ଶ୍ରୀନଗର: ଜମ୍ମୁ କାଶ୍ମୀର ସୋପରରେ ସୁରକ୍ଷାକର୍ମୀଙ୍କ ଗାଡିକୁ ଆତଙ୍କବାଦୀ ଆକ୍ରମଣ । 3 ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 2 ଜଣ ପୋଲିସ ଶହୀଦ ହୋଇଛନ୍ତି । ଖବର ଲେଖା ହେବା ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ଏହି ଆକ୍ରମଣରେ ଲସ୍କର-ଏ-ତୋଏବା ସଂପୃକ୍ତ ଥିବା କାଶ୍ମୀର ଆଇଜି କହିଛନ୍ତି ।
ଆଜି(ଶନିବାର) ସକାଳେ ଜମ୍ମୁ କାଶ୍ମୀର ବାରମୂଳା ଜିଲ୍ଲା ସୋପର ଟାଉନରେ ସୁରକ୍ଷାକର୍ମୀଙ୍କ ଗାଡି ଯାଉଥିବା ସମୟରେ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ । ମଧ୍ୟାହ୍ନ 12 ଟା ସମୟରେ ହୋଇଥିବା ଏହି ଆକ୍ରମଣରେ 3 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ 2 ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଛନ୍ତି । ସେହିପରି 7 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।
ଶହୀଦ ପୋଲିସ କର୍ମଚାରୀ ହେଲେ ଶ୍ରୀନଗର ନର୍ବାଲ ସ୍ବକେତ ଅହମ୍ମଦ ଏବଂ ବଡଗାମର ୱାସିମ ଅହମ୍ମଦ । ସେହିପରି ମୃତ ସାଧାରଣ ନାଗରିକଙ୍କ ମଧ୍ୟରୁ 2 ଜଣଙ୍କ ପରିଚୟ ମିଳିପାରି ଥିବାବେଳେ ଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସେମାନେ ହେଲେ ବାସିର ଅହମ୍ମଦ ଏଭଂ ମଞ୍ଜୁର ଅହମ୍ମଦ ଶଲା ।
ଅନ୍ୟପଟେ ଆହତ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ