ଲକ୍ଷ୍ନୌ: ନିଜ ବୟାନ ପାଇଁ ଅଧିକାଂଶ ସମୟ ବିବାଦରେ ରହୁଥିବା ଉତ୍ତର ପ୍ରଦେଶର ବିଜେପି ସାଂସଦ ସାକ୍ଷୀ ମହାରାଜ ଏବେ ପୁଣି ନିଜର ଏକ ବୟାନ ପାଇଁ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ଅପରାଧୀଙ୍କ ପାଇଁ ଗୁଳି, ଲାଠି ଓ ବୁଲଡୋଜର ହିଁ ଉପଚାର ବୋଲି କହିଛନ୍ତି ସାଂସଦ ସାକ୍ଷୀ । ଝାଡଖଣ୍ଡର ଗିରିଡିହରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସାକ୍ଷୀ ମହାରାଜ ପ୍ରେସମିଟକୁ ସମ୍ବୋଧିତ କରି ଏହି ବୟାନ ଦେଇଛନ୍ତି ।
ସାଂସଦ ସାକ୍ଷୀ କହିଛନ୍ତି, ଅପରାଧୀଙ୍କ ପାଇଁ କେବଳ ଗୁଳି, ବାଡି ଓ ବୁଲଡୋଜରର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଏବଂ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଉତ୍ତମ କାର୍ଯ୍ୟ କରୁଛନ୍ତି । ସେହିପରି ସେ ଉତ୍ତର ପ୍ରଦେଶରେ ମାଫିଆରାଜ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିଲେ । ଯୋଗୀ ଆଦିତ୍ୟନାଥଙ୍କୁ ବାବା ସମ୍ବୋଧନ କରି ସାକ୍ଷୀ ମହାରାଜ କହିଥିଲେ, ବାବାଙ୍କର ବୁଲଡୋଜର ଭୟରେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ପାଳିଥିବା ଗୁଣ୍ଡାଙ୍କ ପ୍ରଭାବ ହ୍ରାସପାଇଛି । ସେହିପରି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନଙ୍କୁ ମଧ୍ୟ ସମାଲୋଚନା କରିଥିଲେ ।
ସେହିପରି ସେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଉପରେ ମଧ୍ୟ ଶାଣିତ ଆକ୍ରମଣ କରିଛନ୍ତି । କହିଛନ୍ତି, ଦେଶକୁ ବିଭାଜନ କରିଥିବା କଂଗ୍ରେସ ଏବେ ଭାରତ ଯୋଡୋ ଯାତ୍ରା ବାହାର କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶ ଗସ୍ତ କରି ସେଠାରେ ମଧ୍ୟ ଦେଶ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ରାହୁଲଙ୍କର ଏପରି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରଦ୍ରୋହ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ସାକ୍ଷୀ ମହାରାଜ । ସଂସଦରେ ବିରୋଧରେ ଚର୍ଚ୍ଚା ନୁହେଁ କେବଳ ହଟ୍ଟଗୋଳ କରିବାକୁ ଉଦ୍ଦେଶ୍ୟ ରଖିଥିବା ସାକ୍ଷୀ କହିଥିଲେ ।
ସେହିପରି ଆସନ୍ତାବର୍ଷ ହେବାକୁ ଥିବା 2024 ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ । ବିଜେପି ଏଥର 350ରୁ ଅଧିକ ଆସନ ଜିତିବା ନେଇ ସେ ପୂର୍ବାନୁମାନ କରିଛନ୍ତି । ସେହିପରି ଝାଡଖଣ୍ଡରେ ମଧ୍ୟ ତାଙ୍କ ଦଳ 14ରୁ ଅଧିକ ଆସନ ଜିତିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗରେ ପୁରା ଦେଶ ରହିଛି । ଏଥର ମଧ୍ୟ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବା ନେଇ ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ