ଶ୍ରୀନଗର: ପୁଲୱାମା ଗୁଳି ବିନିମୟରେ ଭାରତୀୟ ଯବାନଙ୍କୁ ସଫଳତା । ଏନକାଉଣ୍ଟରରେ ନିହତ ହୋଇଛି ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ କମାଣ୍ଡର । ତେବେ ଏ ସମ୍ପର୍କରେ ଭାରତୀୟ ସେନାର 15 ତମ କର୍ପସର ଲେଫ୍ଟନାଣ୍ଟ ଜେନେରାଲ ଦେବିନ୍ଦର ପ୍ରତାପ ପାଣ୍ଡେ ସୂଚନା ଦେଇଛନ୍ତି ।
ପାକିସ୍ତାନୀ ଆତଙ୍କବାଦୀ ଲାମ୍ବୁ(Lamboo) ଦକ୍ଷିଣ କାଶ୍ମୀର ଅଞ୍ଚଳରେ ତା'ର କିଛି ସାଥୀଙ୍କ ସହିତ ଲୁଚି ରହିଥିଲା । ସେ ଏହି ଅଞ୍ଚଳରେ କିଛି ଦିନ ଧରି ସକ୍ରିୟ ରହିଥିଲା । ତେବେ ତାକୁ ଧରିବା ପାଇଁ ଗତ ଜୁଲାଇ ୨୭ ତାରିଖଠାରୁ ଅପରେସନ ଆରମ୍ଭ ହୋଇଥିଲା । ତେବେ ଆଜି(ଶନିବାର) ସକାଳ ସମୟରେ ଏହି ଆତଙ୍କବାଦୀକୁ ଠାବ କରିବା ପରେ ଗୁଳି ବର୍ଷଣ ହୋଇଥିଲା । ଏହି ସମୟରେ ଜୈଶ-ଇ-ମହମ୍ମଦର IED ଏକ୍ସପର୍ଟର ମଧ୍ୟ ମୃତ୍ୟୁ ଘଟିଛି । ଏହି ଆତଙ୍କବାଦୀ ମଧ୍ୟ ବିଭିନ୍ନ ଆକ୍ରମଣରେ ସାମିଲ ଥିଲା ଏବଂ କିଛି ଯୁବକଙ୍କୁ ପ୍ରବର୍ତ୍ତାଇ ସଙ୍ଗଠନରେ ସାମିଲ କରିବା ସହିତ ତାଙ୍କୁ ଅସ୍ତ୍ରଶସ୍ତ୍ର ପଠାଉଥିଲା ।
ନିହତ ହୋଇଥିବା ଲାମ୍ବୁ ସଙ୍ଗଠନର ମୁଖ୍ୟ ମାସୁଦ ଅଜହରର ସମ୍ପର୍କୀୟ ବୋଲି ଜଣାପଡିଛି । ଏହା ବିରୋଧରେ ୧୪ଟି ମାମଲା ରହିଛି । ଲେଥପୋଡା ଫିଦାୟେଁ ଆକ୍ରମଣରେ ଲାମ୍ବୁ ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡିଛି । ଏହାସହିତ ଶହୀଦ ହୋଇଥିବା ପୋଲିସ ଅଫିସର ଫୟାଜ ଅହମ୍ମଦ, ତାଙ୍କ ପତ୍ନୀ ଓ ଝିଅଙ୍କ ମୃତ୍ୟୁର କାରଣ ମଧ୍ୟ ସାଜିଥିଲା ଲାମ୍ବୁ । କିଛି ମହିଳା ଓ ଶିଶୁଙ୍କ ମାରିଦେବାର ଧମକ ଦେଇ ଲାମ୍ବୁ ପୂର୍ବରୁ ଅନେକ ଥର ଖସିଯାଇଥିଲା । ତେବେ ଏହି ଥର ବିପୁଳ ମାତ୍ରାରେ ସୁରକ୍ଷାକର୍ମୀ ମୁତୟନ ଥିବାରୁ ଏପରି କରିବାରେ ସେ ବିଫଳ ହୋଇଥିଲା । ଅପରେସନ ପରେ ସେଠାରୁ M-4 କାରବିନ ରାଇଫଲ, ଗ୍ଲକ ପିସ୍ତଲ, AK-47 ରାଇଫଲ ଆଦି ଜବତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ