ହାଇଦ୍ରାବାଦ: ଉତ୍ତରାଖଣ୍ଡ ହଲଦଓ୍ବାନୀରେ ଜାରି ରହିଥିବା ରେଳବାଇ ଅଧିକୃତ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଖପ୍ପା ହେଲେ ସର୍ବୋଚ୍ଚ କୋର୍ଟ । ବିନା ଥଇଥାନରେ ସ୍ଥାନୀୟ ପ୍ରାଶାନସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇବା ରାତାରାତି ହଜାର ହଜାର ଲୋକଙ୍କୁ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏହାସହ ଉଚ୍ଛେଦ ଅଭିଯାନରେ ମଧ୍ୟ ରହିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ (Eviction in Uttarakhand Haldwani)।
ହଲଦଓ୍ବାନୀର ବାନଫୁଲପୁରାର ରେଳବାଇ ଜମିରେ ଦୀର୍ଘ ବର୍ଷ ଧରି ରହିଥିବା ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ସ୍ଥାନୀୟ ପ୍ରଶାସନ । ତେବେ ହାଇକୋର୍ଟରୁ ନିର୍ଦ୍ଦେଶ ପାଇବା ପରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ବିନା ଥଇଥାନରେ ହଜାର ହଜାର ଲୋକଙ୍କୁ ହଠାତ ଉଚ୍ଛେଦ କରିବାକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ସହ ପ୍ରଶାସନ ବିରୋଧରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା (Eviction in Uttarakhand Haldwani)।
ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ସଞ୍ଜୟ କିଷାନ କୌଲ, ଅଭୟ ଏସ.ଓକାଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାରେ ଖଣ୍ଡପୀଠ ରାତି ଅଧିଆ ବିନା ଥଇଥାନରେ ପ୍ରାୟ 50 ହଜାର ବସ୍ତି ବାସିନ୍ଦାଙ୍କୁ ହଠାତ ଉଚ୍ଛେଦ କରିବା ଘଟଣାରେ ଉଦବେଗ ପ୍ରକାଶ କରିବା ସହ ରେଳବାଇ ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସେହିପରି ଏହି ଉଚ୍ଛେଦ ଅଭିଯାନ ଉପରେ ମଧ୍ୟ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି ।
ଖଣ୍ଡପୀଠ କହିଥିଲେ,‘‘ରାତିରାତି 50 ହଜାର ଲୋକଙ୍କୁ ଉଚ୍ଛେଦ କରାଯାଇ ପାରିବନାହିଁ । ସେମାନେ ପ୍ରାୟ 60-70 ବର୍ଷ ଧରି ସେଠାରେ ରହି ଆସୁଛନ୍ତି । ରେଳବାଇକୁ ଅଧିକୃତ ଜମି ହସ୍ତାନ୍ତରଣ ଜରୁରୀ କିନ୍ତୁ ସେଠାରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ପ୍ରଥମେ ଥଇଥାନ କରିବା ପରେ ହିଁ ସ୍ଥାନୀୟ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ ।’’
ଏହି ମାମଲାରେ ରେଳବାଇ ପାଇଁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି ପକ୍ଷ ରଖିଥିଲେ । ଜବରଦଖଲକାରୀମାନେ ଥଇଥାନ ଦାବି କରିବା ପରିବର୍ତ୍ତେ ଏହା ସେମାନଙ୍କର ନିଜସ୍ବ ଜମି ବୋଲି ଦାବି କରୁଛନ୍ତି । ରେଳବାଇର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଅତିରିକ୍ତ ସଲିସିଟର ଜେନେରାଲ ତର୍କ ରଖିଥିଲେ । କୋର୍ଟ ରେଳବାଇକୁ ଜମି ଅକ୍ତିକାର କରିବା ପୂର୍ବରୁ ସେମାନଙ୍କ ଥଇଥାନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 7 ତାରିଖକୁ ଧାର୍ଯ୍ୟ କରିବା ସହ ଏହି ଅବଧି ମଧ୍ୟରେ ଉଚ୍ଛେଦ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ଖଣ୍ଡପୀଠ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ