ନୂଆଦିଲ୍ଲୀ: ଲଦାଖରେ ୩ ମାସ ସମୟ କାଟିବା ପରେ ଏବେ ଦିଲ୍ଲୀ ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା । ୩ ବର୍ଷ ପରେ ଦିଲ୍ଲୀ ଆସୁଛନ୍ତି ଲାମା । ଲଦାଖ ବୁଦ୍ଧିଷ୍ଟ ଆସୋସିଏସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦଲାଇଲାମା ଆସନ୍ତାକାଲି (ଶୁକ୍ରବାର) ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ତେବେ ଏହି ଗସ୍ତ ଅବଧି ମଧ୍ୟରେ ତାଙ୍କର କାର୍ଯ୍ୟସୂଚୀ କିମ୍ବା କାହା ସହ ସାକ୍ଷାତକାର ନେଇ ସୂଚନା ସ୍ପଷ୍ଟ ହୋଇନାହିଁ ।
ବୁଦ୍ଧିଷ୍ଟ ସଙ୍ଘ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ଆସନ୍ତାକାଲି (ଶୁକ୍ରବାର) ଠାରୁ ଲାମା ଦିଲ୍ଲୀ ଅଭିମୁଖେ ବିମାନରେ ଯାତ୍ରା କରିବେ । ଲେହର କେବିଆର ବିମାନ ବନ୍ଦରରୁ ସେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବେ । ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଚଳିତବର୍ଷ 87 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଲାଇଲାମାଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସହ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ବାର୍ତ୍ତା ଜଣାଇଥିବା ନିଜେ ଟ୍ବିଟରେ ସୂଚନା ଦେଇଥିଲେ ।
ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚୀନ ସମାଲୋଚନା କରିଥିଲା । ଭାରତ-ତିବ୍ବତ ସମ୍ପର୍କିତ ପ୍ରସଙ୍ଗ ମାଧ୍ୟମରେ ଚୀନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରୁ ବୋଲି ବେଜିଂ କହିଥିଲା । ବେଜିଂର ଏପରି ହୀନ ମନ୍ତବ୍ୟକୁ କଡା ନିନ୍ଦା କରିଥିଲା ନୂଆଦିଲ୍ଲୀ । ଦଲାଇଲମା ଭାରତର ଅତିଥି ଓ ତାଙ୍କୁ ଆତିଥ୍ୟ ଦେବା ଭାରତର କର୍ତ୍ତବ୍ୟ ବୋଲି କହିଥିଲା ବୈଦେଶିକ ମନ୍ତ୍ରଣାଳୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ