କୋଲକାତା: ପୂର୍ବତନ ରେଳ ମନ୍ତ୍ରୀ ତଥା ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ମୁକୁଲ ରୟ ନିଖୋଜ । ଗତକାଲି(ସୋମବାର) ସନ୍ଧ୍ୟାରୁ ମୁକୁଲ ରୟ ନିଖୋଜ ଥିବା ଅଭିଯୋଗ ହୋଇଛି । ବରିଷ୍ଠ ଟିଏମସି ନେତାଙ୍କ ପୁଅ ସୁଭ୍ରାଗଶୁ ବାପାଙ୍କ ନିଖୋଜ ସମ୍ପର୍କରେ ଦାବି କରିଛନ୍ତି । ତାଙ୍କର କହିବା ଅନୁସାରେ, ଗତକାଲି ସନ୍ଧ୍ୟାରେ ମୁକୁଲ ଇଣ୍ଡିଗୋ ବିମାନ GE-898 ଯୋଗେ ଦିଲ୍ଲୀ ଯିବା ପାଇଁ ଘରୁ ବାହାରିଥିଲେ । ବିମାନ ରାତି ୯ଟା ୫୫ ମିନିଟରେ ରାଜଧାନୀରେ ଅବତରଣ କରିବାର ଥିଲା । ହେଲେ ସେବେଠାରୁ ତାଙ୍କର ବାପାଙ୍କର କୌଣସି ଖୋଜ ଖବର ମିଳିନି ।
ସୁଭ୍ରାଗଶୁ ପିଟିଆଇକୁ କହିଛନ୍ତି ଯେ, ତାଙ୍କ ବାପା ମୁକୁଲ ରୟଙ୍କ କୌଣସି ଖୋଜ ଖବର ମିଳୁନି । ସୋମବାର ସନ୍ଧ୍ୟାରୁ ସେ ନିଖୋଜ ଅଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ସହ ଯୋଗାଯୋଗ ହୋଇପାରିନି । ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ମୁକୁଲ ରୟଙ୍କ ନିଜ ପୁଅ ସହ ଝଗଡା ହୋଇଥିଲା । ଏହାପରଠୁ ସେ ନିଖୋଜ ଅଛନ୍ତି । ଏହି ଭେଟେରାନ ରାଜନେତାଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସହ ଯୁଝି ହେଉଛନ୍ତି । ଗତ ଫେବୃଆରୀରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ।
ଏହାମଧ୍ୟ ପଢନ୍ତୁ: India Steel 2023: ଉଦଘାଟନ କରିବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ
ମୁକୁଲ ରୟଙ୍କ ପୁଅ ଦାବି କରିଛନ୍ତି ଯେ, ତାଙ୍କର ପରିବାର ପକ୍ଷରୁ ବାପାଙ୍କ ନିଖୋଜ ନେଇ ବିମାନ ବନ୍ଦର ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି । ହେଲେ ଏ ପର୍ଯ୍ୟନ୍ତ ସେମିତି କିଛି ଅଭିଯୋଗ ମିଳିନଥିବା ପୋଲିସ କହିଛି । ପ୍ରକାଶଥାଉ କି, ୬୮ ବର୍ଷୀୟ ମୁକୁଲ ରୟ ୨୦୧୭ ମସିହାରେ ତୃଣମୂଳ କଂଗ୍ରେସ(TMC) ଛାଡି ବିଜେପିରେ ଯୋଗ ଦେଇଥିଲେ । ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ହେଲେ ଦଳୀୟ ନେତୃବୃନ୍ଦଙ୍କ ସହ ମତଭେଦ ଯୋଗୁଁ ପୁଣିଥରେ ସେ ବିଜେପି ଛାଡି ଟିଏମସିରେ ମିଶିଥିଲେ । ମୁକୁଲ ରୟ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ନଦିଆ ଜିଲ୍ଲାର କ୍ରିଷ୍ଣାନଗର ଉତ୍ତର ବିଧାନସଭା ଆସନରୁ ଲଢି ବିଜୟୀ ହୋଇଥିଲେ । ଏହାପରେ ସେ ଟିଏମସିକୁ ଫେରିବା ନେଇ ଘୋଷଣା କରିଥିଲେ ।
ଏହାମଧ୍ୟ ପଢନ୍ତୁ: ୟୁପି ଗ୍ୟାଙ୍ଗଷ୍ଟର ଭାଇଙ୍କ ହତ୍ୟା ମାମଲା: ଘରଛାଡି ପଳାୟନ କରୁଛନ୍ତି ସୁଟରଙ୍କ ପରିବାର