ମୁମ୍ବାଇ: ମହାରାଷ୍ଟ୍ରରେ ଦୁଃଖଦ ଘଟଣା । ବନ୍ଦ କାରରୁ ଉଦ୍ଧାର ହେଲା 3 ଶିଶୁଙ୍କ ମୃତଦେହ । ଖେଳୁ ଖେଳୁ କାର ଲକ କରି ଦେବାରୁ ଶ୍ବାସରୁଦ୍ଧ ହୋଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଖୋଜର ଗୋଟିଏ ଦିନ ପରେ ମୃତଦେହ ଉଦ୍ଧାର କଲା ପୋଲିସ । ମହାରାଷ୍ଟ୍ର ନାଗପୁର ପଞ୍ଚପାଭଲି ଅଞ୍ଚଳର ଫାରୁଖ ନଗରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଘର ଠାରୁ 50 ମିଟର ଦୂରରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଭାଇ ଉଭଣୀ ରହିଛନ୍ତି । ସମସ୍ତଙ୍କ ବୟସ 4ରୁ 6 ବର୍ଷ ହେବ । ତିନି ମୃତକ ହେଉଛନ୍ତି ତୌଫିକ ଫିରୋଜ ଖାନ, ଆଲିଆ ଫିରୋଜ ଖାନ ଓ ଆଫରିନ ଇସରାଦ ଖାନ।
ସୂଚନା ଅନୁସାରେ, ଗତ ଶନିବାର ଅପରାହ୍ନ 3ଟା ସମୟରେ ମୃତକ ତିନି ଜଣ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଖେଳିବାକୁ ଯାଇଥିବା ବେଳେ ତିନି ଶିଶୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ପଞ୍ଚପାଭଲି ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ସନ୍ଧ୍ୟା 7ଟା ପରେ ମଧ୍ୟ ତିନି ଶିଶୁ ଘରକୁ ନଫେରିବାରୁ ଏକ କେସ ରେଜିଷ୍ଟର କରିବାକୁ ପରିବାର ଲୋକେ ପୋଲିସକୁ କହିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ବେଳେ ଗତକାଲି (ରବିବାର) ସନ୍ଧ୍ୟା ସମୟରେ ଏକ ବନ୍ଦ କାରରୁ ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି । ବନ୍ଦ କାରଟି ମୃତକଙ୍କ ଘର ଠାରୁ ପ୍ରାୟ 50 ମିଟର ଦୂରରେ ରହିଥିଲା । କାର ଭିତରୁ ଡୋର ଲକ କରି ତିନି ଶିଶୁ ଖେଳୁଥିଲେ । ନିଶ୍ବାସ ନେବାରେ ଅସୁବିଧା ହେବାରୁ ଶ୍ବାସରୁଦ୍ଧ ହୋଇ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ତୌଫିକ ଫିରୋଜ ଖାନ ଓ ଆଲିଆ ଭାଇ ଭଉଣୀ ହୋଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ମୃତଦେହ ଉଦ୍ଧାର ପରେ ପୋଷ୍ଟମଟମ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା।
ଏହା ମଧ୍ୟ ପଢନ୍ତୁ-କାର ଭିତରେ ଖେଳିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ
ଗତ 17 ତାରିଖରେ କଟକରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା । କାର ଭିତରେ ଖେଳୁଥିବା ବେଳେ ଏକ ଶିଶୁର ଶ୍ବାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା । ମାହାଙ୍ଗା ସ୍ଥିତ ବରାହୀପୁର ଗ୍ରାମରେ ଏଭଳି ଅଘଟଣ ଘଟିଥିବା ସାମ୍ନାକୁ ଆସିଥିଲା । ସେହି ଗ୍ରାମର ସୁବାସ ସ୍ୱାଇଁଙ୍କ ଘର ସାମ୍ନାରେ ଛିଡା ହୋଇଥିବା ଏକ ଇନୋଭା କାରରେ ତାଙ୍କ ପୁଅ ସତ୍ୟବ୍ରତ ଖେଳୁଥିଲା । ଆଉ ଶେଷରେ ଗାଡି ଭିତରେ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଥିଲା ।