ଅମରାବତୀ: ଶିକ୍ଷାନୁଷ୍ଠାନରେ ରାଜନୀତି, ଶ୍ରେଣୀରେ ପ୍ରଥମ-ଦ୍ବିତୀୟକୁ ନେଇ ଜୀବନ ହାରିଦେଲେ ଜଣେ ଛାତ୍ରୀ । ରାଜନେତାଙ୍କ ପିଲା ଶ୍ରେଣୀରେ ପ୍ରଥମ ହେବେ, ଆଉ କେହି ନୁହେଁ ! ଏପରି କଥା ଶୁଣି ଆତ୍ମହତ୍ୟା କରିଦେଇଛନ୍ତି ଆନ୍ଧ୍ରପ୍ରଦେଶ ଚିତ୍ତୋରର ଏକ ଘରୋଇ ସ୍କୁଲର ଟପ୍ପର ଛାତ୍ରୀ ମିସବା ।
ମିସବା ଜଣେ ସଂଖ୍ୟାଲଘୁ ଶ୍ରେଣୀର ମଧ୍ୟବିତ୍ତ ପରିବାରର ଝିଅ । ତାଙ୍କ ବାପା ଠେଲା ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ମିସବା କିନ୍ତୁ ଜଣେ ମେଧାବୀ ଛାତ୍ରୀ । ତାଙ୍କର ଘରୋଇ ବିଦ୍ୟାଳୟରେ ପାଠ ପଢିବାରେ ଅହେତୁକ ଇଚ୍ଛା ଥିଲା । ବାପା ମଧ୍ୟ କଷ୍ଟେ ମଷ୍ଟେ ରୋଜଗାର କରି ଝିଅକୁ ପ୍ରାଇଭେଟ ସ୍କୁଲରେ ନାମ ଲେଖାଇଥିଲେ । ମିସବା ଭଲ ପାଠ ପଢିବା ସାଙ୍ଗକୁ ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ମଧ୍ୟ ହୋଇଥିଲେ ।
ମାତ୍ର ଟପ୍ପର ହେବା କାଳ ସାଜିଥିଲା ମିସବାଙ୍କ ପାଇଁ । ଶ୍ରେଣୀରେ ମିସବାଙ୍କ ସବୁବେଳେ ପ୍ରତିଦ୍ବନ୍ଦିତା କରୁଥିବା ତାଙ୍କର ସହପାଠୀ ରାଜ୍ୟର ଶାସକ ଦଳର ଜଣେ ରାଜନେତାଙ୍କ ସନ୍ତାନ । ମିସବା ଶ୍ରେଣୀରେ ଟପ୍ପର ହେବାକୁ ନେଇ ସମ୍ପୃକ୍ତ ରାଜନେତା ବିଦ୍ୟାଳୟର ସାରଙ୍କୁ ଧମକ ଦେବା ସହ ତାଙ୍କ ପିଲା ହିଁ ଟପ୍ପର ହେବେ ଆଉ କେହି ନୁହେଁ ବୋଲି କହିଥିଲେ । ଫଳରେ ସାର୍ ମିସବାଙ୍କୁ ଡାକି ସ୍କୁଲରୁ ସାର୍ଟିଫିକେଟ ନେଇ ଚାଲିଯିବାକୁ କହିଥିଲେ ।
ଏହା ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ମିସବା, ଆଉ ଶେଷରେ ନିଜ ଜୀବନ ମଧ୍ୟ ହାରି ଦେଇଛନ୍ତି । ପୋଲିସ ମୃତଦେହ ନିକଟରୁ ୨ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ପାଇଛି, ଯେଉଁଥିରେ ଆତ୍ମହତ୍ୟାର କାରଣ ଲେଖିଯାଇଛନ୍ତି ମିସବା । ଅନ୍ୟପଟେ ଘଟଣା ସାମ୍ନାକୁ ଆସିବା ପରେ ଚିତ୍ତୋର ଜିଲ୍ଲା ଶିକ୍ଷା ଅଧିକାରୀ ଜଣେ ସରକାରୀ ଶିକ୍ଷକ ଏବଂ ପାଲାମାନେରୁ ପ୍ରାଇଭେଟ ସ୍କୁଲ୍ କରେସପଣ୍ଡେଣ୍ଟଙ୍କୁ ନିଲମ୍ବନ କରିଛନ୍ତି ।
ବ୍ୟୁରେ ରିପୋର୍ଟ, ଇଟିଭି ଭାରତ