ନୂଆଦିଲ୍ଲୀ: ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏଣିକି ୨୮ ଦିନ ବଦଳରେ ମିଳିବ ୩୦ ଦିନିଆ ରିଚାର୍ଜ ବୈଧତା । ଟେଲିକମ୍ କମ୍ପାନୀଗୁଡିକୁ ୩୦ ଦିନର ବୈଧତା ଥିବା ରିଚାର୍ଜ ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦେଇଛି ଟ୍ରାଇ । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ(TRAI) ପକ୍ଷରୁ ମୋବାଇଲ ଗ୍ରାହକଙ୍କ ସୁବିଧା ପାଇଁ ଏହି ନୂଆ ଗାଇଡଲାଇନ ଜାରି ହୋଇଛି ।
TRAI କହିଛି, ଅତିକମ୍ରେ ଟେଲିକମ୍ କମ୍ପାନୀମାନେ ଗୋଟିଏ ପ୍ଲାନ ଭାଉଚର, ଗୋଟିଏ ସ୍ପେଶାଲ ଟାରିଫ୍ ଭାଉଚର ଏବଂ ଗୋଟିଏ କମ୍ବୋ ଭାଉଚର ଆଣିବେ, ଯାହାର ବୈଧତା ୩୦ ଦିନ ରହିବ । ୨୮ ଦନିର ବୈଧତା ପ୍ଲାନ ବଦଳରେ ୩୦ ଦିନିଆ ପ୍ଲାନ ଆଣିବାକୁ ଉପଭୋକ୍ତାଙ୍କ ପକ୍ଷରୁ ଦାବି କରାଯାଇଥିଲା । ଉପଭୋକ୍ତାଙ୍କ ହିତ ଦୃଷ୍ଟିରେ ଏହି ପଦକ୍ଷେପ ନେଇଛି ଟ୍ରାଇ ।
ଟେଲିକମ୍ ଟାରିଫ ୬୬ ଆମେଣ୍ଟମେଣ୍ଟ ଅର୍ଡର ୨୦୨୨ ଅନୁଯାୟୀ, ମୋବାଇଲ ଫୋନ ୟୁଜର୍ସଙ୍କୁ ରିଚାର୍ଜ ପ୍ଲାନର ବହୁଗୁଡିଏ ବିକଳ୍ପ ମିଳିବ । ଏଥିରେ ୩୦ ଦିନିଆ ବୈଧତା ବିଶିଷ୍ଟ ରିଚାର୍ଜ ପ୍ଲାନ ବିକଳ୍ପ ମଧ୍ୟ ରହିବ । ପ୍ରକାଶଥାଉ କି, ଏବେ ଟେଲିକମ୍ କମ୍ପାନୀଗୁଡିକ ୨୮ ଦିନ ଏବଂ ୨୪ ଦିନିଆ ରିଚାର୍ଜ ପ୍ଲାନ ଦେଉଛନ୍ତି । ମାସିକ ଯୋଜନାରେ ରିଚାର୍ଜ କଲେ କେତେକ କ୍ଷେତ୍ରରେ ଗ୍ରାହକମାନଙ୍କୁ ୧୩ ଥର ରିଚାର୍ଜ କରିବାକୁ ପଡୁଛି । ଏଥିପାଇଁ ଉପଭୋକ୍ତା ଠକାମିର ଶିକାର ହେଉଥିବା ନେଇ ଟ୍ରାଇ ନିକଟରେ ଅଭିଯୋଗ ହୋଇଥିଲା । ଏହିସବୁ ଅଭିଯୋଗକୁ ବିଚାର କରି ଟେଲିକମ୍ କମ୍ପାନୀଙ୍କୁ ଟ୍ରାଇ ୩୦ ଦିନିଆ ବୈଧତା ଥିବା ରିଚାର୍ଜ ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦେଇଛି ।