ମହାଙ୍ଗା ଭତ୍ତା ପାଇବେ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ଦ୍ବାରା ବର୍ତ୍ତମାନ କାର୍ଯ୍ୟରତ ୪୭.୫୮ ଲକ୍ଷ କର୍ମଚାରୀ ଓ ୬୯.୭୬ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ୧୨ ହଜାର ୮୧୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।
ଏହାବି ପଢନ୍ତୁୃ- ମହାତ୍ମା ଗାନ୍ଧୀଙ୍କ ନିକଟରେ ନଥିଲା ଆଇନ ଡିଗ୍ରୀ: ମନୋଜ ସିହ୍ନା
ପୂର୍ବରୁ ୨୦୨୨ ସେପ୍ଟେମ୍ବର ରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ସେତେବେଳେ ଏହା ପିଛିଲା ଭାବେ ୧ ଜୁଲାଇ ୨୦୨୨ ରୁ ଲାଗୁ ହୋଇଥିଲା । ଗତଥର ମଧ୍ୟ ୪% ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।
ସେହିପରି କେନ୍ଦ୍ର ସରକାର ଝଟର ଏମଏସପି ମଧ୍ୟ ବୃଦ୍ଧି କରିଛନ୍ତି । କଞ୍ଚା ଝଟ ଉପରେ ଏହି ଏମଏସପି ବୃଦ୍ଧି ପାଇଛି । କ୍ବାଇଣ୍ଚାଲ ପ୍ରତି 300 ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ବର୍ତ୍ତମାନ ଝଟ କ୍ବାଇଣ୍ଟାଲ ପ୍ରତି ସର୍ବୋଚ୍ଚ ମୁଲ୍ୟ 5 ହଜାର 50 ଟଙ୍କାକୁ ବୃଦ୍ଧି ପାଇଛି । ଏହା ଦ୍ବାରା ଦେଶର 40 ଲକ୍ଷ ଚାଷୀ ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଝୋଟ ଚାଷୀଙ୍କ ମଧ୍ୟରେ ଖୁସିର ମାହୋଲ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ଆହୁରି ଏକାଧିକ ପ୍ରସ୍ତାବକୁ ବି ମଞ୍ଜୁର ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ କ୍ୟାବିନେଟ ବୈଠକ ଶେଷ ପରେ ପ୍ରେସମିଟ କରି ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ।
ଇଟିଭି ଭାରତ, ନୂଆଦିଲ୍ଲୀ