ନୂଆଦିଲ୍ଲୀ: ଜମ୍ମୁର ନାଗ୍ରୋଟା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରକୁ ନେଇ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ଗୁରୁବାର ଦିନ ନାଗ୍ରୋଟା ଅଞ୍ଚଳରେ 4 ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲା ସୁରକ୍ଷାକର୍ମୀ। ଏହି ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ସଦସ୍ୟ ବୋଲି ଜଣା ପଡ଼ିଥିଲା। ଜମ୍ମୁର ବାନ ଟୋଲଗେଟ ନିକଟରେ ଗାଡ଼ି ଯାଞ୍ଚ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମୀ। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା।
ବୈଠକ ପରେ ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି ଯେ, "ଆମ ସୀମା ସୁରକ୍ଷାକର୍ମୀ ପୁଣି ଥରେ ଆଉ ବାହାଦୁର ଆଉ ସାହାସିକତା ପରାକ୍ରମ ଦେଖାଇଛନ୍ତି। ସୀମାରେ ସୁରକ୍ଷାକର୍ମୀଙ୍କ ପରାକ୍ରମ ଯୋଗୁଁ ଦେଶରେ ହେବାକୁ ଥିବା ଏକ ବଡ଼ ଧରଣର ଆକ୍ରମଣ ଯୋଜନା ବିଫଳ ହୋଇଛି। ନାଗ୍ରୋଟାରେ ସେନା ଗୁଳିରେ ଟଳି ପଡ଼ିଥିବା ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ। ସେମାନଙ୍କ ନିକଟରୁ ବିପୁଳ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ରରୁ ଜବତ ହୋଇଛି। ଜବତ ହୋଇଥିବା ବିସ୍ଫୋରକରୁ ଜଣା ପଡ଼ୁଛି ଯେ, ଆତଙ୍କବାଦୀଙ୍କ ଆଉ ଏକ ବିନାଶ ଯୋଜନା ବିଫଳ ହୋଇଛି।"
26/11 ଆକ୍ରମଣର ବାର୍ଷିକିକୁ ନେଇ ଦେଶରେ ଆଉ ଏକ ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ। ତେବେ ଆତଙ୍କବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ଏନେଇ ଏକ ସରକାରୀ ସୂତ୍ରରୁ ସୂଚନା ମିଳିଥିଲା। ତେବେ ବୈଠକ ପରେ ସୁରକ୍ଷାକର୍ମୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରଙ୍ଗଲା ଓ ଗୁଇନ୍ଦା ବିଭାଗ ଅଧିକାରୀ ଯୋଗ ଦେଇଥିଲେ।
ନଭେମ୍ବର 19 ତାରିଖରେ ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ପ୍ରାୟ 3 ଘଣ୍ଟା କାଳ ଗୁଳି ବିନିମୟ ହେବାପରେ 4 ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଆତଙ୍କବାଦୀ ଲୁଚି ରହିଥିବା ଟ୍ରକରୁ ବିପୁଳ ମାତ୍ରାରେ ବିସ୍ଫୋରକ ଜବତ ହୋଇଥିଲା। ଏହାପରେ ଜମ୍ମୁର ଆଇଜି(ig) ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଆଶଙ୍କା କରିଥିଲେ।
@ani