ହାଇଦ୍ରାବାଦ: ଆରମ୍ଭ ହୋଇସାରିଛି ପାର୍ବଣ ଋତୁ । ଶେଷ ହୋଇଛି ଗଣପତିଙ୍କ ପୂଜା । ପାର୍ବଣ ବେଳେ ସହରରେ ଦେବାଦେବୀଙ୍କ ପ୍ରତିମା ବିସର୍ଜନକୁ ନେଇ ବଡ ସମସ୍ୟା ହୋଇଥାଏ ସୃଷ୍ଟି । କେଉଁଠି ବିସର୍ଜନ ହେବ ତାହାକୁ ନେଇ ପ୍ରଶାସନ ଢେର ପ୍ରସ୍ତୁତ କରିଥାଏ ।
ଏପରି ସ୍ଥଳେ ଏବେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମୂର୍ତ୍ତି ବିସର୍ଜନକୁ ନେଇ ସୃଷ୍ଟି ହୋଇଛି ବଡ ସଂକଟ । କାରଣ ସହରରେ ୩୫ ହଜାରରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ଗଣପତି ପୂଜା ପାଉଥିବା ବେଳେ, ଏତେ ସଂଖ୍ୟକ ମୂର୍ତ୍ତି ବିସର୍ଜନ ପାଇଁ ଏବେ ସ୍ଥାନର ଅଭାବ ଦେଖାଦେଇଛି । ମୂର୍ତ୍ତି ବିସର୍ଜନ ପାଇଁ ଏକମାତ୍ର ସ୍ଥାନ ହେଉଛି ହୁସେନ ସାଗର । କିନ୍ତୁ ପରିବେଶ ପ୍ରଦୂଷଣ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ତେଲେଙ୍ଗାନା ହାଇକୋର୍ଟ ଏହି ସାଗରରେ ମୂର୍ତ୍ତି ବିସର୍ଜନ କରିବାକୁ ରୋକ ଲଗାଇଛନ୍ତି । ଯାହାକୁ ନେଇ ଏବେ ତେଲେଙ୍ଗାନା ସରକାର ଚିନ୍ତାରେ ।
ସ୍ଥିତିର ମୁକାବିଲା ପାଇଁ ତେଲେଙ୍ଗାନା ସରକାର ତୁହାକୁ ତୁହା ବୈଠକ କରୁଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ନେଇ ଆଇନ ବିଶାରଦଙ୍କ ସହ ସରକାର ପରାମର୍ଶ କରୁଛନ୍ତି । ସ୍ଥିତିକୁ ନେଇ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ମତ୍ସ୍ୟ ପଶୁପାଳକ ଓ ମନ୍ତ୍ରୀ ଟି. ଶ୍ରୀନିବାସ କହିଛନ୍ତି, ସରକାର ସ୍ଥିତିର ସମୀକ୍ଷା କରୁଛନ୍ତି । ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ଅନୁ୍ଧ୍ୟାନ କରାଯାଉଛି ।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେବେଳେ ହାଇକୋର୍ଟ ହୁସେନ ସାଗରରେ ମୂର୍ତ୍ତି ବିସର୍ଜନ ପାଇଁ ରୋକ ଲଗାଇଲେ, ସେତେବେଳକୁ ସହରରେ ୩୫ ହଜାରରୁ ଅଧିକ ଗଣପତି ପୂଜା ମଣ୍ଡପ ପ୍ରସ୍ତୁତ ହୋଇସାରିଥିଲା । ତେଣୁ ବର୍ତ୍ତମାନ କମ ସମୟରେ ଆବଶ୍ୟକ ବିସର୍ଜନ ସ୍ଥାନ ସୃଷ୍ଟି କରିବା ସମ୍ଭବ ନୁହେଁ । ଫଳରେ ସରକାର କୋର୍ଟଙ୍କ ନିର୍ଦ୍ଦେଶନାମାକୁ ପୁନର୍ବିଚାର କରିବା ପାଇଁ ରିଟ ପିଟିସନ ଦାଖଲ କରିବେ । ଏହାସହ କୋର୍ଟରେ ସତ୍ୟପାଠ ଦାଖଲ କରାଯିବ କି ବିସର୍ଜନର ୪୪ ଘଣ୍ଟା ପରେ ପ୍ଲାଷ୍ଟର ଅଫ ପ୍ୟାରିସ(ପିଓପି) ଯୋଗେ କରାଯାଇଥିବା ବିସର୍ଜନକୁ ସଫା କରାଯିବ । ଏତଦ ବ୍ୟତୀତ ହୁସେନ ସାଗରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ ସରକାର ସମସ୍ତ ପଦକ୍ଷେପ ନେବେ ।
@IANS