ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁନର୍ବାର ଆତଙ୍କବାଦୀ ଆକ୍ରମଣ । ପୋଲିସ କର୍ମୀଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ବାରାଜୁଲ୍ଲା ଅଞ୍ଚଳରେ ଶୁକ୍ରବାର ସଶସ୍ତ୍ର ଆତଙ୍କବାଦୀ ଦିନ ଦ୍ବିପହରେ ଗୁଳି ଚଳାଇଥିଲେ । ଘଟଣାରେ 2 ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଶହୀଦ 2 ସୁରକ୍ଷାକର୍ମୀ ଜମ୍ମୁ କାଶ୍ମୀର ପୋଲିସର ବୋଲି ସୂଚନା । ବର୍ତ୍ତମାନ ଏହି ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଜାରି ରହିଛି ।
ଶହୀଦ ଦୁଇ ପୋଲସକର୍ମୀ ହେଉଛନ୍ତି ମହମ୍ମଦ ୟୁସୁଫ ଓ ସୁହୈଲ ଅହମ୍ମଦ । ଗୁରୁତର ଅବସ୍ଥାରେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ସୁରକ୍ଷାକର୍ମୀଙ୍କ ଦେହାନ୍ତ ହୋଇଛି ।
ପୋଲିସ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଆତଙ୍କାବାଦୀ ଏକେ-47 ହାତରେ ଧରି ଗୁଳି ଚଳାଉଥିବାର ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି ଏହି ସଶସ୍ତ୍ର ଆତଙ୍କବାଦୀ ମାର୍କେଟ ଭିତରେ ନଜର ଆସୁଛନ୍ତି । ଆତଙ୍କାବାଦୀଙ୍କ ପରିଚୟ ଏଯାଏଁ ମିଳିନି ।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ 2 ଜଣ ଆତଙ୍କବାଦୀ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି । ତେବେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଆତଙ୍କବାଦୀ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଜମ୍ମୁ କାଶ୍ମୀର ପୋଲିସ ସହିତ ସିଆରପିଏଫ ଓ ସେନାର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।