ନୂଆଦିଲ୍ଲୀ: ଭାରତ ଗଣତନ୍ତ୍ରର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତିତ୍ବ ହେଲେ ଭିମରାଓ ରାମଜୀ ଆମ୍ବେଦକର (Bhimrao Ramji Ambedkar ) । ତାଙ୍କୁ ଆଧୁନିକ ଭାରତର ମୁଖ୍ୟବିନ୍ଧାଣୀ ଭାରତୀୟ ସମ୍ବିଧାନର ଜନକ ବୋଲି କୁହାଯାଏ । ସମ୍ବିଧାନ ପ୍ରଣେତା ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଆଜି ୬୫ତମ ଶ୍ରାଦ୍ଧବାର୍ଷିକୀ (BR Ambedkar Death Anniversary)। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ସଂସଦୀୟ ସଦ୍ୟସମାନେ ସଂସଦରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
1891 ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ ଆମ୍ବେଦକର । ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ, ରାଜନେତା ତଥା ସାମାଜିକ ସଂସ୍କାରକ ଥିଲେ ସେ । ଆମ୍ବେଦକରଙ୍କୁ ବାବାସାହେବ ଭାବେ ସମସ୍ତେ ଜାଣନ୍ତି । ତାଙ୍କୁ ସମ୍ବିଧାନ ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବୋଲି ମଧ୍ୟ କୁହାଯାଏ । ୧୯୫୬ ମସିହା ଆଜିର ଦିନରେ ମହାନ ବ୍ୟକ୍ତିତ୍ବଙ୍କୁ ହରାଇଥିଲା ଦେଶ । ଆଜି ଜନନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ସାରା ଦେଶ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛି ।
ଦେଶର ସମ୍ବିଧାନ ପ୍ରଣୟନରେ ସମାନତା, ବନ୍ଧୁତ୍ବ ଓ ମାନବତା ଆଧାରିତ ଭାରତୀୟ ସମ୍ବିଧାନକୁ 2 ବର୍ଷ 11 ମାସ 18 ଦିନରେ ପ୍ରସ୍ତୁତ କରିବାରେ ବାବା ସାହେବଙ୍କ ଭୂମିକା ଅତୁଳନୀୟ, ଅବର୍ଣ୍ଣନୀୟ । ଆମ୍ବେଦକର ସର୍ବଦା ନ୍ୟାୟ ଏବଂ ସମାନତା ଉପରେ ଆଧାରିତ ଏକ ସମାଜ ପାଇଁ ଉଦ୍ୟମ କରିଥିଲେ। ତାଙ୍କ ଦୃଷ୍ଟିକୋଣ ଓ ଆଦର୍ଶକୁ ଅନ୍ୟଙ୍କ ପାଇଁ ସର୍ବତା ପ୍ରେରଣା । ବାବା ସାହେବ ମାତ୍ର 65 ବର୍ଷରେ ଦେଶକୁ ସାମାଜିକ, ଆର୍ଥିକ, ରାଜନୈତିକ, ଧାର୍ମିକ, ସାଂସ୍କୃତିକ ଓ ସାମ୍ବିଧାନିକ କ୍ଷେତ୍ରରେ ଆଗକୁ ନେଇଥିଲେ । ଆମ୍ବେକରଙ୍କ କାର୍ଯ୍ୟ ପାଇଁ ତାଙ୍କୁ ୧୯୯୦ରେ ଭାରତର ସର୍ବୋଚ୍ଚ ନାଗରିକ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଆମ୍ବେଦକର କହିଥିବା କଥା...
- ଯେ ପର୍ଯ୍ୟନ୍ତ ତୁମେ ସାମାଜିକ ସ୍ବାଧୀନତା ହାସଲ କରିନାହଁ, ଆଇନ ଅନୁଯାୟୀ ଯାହା ବି ସ୍ବାଧୀନତା ପ୍ରଦାନ କରାଯାଇଛି ତାର କିଛି ଲାଭ ନାହିଁ ।
- ମୁଁ ଧର୍ମକୁ ପସନ୍ଦ କରେ ଯାହା ସ୍ବାଧୀନତା, ସମାନତା ଏବଂ ଭ୍ରାତୃତ୍ବର ଶିକ୍ଷା ଦିଏ ।
- ଜୀବନ ଲମ୍ବା ଅପେକ୍ଷା ମହାନ ହେବା ଉଚିତ୍ ।
- ଧର୍ମ ମୁଖ୍ୟତଃ କେବଳ ନୀତିର ବିଷୟ ହେବା ଆବଶ୍ୟକ । ଏହା ନିୟମର ବିଷୟ ହୋଇପାରିବ ନାହିଁ । ଏହି ନିୟମରେ ପରିଣତ ହେବା କ୍ଷଣି ଏହା ଏକ ଧର୍ମ ହେବା ବନ୍ଦ କରିଦିଏ, କାରଣ ଏହା ଦାୟିତ୍ବକୁ ହତ୍ୟା କରେ ।
- ଏକ ବୁନ୍ଦା ଜଳ ଯାହା ସମୁଦ୍ରରେ ମିଶିଲେ ନିଜର ପରିଚୟ ହରାଏ, ମଣିଷ ରହୁଥିବା ସମାଜରେ ନିଜର ସ୍ଥିତି ହରାଇବା କଥା ନୁହେଁ । ମଣିଷର ଜୀବନ ସ୍ବାଧୀନ ଅଟେ | ସେ କେବଳ ସମାଜର ବିକାଶ ପାଇଁ ନୁହେଁ, ବରଂ ନିଜ ଆତ୍ମାର ବିକାଶ ପାଇଁ ଜନ୍ମଗ୍ରହଣ କରିଛି ।
- ଗଣତନ୍ତ୍ର କେବଳ ସରକାରଙ୍କ ଏକ ରୂପ ନୁହେଁ। ଏହା ଜୀବନର ଏକ ଧାରା ଓ ଅଭିଜ୍ଞତା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ