ନୂଆଦିଲ୍ଲୀ: ସମ୍ପ୍ରତି ସହର ମାନଙ୍କରେ କୌଣସି ସ୍ଥାନକୁ ଯିବା ପାଇଁ ଆମେ ଅନଲାଇନ କ୍ୟାବ ସେବାକୁ ଆପଣାଉଛେ । ଏହାରି ମଧ୍ୟରେ uber ସେବାଠୁ ଆରମ୍ଭ କରି ଅନେକ ସଂସ୍ଥା ସେବା ଅନ୍ତର୍ଭୁକ୍ତ । ହେଲେ ଏଠାରେ Uber ସେବାକୁ ନେଇ ଏକ ଘଟଣାଦୃଷ୍ଟି ଆକର୍ଷଣ କରିଛି । ଜଣେ ଯାତ୍ରୀଙ୍କୁ ସେବା ଯୋଗାଇବା ଲାଗି କର୍ମଚାରୀଙ୍କ ବଦଳରେ ପହଞ୍ଚିଛନ୍ତି ଖୋଦ୍ UBER CEO ପ୍ରଭଜିତ ସିଂ । ଏହି ଘଟଣାଟି ସାମନାକୁ ଆସିବା ପରେ ନେଟିଜେନ୍ସଙ୍କ ହୃଦୟ ଜିତିଛନ୍ତି ପ୍ରଭଜିତ ।
ଯାତ୍ରୀ ଅନନ୍ୟା ଦ୍ବିବେଦୀ ପ୍ରତିଦିନ ପରେ UBER କ୍ୟାବ୍ ବୁକ୍ କରିଥିଲେ । ହେଲେ ଏଠାରେ ତାଙ୍କ ଡ୍ରାଇଭର ସାଜି ପହଞ୍ଚିଥିଲେ ପ୍ରଭଜିତ । ତେବେ ଏହି ଘଟଣାକୁ ଅନନ୍ୟା LinkedInରେ ସେୟାର କରି ଲେଖିଛନ୍ତି ଯେ ଯେତେବେଳେ ସେ ଅଫିସରୁ କାମ ସାରି ଘରକୁ ଯିବା ଲାଗି କ୍ୟାବ୍ ବୁକ୍ କରିଥିଲେ ସେତେବେଳେ ସେ ଆଚମ୍ବିତ ହୋଇଥିଲେ । ଡ୍ରାଇଭର ଜଣକ UBER CEO ବୋଲି ସେ ସନ୍ଦେହ କରିଥିଲେ । ଏହାପରେ ସେ ତାଙ୍କ ନାଁ ଗୁଗଲ୍ରେ ସର୍ଚ୍ଚ କରି ଫେସ ମ୍ୟାଚ୍ କରିଥିଲେ ।
ଏହାପରେ ସେ ପ୍ରଭଜିତଙ୍କ ଏକ୍ସଲ୍ୟୁସିଭ ଉବର୍ ରାଇଡ୍କୁ ଉପଭୋଗ କରିଥିଲେ ବୋଲି କହିଥିଲେ । ଏହା ତାଙ୍କ ମାନବିକତାର ପରିଚୟ ଦେଇଛି ବୋଲି କହିଛନ୍ତି ଅନନ୍ୟା । ପ୍ରଭଜିତ ଅନନ୍ୟାଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ସହିତ ଉତ୍ତମ ସେବା ଯୋଗାଇଥିଲେ । ଏହି ଘଟଣାକୁ ଅନନ୍ୟା LinkedInରେ ସେୟାର କରିବା ପରେ ନେଟିଜେନ୍ସ ପ୍ରଭଜିତଙ୍କୁ ଖୁବ ପ୍ରଶଂସା କରିଛନ୍ତି ।
ଜଣେ ଲିଙ୍କଡିନ ୟୁଜର ସୌରଭ କୁମାର ବର୍ମା ମଧ୍ୟ ଉବର ଇଣ୍ଡିଆ ସିଇଓଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟପଟେ ପ୍ରଭଜିତ ଉବର ସେବାକୁ ଅଧିକ ଉତ୍କୃଷ୍ଟ କରିବା ପାଇଁ ଏକ ପ୍ରାଥମିକ ଗବେଷଣା କରୁଥିବା ଜଣାପଡ଼ିଛି । ଏଥିଲାଗି ସେ ରାସ୍ତାକୁ ଓହ୍ଲାଇ ନିଜେ ଡ୍ରାଇଭିଂ କରି ପରୋକ୍ଷରେ ଯାତ୍ରୀଙ୍କ ଫିଡ଼ବ୍ୟାକ୍ ନେଉଥିଲେ । ବ୍ୟକ୍ତିଗତ ଭାବରେ ଗ୍ରାହକଙ୍କୁ ଜାଣିବା ପାଇଁ ସେ ଡ୍ରାଇଭର ସାଜିଥିବା ଜଣାପଡ଼ିଛି ।