ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଅଭିଯୋଗ ଆଧାରରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ପାଇଁ ମୁମ୍ବାଇ ପୋଲିସ ବାଧ୍ୟ ବୋଲି ସୋମବାର ବମ୍ବେ ହାଇକୋର୍ଟଙ୍କୁ ସୂଚନା ଦେଇଛି । ସୁଶାନ୍ତ ସିଂଙ୍କ ମାନସିକ ଅବସ୍ଥା ଭଉଣୀମାନଙ୍କ ଦ୍ବାରା ଦିଆଯାଉଥିବା ଔଷଧ ଯୋଗୁଁ ଖରାପ ହୋଇଥାରେ ବୋଲି ମୁମ୍ବାଇ ପୋଲିସ କହିଛି ।
ତେବେ ସୋମବାର ଦିନ ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ ଯାଚିକା ଦାଏର କରି ପ୍ରିୟଙ୍କା ସିଂ ଏବଂ ମିତୁ ସିଂ ଦାଖଲ କରିଥିବା ଆବେଦନକୁ ଖାରଜ କରିବା ସହିତ ସେମାନଙ୍କ ଭାଇଙ୍କ ପାଇଁ ଭୁଲ ଡାକ୍ତରୀ ପ୍ରେସକ୍ରିପସନ୍ ତିଆରି କରାଯାଇଥିବା ଅଭିଯୋଗକୁ ମଧ୍ୟ ଖାରଜ କରାିଛି । ସେପ୍ଟେମ୍ବରରେ ରିଆ ଚକ୍ରବର୍ତ୍ତୀ ରାଜପୁତ ଭଉଣୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ସେମାନଙ୍କ ବିରୋଧରେ ବାନ୍ଦ୍ରା ପୋଲିସ ମାମଲା ରୁଜୁ କରିଥିଲା ।
ପ୍ରିୟଙ୍କା ଏବଂ ମିତୁ ଦିଲ୍ଲୀର ଜଣେ ଡାକ୍ତରଙ୍କ ସହାୟତାରେ ନକଲି ଡାକ୍ତରୀ ଚିଠା ଦାଖଲ କରିଥିଲେ ଯେଉଁଥିରେ ସୁଶାନ୍ତଙ୍କୁ ଡିପ୍ରେସନ ପାଇଁ ଔଷଧ ଦିଆଯାଇଥିବା ଦର୍ଶାଯାଇଥିଲା ବୋଲି ପୂର୍ବରୁ ରିଆ ତାଙ୍କ ଅଭିଯୋଗରେ କହିଥିଲେ । ତେବେ ରିଆଙ୍କ ଏହି ଅଭିଯୋଗର ପ୍ରକୃତ ସତ୍ୟ ଜାଣିବା ପାଇଁ ପୋଲିସ ଅନୁସନ୍ଧାନ କରିବା ସହିତ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁ ବିରୋଧରେ ମାମଲା ଦାଏର କରିଛି । ଉକ୍ତ ଷଡଯନ୍ତ୍ର ଅନୁଯାୟୀ ସୁଶାନ୍ତଙ୍କ ମାନସିକ ସ୍ବାସ୍ଥ୍ୟର ଅବନତି ଏବଂ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିବାର ସମ୍ଭାବନା ଥାଇପାରେ ବୋଲି ଯାଚିକାରେ ମୁମ୍ବାଇ ପୋଲିସ ଦର୍ଶାଇଛି ।
ଆବେଦନକାରୀ କିମ୍ବା କୌଣସି ମୃତ ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ ପୋଲିସ କ୍ଷତି ପହଞ୍ଚାଉଥିବା ଅଭିଯୋଗକୁ ବାନ୍ଦ୍ରା ପୋଲିସର ବରିଷ୍ଠ ଇନ୍ସପେକ୍ଟର ନିଖିଲ କପ୍ସେ ଖଣ୍ଡନ କରିଛନ୍ତି । ବମ୍ବେ ହାଇକୋର୍ଟରେ ମୁମ୍ବାଇ ପୋଲିସ ଦାଖଲ କରିଥିବା ଯାଚିକାରେ କହିଛି ଯେ ସୁଶାନ୍ତ ଭଉଣୀଙ୍କ ବିରୋଧରେ ମାମାଲା ରୁଜୁ କରି ସିବିଆଇ ତଦନ୍ତକୁ ପୋଲିସ ପ୍ରଭାବିତ କରିବାକୁ ଚେଷ୍ଟା କରୁନାହିଁ ।
ମୁମ୍ବାଇ ପୋଲିସର ଆବେଦନରେ ଦର୍ଶାଇଯାଇଥିବା ତଦନ୍ତ ଓ ରିଆ ଚକ୍ରବର୍ତ୍ତୀଙ୍କ ଅଭିଯୋଗ ସଂପର୍କରେ ବର୍ତ୍ତମାନ ସିବିଆଇ ତଦନ୍ତ କରିବା ସହ ଉପଯୁକ୍ତ ରିପୋର୍ଟ ଦାଖଲ କରିବ ବୋଲି ଜଣାପଡିଛି । ସୁଶାନ୍ତଙ୍କ ବାପା ଦାଏର କରିଥିବା ମାମଲାର ସିବିଆଇ ତଦନ୍ତ କରୁଛି ।