ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଲଜ୍ଜା । ସାଙ୍ଗରେ ଖେଳାଇବାକୁ ନେଇ ୮ ବର୍ଷର ନାବାଳିକାଙ୍କୁ ଗଣ ଦୁଷ୍କର୍ମ । ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲା ଜୁନାବାଇ ଥାନା ଅଞ୍ଚଳରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି । ପରିବାର ପକ୍ଷରୁ ଏନେଇ ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ଗିରଫ କରିଛି ପୋଲିସ ।
ଜୁନାବାଇ ଥାନା ଅଧିକାରୀ ପୁସ୍କର ସିଂ ମେହେରାଙ୍କ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୯ ତାରିଖରେ ୮ ବର୍ଷୀୟ ନାବାଳିକା ତାଙ୍କ ଘର ବାହାରେ ଖେଳୁଥିଲେ । ଏହି ସମୟରେ ଉକ୍ତ ଗ୍ରାମର ୧୨ ବର୍ଷୀୟ ଦୁଇ ନାବାଳକ ତାଙ୍କ ପାଖକୁ ଯାଇଥିଲେ । ଖେଳିବା ବାହାନାରେ ପୀଡ଼ିତା ନାବାଳିକାଙ୍କୁ ସାଙ୍ଗରେ ନେଇଥିଲେ । ଏହପରେ ଏକ କ୍ଷେତକୁ ନେଇ ତା ସହ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ନାବାଳିକାଙ୍କୁ ସେଠାରେ ଛାଡ଼ି ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇଥିଲେ ।
କୌଣସି ପ୍ରକାରେ ପୀଡ଼ିତା ନାବାଳିକା ଜଣକ ଘରେ ପହଞ୍ଚିଥିଲେ । କିନ୍ତୁ ତାଙ୍କ ସହ ଘଟିଥିବା ଘଟଣା ନେଇ ସେ ପରିବାର ଲୋକଙ୍କୁ ଜଣାଇନଥିଲେ । କିଛି ସମୟ ପରେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାପରେ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ କହିଥିଲେ । ଏହାପରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଥିଲେ । ମାର୍ଚ୍ଚ ୧୧ ତାରିଖରେ ଜୁନାବାଇ ଥାନାରେ ଏହି ଘଟଣା ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ପୀଡ଼ିତାଙ୍କ ଚିକିତ୍ସା ପରେ ତାଙ୍କ ଅଭିଯୋଗ ଅନୁଯାୟୀ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅନ୍ୟପଟେ ପୋଲିସ ଅଧିକାରୀ ଆଲୋକ କୁମାର ସିଦ୍ଧୁ କହିଛନ୍ତି, ଏହି ମାମଲାରେ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଧାରା ୩୭୬ ଡି ଏବଂ ପୋକ୍ସୋ ଆକ୍ଟ ଆଧାରରେ ଗିରଫ କରାଯାଇ ତଦନ୍ତ ଚାଲିଛି । ଏଥିସହ ଉଭୟଙ୍କୁ କିଶୋର ନ୍ୟାୟାଳୟ ପଠାଯାଇଛି ।
ପ୍ରକାଶ ଥାଉକି, ଦୁଇ ଦିନ ପୂର୍ବେ ଉତ୍ତରପ୍ରଦେଶ କୁଶିନଗର ଜିଲ୍ଲାର କପ୍ତାନଗଞ୍ଜ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । ଜଣେ ୪ ବର୍ଷୀୟା ଶିଶୁକନ୍ୟାକୁ ୧୬ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ନାବାଳକ ପୀଡିତାଙ୍କ ପଡୋଶୀ ଅଟେ । ମାସକ ତଳେ ସେ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲା । ହେଲେ ଗାଁଲୋକେ ପୀଡିତା ପରିବାର ଲୋକଙ୍କ ଉପରେ ଚାପ ପକାଇ ମାମଲାକୁ ରଫଦଫା କରିଦେଇଥିଲେ । ହେଲେ ମାସ ନପୁରୁଣୁ ପୁଣିଥରେ ପଡୋଶୀ ନାବାଳକା ସହ ଦୁଷ୍କର୍ମ କରିଥିଲା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।