ଶ୍ରୀନଗର : ଜମ୍ମୁ କାଶ୍ମୀରର ସତଓ୍ବାରୀ ଅଞ୍ଚଳରେ ପୁଣି ଉଡିଲା ଡ୍ରୋନ । ସତଓ୍ବାରୀ ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ ଉଡୁଥିବାର ଦେଖିଛି ସୁରକ୍ଷାବାହିନୀ । ଏନେଇ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ଜୁଲାଇ 16 ରେ ଜମ୍ମୁ ଏୟାର ବେସର ଚାରିପାଖରେ କାର୍ଯ୍ୟ କରୁଥିବା ଏକ ଡ୍ରୋନ ଉଡୁଥିବାର ସୂଚନା ମିଳିଥିଲା । ଜମ୍ମୁ ଏୟାର ବେସରେ ଡ୍ରୋନ ଆକ୍ରମଣ ପରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଦ୍ୱାରା ଆଣ୍ଟି ଡ୍ରୋନ ସିଷ୍ଟମର ରାଡାର ଲଗାଯାଇଥିଲା ।
ଗତ ମାସରେ ଜମ୍ମୁ ଏୟାରବେସରେ ଡ୍ରୋନ୍ ଆକ୍ରମଣ ପର ଠାରୁ କେନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରୋନ ଦେଖିବାକୁ ମିଳୁଛି । ବିଏସ୍ଏଫର ତଥ୍ୟ ଅନୁଯାୟୀ, ଜୁଲାଇ 13 ଓ 14ର ମଧ୍ୟବର୍ତ୍ତୀ ରାତିରେ ଆର୍ନିଆ ସେକ୍ଟରରେ ସୁରକ୍ଷା ବାହିନୀ 200 ମିଟର ଉଚ୍ଚରେ ଏକ ଡ୍ରୋନ ଉଡିବା ସମୟରେ ଲାଲବତୀ ଜଳୁଥିବା ଦେଖିଥିଲେ । ପରେ ସୁରକ୍ଷା ବାହିନୀ ଆରମ୍ଭ କରିଥିଲେ ଅପରେସନ । ଡ୍ରୋନ ଉପରେ ଗୁଳି ଚଳାଇବାରୁ ତାହା ଫେରିଯାଇଥିଲା ।
ପ୍ରକାଶ ଥାଉକି, ଗତ ମାସରେ ଜମ୍ମୁ ଏୟାରବେସରେ ଆକ୍ରମଣ କରିବା ପାଇଁ ଦୁଇଟି ବିସ୍ଫୋରକ ବୋଝେଇ ଡ୍ରୋନ ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣରେ ବଡ ଧରଣର କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ବାୟୁସେନା ଷ୍ଟେସନ 2 କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ NIA ଦ୍ବାରା ଚାଲିଛି । ଆତଙ୍କବାଦୀଙ୍କ ଏପରି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ସମସ୍ତ ଏୟାରବେସରେ ହାଇ ଆଲର୍ଟ ଜାରି କରାଯାଇଛି ।
@ANI