କୋଲକାତା: ୧୪୪ଟି ୱାର୍ଡରେ ହୋଇଥିବା ପଶ୍ଚିମବଙ୍ଗ ପୌର ନିର୍ବାଚନର (Kolkata Municipal Corporation) ନେତାଜୀ ଇନ୍ଦୋର ଷ୍ଟାଡିୟମରେ ଆଜି ଗଣତି ଆରମ୍ଭ ହୋଇଛି । ସକାଳ ୮ ଟାରୁ ଭୋଟ ଗଣତି ଜାରି ରହିଛି । ଯାହା ଅନୁମାନ କରାଯାଉଥିଲା ତାହା ହିଁ ହୋଇଛି । ନୂତନ ବୋର୍ଡ ଗଠନ ପାଇଁ ହୋଇଥିବା ନିର୍ବାଚନରେ ତୃଣମୂଳ କଂଗ୍ରେସ (TMC) ବିଶାଳ ବିଜୟ ହାସଲ କରିବାକୁ ଯାଉଛି । ୧୦୮ଟି ସିଟରେ ଆଗରେ ଚାଲିଛି ଟିଏମସି ।
ପ୍ରଥମ ଦେଢଘଣ୍ଟା ଗଣନା ପରେ କେଏମସି ଅଧୀନରେ ସମୁଦାୟ ୧୪୪ ୱାର୍ଡରେ ୧୦୮ ସିଟ ହାତେଇଛି ଟିଏମସି । ଯାହା ଟିଏମସିର ବିଶାଳ ବିଜୟ ସଙ୍କେତ ଦେଇଛି । ବିଜେପି ୪ଟି ୱାର୍ଡ ବିମପନ୍ଥୀ ୨ଟି କଂଗ୍ରେସ ଦୁଇଟି ଓ ସ୍ବାଧୀନ ଗୋଟିଏ ସିଟ ହାତେଇଛି । ତୃଣମୂଳ କଂଗ୍ରେସ ହେଭିୱେଟ ନେତା ଫ୍ରିହାଦ ହାକିମ, ଦେବଶିଷ କୁମାର, ମାଲା ରୟ ଏବଂ ପରେଶ ପାଲ ପ୍ରମୁଖ ଅଛନ୍ତି। ହାକିମ ପୁଣି ଥରେ କେଏମସିର ମେୟର ବୋଲି ଅନୁମାନ କରାଯାଉଛି । ଭୋଟ ଗଣନା ଆରମ୍ଭ ପରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ଅପରାହ୍ନ ୩ଟା ସୁଦ୍ଧା ଗଣନା ଚିତ୍ର ସ୍ପଷ୍ଟ ହୋଇଯିବ ।
୨୦୧୫ କୋଲକାତା ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ଟିଏମସି ୧୧୪ ୱାର୍ଡ, ବାମପନ୍ଥୀ ୧୫ ,ବିଜେପି ୬ଟି ୱାର୍ଡ, କଂଗ୍ରେସ ୫ଟି ଓ ଅନ୍ୟାନ୍ୟ ୩ଟି ୱାର୍ଡରେ ଜିତିଥିଲେ । ଚଳିତ ବର୍ଷ ନିର୍ବାଚନରେ ଟିଏମସି ତାର ଧାରା ବଜାୟ ରଖିଛି । ବିପୁଳ ଭୋଟରେ ବିଜୟୀ ହେବା ନେଇ ଆଶା କରାଯାଉଛି ।
ପ୍ରକାଶ ଥାଉ କି, ଡିସେମ୍ବର ୧୯ ତାରିଖରେ ଅଭିଯୋଗ ପାଲଟା ଅଭିଯୋଗ ଭିତରେ ପଶ୍ଚିମବଙ୍ଗରେ ପୌର ନିର୍ବାଚନ ଶେଷ ହୋଇଥିଲା । ୧୪୪ଟି ୱାର୍ଡରେ ଆପାତତଃ ୭୨ ପ୍ରତିଶତ ମତଦାନ ହୋଇଥିଲା । ୪ ହଜାର ୯୫୯ ବୁଥରେ ୧ ହଜାର ୯୭୦ଟି ଭୋଟ କେନ୍ଦ୍ର ରହିଥିଲା । ଭୋଟ ଗ୍ରହଣ ସମୟରେ ସମସ୍ତ ସହରକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା ।
ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ