ଭୋପାଳ: ଦେଶରେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋର୍ଡର କାର୍ଯ୍ୟକାରିତା ନେଇ ବିତର୍କ ଓ ଚର୍ଚ୍ଚା ଜାରି ରହିଛି । ପୂର୍ଣ୍ଣ ବହୁମତରେ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନଡିଏ ସରକାର ଏହାକୁ କୌଣସି ମୁହୂର୍ତ୍ତରେ ଲାଗୁ କରିପାର । ଏହାରି ମଧ୍ୟରେ ଏକ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୌଣସି ଦେଶ ଦୁଇଟା ଆଇନରେ ଚାଲି ପାରିବ ନାହିଁ । ଗୋଟିଏ ପରିବାରର ସଦସ୍ୟଙ୍କ ପାଇଁ ପୃଥକ ପୃଥକ ନିୟମ ହୋଇନପାରେ । ସେହିପରି ଦେଶର ସମ୍ବିଧାନ ମଧ୍ୟ ସମସ୍ତ ନାଗରିକଙ୍କୁ ସମାନତା ଓ ସମାନ ଅଧିକାର ପ୍ରଦାନ କରିବା ପଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କର ଏପରି ସ୍ପଷ୍ଟ ସଙ୍କେତ ପରେ ଏହାର କାର୍ଯ୍ୟକାରିତା ଖୁବଶୀଘ୍ର ବୋଲି ଚର୍ଚ୍ଚା ହେଉଛି ।
ଆଜି ମଧ୍ୟପ୍ରଦେଶର ଭୋପାଲରେ ‘ମୋ ବୁଥ, ସବୁଠୁ ମଜଭୂତ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ବୋଧନରେ ସେ ଦେଶରେ ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନର ନିହାତି ଆବଶ୍ୟକତା କଥା କହିବା ସହ ତିନି ତଲାକ ଉଚ୍ଛେଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ତିନି ତଲାକ ଇସଲାମ ଧର୍ମର ଅଭିନ୍ନ ଅଙ୍ଗ ବା ମୂଳ ଅଂଶ ନୁହେଁ ବୋଲି ପରୋକ୍ଷରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଯଦି ଏପରି ହୋଇଥାନ୍ତା, ଇଣ୍ଡୋନେସିଆ, କତର, ଜୋର୍ଡାନ, ଇଜିପ୍ଟ, ବାଂଲାଦେଶ, ପାକିସ୍ତାନ ପରି ଇସଲାମୀୟ ଦେଶରେ କାହିଁକି ଏହାର ଅନୁପାଳନ କରାଯାଉନାହିଁ । ଏପରିକି 90 ପ୍ରତିଶତ ମୁସଲିମ ଲୋକସଂଖ୍ୟା ବିଶିଷ୍ଟ ମିଶରରେ ଏହି ପ୍ରଥାକୁ ଆଜିକୁ 80-90 ବର୍ଷ ପୂର୍ବରୁ ଉଚ୍ଛେଦ ମଧ୍ୟ କରାଯାଇ ସାରିଛି । ଯେଉଁମାନେ 'ଟ୍ରିପଲ ତାଲାକ'କୁ ସମର୍ଥନ କରନ୍ତି, ସେମାନେ ଭୋଟ୍ ବ୍ୟାଙ୍କ ପାଇଁ ରାଜନୀତି କୁରଛନ୍ତି । ଇସଲାମ ଧର୍ମର ମା’ ମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ଏହି ପ୍ରଥା ପରିବାରକୁ ନଷ୍ଟ କରିଦିଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- ଦିନକରେ 5 ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଭୋପାଳରୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସେହିପରି ସେ ୟୁନିଫର୍ମ ସିଭିଲ କୋର୍ଡ (UCC) କୁ ବିରୋଧ କରୁଥିବା ରାଜନୈତିକ ଦଳକୁ ମଧ୍ୟ ସାମାଲୋଚନା କରିଛନ୍ତି । କିଛି ଲୋକ ନିଜ ସ୍ବାର୍ଥ ପୂରଣ ପାଇଁ କିଛି ସମ୍ପ୍ରଦାୟର ଲୋକଙ୍କୁ ଉତ୍ତେଜିତ କରିବାରେ ଲାଗିଛନ୍ତି । ଭାରତୀୟ ମୁସଲମାନ ଏକଥା ବୁଝିବାର ଆବଶ୍ୟକତା ରହିଛି, କେଉଁ ରାଜନୈତିକ ଦଳ ସେମାନଙ୍କୁ ଉତ୍ତେଜିତ କରୁଛନ୍ତି ଓ ନଷ୍ଟ କରିବା ପାଇଁ ଚାହୁଁଛନ୍ତି । ସମ୍ବିଧାନ ସମସ୍ତ ନଗରିକଙ୍କୁ ସମାନତା ପ୍ରଦାନ କରିବା ଉପରେ ଗୁରୁତ୍ବ ଦିଏ । ସର୍ବୋଚ୍ଚ କୋର୍ଟ ମଧ୍ୟ ଏହି ଏକକ ନାଗରିକ ସଂହିତା ଲାଗୁ କରିବା ଉପରେ ମତ ଦେଇସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ