ନୂଆଦିଲ୍ଲୀ: ଜାନୁଆରୀ 16 ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ସମଗ୍ର 25 ଲକ୍ଷରୁ ଊର୍ଦ୍ଧ୍ବ ଆଗଧାଡିର କର୍ମୀଙ୍କୁ ଟିକା ଦିଆଯାଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଆଜି ଅପରାହ୍ନ 2ଟା ସୁଦ୍ଧା ଦେଶରେ 25 ଲକ୍ଷ 7 ହଜାର 5 ଶହ 56 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ଆଗ ଧାଡିର କର୍ମୀଙ୍କୁ ଟିକା ଦିଆଯାଇଥିବା ଜଣାପଡିଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଗତ 16 ତାରିଖରେ ଦେଶରେ ଟୀକାକରଣ ପ୍ରକ୍ରିୟାକୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ଦେଶବ୍ୟାପି 3374 କେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ପରେ ଏହି ସଂଖ୍ୟାକୁ 7764 କୁ ବୃଦ୍ଧି କରାଯାଇଥିଲା । ଜାନୁଆରୀ 16 ସୁଦ୍ଧା ପ୍ରାୟ 16 ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା 25 ଲକ୍ଷରେ ପହଞ୍ଚିଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ସାରା ବିଶ୍ବରେ 1 ମିଲିୟନ ଟିକା ପ୍ରଦାନ କରିବା କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । ମାତ୍ର 6 ଦିନ ମଧ୍ୟରେ 1 ମିଲିୟନରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ପ୍ରଦାନ କରିଛି ଭାରତ । ସମାନ ପରିମାଣର ଟୀକାକରଣ ପାଇଁ ଆମେରିକା 10 ଦିନ ସମୟ ନେଇଥିବା ବେଳେ ସ୍ପେନ 12 ଦିନ , ଇସ୍ରାଏଲ 14 ଦିନ ବ୍ରିଟେନ 18 ଦିନ ଓ ଇଟାଲି 19 ଦିନ ସମୟ ନେଇଥିବା ଜଣାପଡିଛି ।
ସେହିପରି ଭାରତରେ ହୋଇଥିବା ଟୀକାକରଣର ବିସ୍ତୃତ ତଥ୍ୟ ଦେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ ସର୍ବାଧିକ 83 ପ୍ରତିଶତ ଟୀକାକରଣ ହୋଇଥିବା ବେଳେ ଓଡିଶା 50 ପ୍ରତିଶତରୁ ଊର୍ଦ୍ଧ୍ବ ଟୀକାକରାଣ କରି ଦେଶରେ ଦିତ୍ବୀୟ ସ୍ଥାନରେ ରହିଛି । ଏହା ପଛକୁ ହରିୟାଣା ତୃତୀୟ ସ୍ଥାନରେ ରହିଛି ।
ତେବେ କୋଭିଡ ନେଇ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସଚିବ କହିଛନ୍ତି ଦେଶରେ 1 ଲକ୍ଷ 75 ହଜାର ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ଦୁଇ ରାଜ୍ୟରେ 40 ହଜାରରୁ ଊର୍ଦ୍ଧ୍ବ ସକ୍ରିୟ ମାମଲା ରହିଛି । କେରଳରେ 72 ହଜାର ସକ୍ରିୟ ମାମଲା ଥିବା ବେଳେ ଦିତ୍ବୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ 44 ହଜାର ସକ୍ରିୟ ମାମଲା ରହିଥିବା କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
8 ମାସ ପରେ ଦେଶରେ ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରେକର୍ଡ ହୋଇଥିବା ଜଣା ପଡିଛି । ଗତ 24 ଘଣ୍ଟାରେ ମାତ୍ର 125 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ।
ବ୍ୟୁର ରିପୋର୍ଟ, ଇଟିଭି ଭାରତ