ନୂଆଦିଲ୍ଲୀ: ଆଜି ବର୍ଷ 2023 ପାଇଁ ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ ପ୍ରଦାନ କରାଯାଇଛି । ମଧ୍ୟ ପ୍ରଦେଶର ଇନ୍ଦୋର ସପ୍ତମ ଥର ପାଇଁ ଦେଶର ସର୍ବାଧିକ ପରିଚ୍ଛନ୍ନ ସହର ଭାବେ ତାଲିକାର ଶୀର୍ଷରେ ରହିଛି । ଗୁଜୁରାଟର ଡାଇମଣ୍ଡ ସିଟି ସୁରଟ ପ୍ରଥମ ଥର ଇନ୍ଦୋର ସହ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଛି । ଆଜି ଦିଲ୍ଲୀର ‘ଭାରତ ମଣ୍ଡପମ’ରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ରାଜ୍ୟମାନଙ୍କୁ ପୁରସ୍କୃତ କରିଛନ୍ତି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଷ୍ଟ୍ରପତିଙ୍କ ମୁର୍ମୁଙ୍କ ଠାରୁ ପ୍ରଥମ ପୁରସ୍କାର ଗ୍ରହଣ କରିଛନ୍ତି ।
ସେହିପରି ଲକ୍ଷେରୁ କମ ଲୋକସଂଖ୍ୟା ବିଶିଷ୍ଟ କ୍ଷୁଦ୍ରସହର ବର୍ଗରେ ମହାରାଷ୍ଟ୍ରର ସାସ୍ବଦ ପ୍ରଥମ ସ୍ଥାନରେ ରହିଛି । ଏହି ବର୍ଗରେ ଛତିଶଗଡର ପାଟନ ଓ ମହାରାଷ୍ଟ୍ରର ଲୋନାବଲା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଉତ୍ତର ପ୍ରଦେଶର ଦୁଇ ପ୍ରମୁଖ ଆଧ୍ୟାତ୍ମିକ ସହର ବାରାଣାସୀ ଓ ପ୍ରୟାଗରାଜ ଗଙ୍ଗାକୂଳରେ ଥିବା ପରିଚ୍ଛନ୍ନ ସହରର ପୁରସ୍କାର ହାସଲ କରିଛନ୍ତି ।
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟ୍ବିଟରେ ପ୍ରକାଶ କରାଯାଇଛି, ‘‘ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରହଣ କରିଛନ୍ତି । ପୁରସ୍କାର ଗ୍ରହଣ କରିବା ବେଳେ ମଧ୍ୟ ପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କୈଳାଶ ବିଜୟ ବର୍ଗୀୟ ଓ ଇନ୍ଦୋର ମେୟର ପୁଷ୍ୟମିତ୍ର ଭାର୍ଗବ ମଧ୍ୟ ଉପସ୍ଥିତ ଥିଲେ’’ ।
ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବା ସହ ସ୍ବଚ୍ଛତାର ଏହି ଭାବନା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଲେଖିଛନ୍ତି,‘‘ ଆମ ଇନ୍ଦୋର ସ୍ୱଚ୍ଛତାରେ ସପ୍ତମଥର ପାଇଁ ପ୍ରଥମ ସ୍ଥାନରେ ରହିଛି । ଇନ୍ଦୋରର ଲୋକମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ପରିଷ୍କାର ପରିଚ୍ଛନ୍ନତା କେବଳ ସେମାନଙ୍କର ଅଭ୍ୟାସରେ ପରିଣତ ହୋଇନାହିଁ, ବରଂ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ସେମାନଙ୍କ ଚିନ୍ତାଧାରାରେ ମଧ୍ୟ ପ୍ରତିଫଳିତ ହୋଇସାରିଛି । ଏହି ବଡ ସଫଳତା ପାଇଁ ମୁଁ ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ନିବେଦନ କରୁଛି ଯେ ପରିଚ୍ଛନ୍ନତା ପ୍ରତି ଏହି ଆଗ୍ରହ କଦାପି ହ୍ରାସନପାଉ ।’’
ଏହା ମଧ୍ୟ ପଢନ୍ତୁ :- ଦେଶ ପାଇବ ସର୍ବବୃହତ ସାମୁଦ୍ରିକ ସେତୁ, ଶୁକ୍ରବାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
2016ରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ସର୍ବେକ୍ଷଣ ଆରମ୍ଭ କରାଯାଇଥିଲା । ଚଳିତ ଥର ଏହା 8ମ ବର୍ଷରେ ପହଞ୍ଚିଛି । ଚଳିତବର୍ଷ ଦେଶର ଛୋଟ ବଡ ମୋଟ 4,500 ରୁ ଅଧିକ ସହରକୁ ସର୍ବେକ୍ଷଣରେ ସାମିଲ କରାଯାଇଥିଲା । 46ଟି ସୂଚକାଙ୍କରେ ଏହି ସର୍ବେକ୍ଷଣରେ ମୋଟ 3000 କର୍ମଚାରୀ ସାମିଲ ହୋଇଥିଲେ । ବର୍ଜ୍ୟବସ୍ତୁ ସଂଗ୍ରହ, ଶୂନ୍ୟ ବର୍ଜ୍ୟବସ୍ତୁ ପରିଚାଳନା, ଦିବ୍ୟାଙ୍ଗ-ଅନୁକୂଳ ଶୌଚାଳୟ, ଉନ୍ନତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ଆଦି ପ୍ରମୁଖ ସ୍ବଚ୍ଛତା ମାପଦଣ୍ଡରେ ଏହି ସର୍ବେକ୍ଷଣ କରାଯାଇଛି । ସୂଚନା ଥାଉକି ଟପ୍ 10 ସହରରେ ଓଡିଶାର କୌଣସି ସହରର ବି ସ୍ଥାନ ପାଇନାହିଁ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ