ରାୟପୁର: ଛତିଶଗଡରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର । ନକ୍ସଲଙ୍କ ଗୁଳିରେ 3 ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ସୂଚନା ମିଳିଛି । ଛତିଶଗଡର ସୁକୁମା ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ତିନି ଶହୀଦ ଯବାନ ହେଉଛନ୍ତି ଏଏସଆଇ ରାମୁରାମ ନାଗ, ଆସିଷ୍ଟାଣ୍ଟ କନଷ୍ଟେବଳ କୁଞ୍ଜାମ ଯୋଗା ଏବଂ ସୈନିକ ଭଞ୍ଜମ ଭୀମା । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଜାଗରଗୁଣ୍ଡା ଏବଂ କୁଣ୍ଡେଡରେ ଡିଆରଜି ଟିମ ସର୍ଚ୍ଚ ଅପେରସନ କରୁଥିବା ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଶେଷରେ ନକ୍ସଲଙ୍କ ଗୁଳିରେ 3 ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଗତ 21 ତାରିଖରେ ଜଣେ ହେଡ କନେଷ୍ଟବଳଙ୍କୁ ଘରେ ପଶି ହତ୍ୟା କରିଥିଲେ ନକ୍ସଲ । ବିଜାପୁର ଜିଲ୍ଲା ଭୈରମଗଡ ପୋଲିସ ଷ୍ଟେସନ ଅନ୍ତର୍ଗତ କାଦେନାର ଠାରେ ପୋଲିସ କର୍ମୀଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରାଯାଇଥିବା ହେଡ କନେଷ୍ଟବଳ ହେଉଛନ୍ତି ପିଣ୍ଡିରାମ ଭେଟି । ସେ ତାଙ୍କ ଭାଇଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କାଦେନାର ଗ୍ରାମକୁ ଯାଇ ଫେରୁଥିବା ବେଳେ ନକ୍ଲ ମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିଲେ।
ଏହା ପୂର୍ବରୁ ଛତିଶଗଡର ରାଜନନ୍ଦଗାଓଁରେ ନକ୍ସଲଙ୍କ ଗୁଳିରେ ଦୁଇ ଯବାନ ଶହୀଦ ହୋଇଥିଲେ । ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋଣ୍ଡିଆ ମହାରାଷ୍ଟ୍ରର ଚେକ୍ ପୋଷ୍ଟରେ ଡ୍ୟୁଟିରେ ଥିବାବେଳେ ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲେ ନକ୍ସଲ । ଦୁଇ ଶହୀଦ ଯବାନ ହେଉଛନ୍ତି ହାବିଲଦାର ରାଜେଶ ଏବଂ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଲଲିତ । ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋନ୍ଦିଆ ସୀମାରେ ଯବାନଙ୍କ ଦ୍ବାରା ମୋବାଇଲ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଥିଲା ।
ସେଠାରେ ଚେକିଂ ଜାରି ରହିଥିବା ବେଳେ ନକ୍ସଲ ଆସି ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ଯବାନ ଶହୀଦ ହୋଇଥିବା ସୂଚନା ମିଳିଥିଲା । ଏନେଇ ସୂଚନା ପାଇବା ମାତ୍ରେ ଏକ ସ୍ବତନ୍ତ୍ର ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇ ତଦନ୍ତ ଆରମ୍ଭ କରିଥିଲେ । ତେବେ ଲଗାତାର ଭାବେ ଲାଲବାହିନୀ ଏପରି କାଣ୍ଡ ଘଟାଉଥିବା ବେଳେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଗତ ଜାନୁଆରୀ 12 ତାରିଖରେ ଝାଡ଼ଖଣ୍ଡର ଚାଇବସା ସହରରେ ଆଇଡି ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ମାଓବାଦୀଙ୍କ ଦ୍ବାରା ଆଇଡି ବିସ୍ଫୋରଣ ହୋଇଥିବା କୁହାଯାଉଥିବା ବେଳେ 3 ଜଣ ସିଆରପିଏଫ(CRPF) ଯବାନ ଆହତ ହୋଇଥିଲେ ।