ଭାରତର ସମ୍ବିଧାନ ଧାରା 355ରେ ଉଲ୍ଲେଖ କରାଯାଇଛି ଯେ, ବାହ୍ୟ ଆକ୍ରମଣ ଏବଂ ଆଭ୍ୟନ୍ତରୀଣ ଅସ୍ଥିରତା ସମୟରେ ପ୍ରତ୍ୟେକ ରାଜ୍ୟକୁ ସୁରକ୍ଷା ଦେବା ହେଉଛି କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ ଏବଂ ପ୍ରତିଟି ରାଜ୍ୟ ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ମଧ୍ୟ କେନ୍ଦ୍ର ସରକାରଙ୍କ ଦାୟିତ୍ବ ।
କୋଭିଡ୍ ମହାମାରୀର ଦ୍ବିତୀୟ ଲହରୀରେ ସଂକ୍ରମଣ ଭୟଙ୍କର ଭାବେ ବଢୁଥିବାରୁ ରାଜ୍ୟ ଗୁଡ଼ିକ ସମସ୍ୟାରେ ଷଢୁଥିବା ବେଳେ କେନ୍ଦ୍ର ସରକାର କ’ଣ କରୁଛନ୍ତି? ଦ୍ବିତୀୟ ଲହରୀରେ କୋଭିଡ ମାମଲା ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ପରିସଂଖ୍ୟନ ରିପୋର୍ଟ କହୁଛି ଯେ, ଦେଶର ମୋଟ 741 ଜିଲ୍ଲା ମଧ୍ୟରୁ 301 ଜିଲ୍ଲାରେ କୋଭିଡ ପଜିଟିଭ୍ ରୋଗୀଙ୍କ ସଂଖ୍ୟା 20 ପ୍ରତିଶତ ପାର୍ କରିଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଏକ ବୁଲେଟିନ ଅନୁଯାୟୀ ଆସାମ, ପଶ୍ଚିମ ବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଏବଂ ଅନ୍ୟ କିଛି ରାଜ୍ୟରେ ମହାମାରୀ ସଂକ୍ରମିତ ହେବାରେ ଲାଗିଛି। କର୍ଣ୍ଣାଟକରେ ସ୍ଥିତି ତ ଅତି ସାଂଘାତିକ ରୂପ ନେଇଛି । ରାଜ୍ୟରେ ହସ୍ପିଟାଲରେ ପ୍ରତି ବେଡ୍ ପିଛା ଅନ୍ୟୁନ 30 ଜଣ ରୋଗୀ ଅପେକ୍ଷା କରି ରହୁଛନ୍ତି ଯାହାକି ରାଜ୍ୟର ସ୍ଥିତି କେତେ ସଙ୍ଗୀନ ତାହା ବଖାଣୁଛି । ନିତି ଆୟୋଗ ସଦସ୍ୟ ଭି.କେ. ପଲଙ୍କ ନେତୃତ୍ବରେ ଗଠିତ ଏକ କମିଟି ସ୍ଥିର କରିଥିବା ମଡେଲ ଆଧାରରେ ରାଜ୍ୟଗୁଡିକୁ ଅକ୍ସିଜେନ ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ସୁପ୍ରିମ କୋର୍ଟ ନିର୍ଦ୍ଦିଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଏ ସଂକ୍ରାନ୍ତରେ ସୁପ୍ରିମ କୋର୍ଟ ନିଜ ଆଡୁ ଏକ 12 ଜଣିଆ ସଦସ୍ୟ ବିଶିଷ୍ଟ ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି । କେନ୍ଦ୍ର ସରକାର ଯଦିଓ ଗତ ମାର୍ଚ୍ଚ ମାସରେ 21 ଜଣିଆ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ ଗଠନ କରିଥିଲେ, ତାହା କେବଳ ଏକ ଆଖିଦୃଶିଆ ହୋଇ ରହିଥିଲା । ସରକାର ଗଠନ କରିଥିବା ଟାସ୍କ ଫୋର୍ସ ନିଜର ଦାୟିତ୍ବ ତୁଲାଇବାରେ ବିଫଳ ହୋଇଥିଲା । ଦୈନିକ କୋଭିଡ ପଜିଟିଭ ମାମଲା ସଂଖ୍ୟା 500 ଥିବା ବେଳେ କେନ୍ଦ୍ର ସରକାର ଜାତୀୟ ସ୍ତରରେ ଲକ୍ ଡାଉନ୍ ଘୋଷଣା କରିଥିଲେ ଏବଂ ଆଜି ଦୈନିକ ମାମଲା ସଂଖ୍ୟା 4 ଲକ୍ଷ ଟପି ଯାଇଥିବା ବେଳେ ବି ସରକାର ନିରବଦ୍ରଷ୍ଟା ହୋଇ ବସି ରହିଛନ୍ତି ।
ଗାଣିତିକ ମଡେଲ ଆଧାରରେ ସଂକ୍ରମଣର ତୀବ୍ରତା ଜାଣିବା ସକାଶେ ଗତ ମେ ମାସରେ ଏକ ସୁପର ମଡେଲ କମିଟି ଗଠନ କରାଯାଇଥିଲା । ମହାମାରୀର ଦ୍ବିତୀୟ ଲହରୀର ଭୟାବହତା ନେଇ କମିଟି ଦେଇଥିବା ଚେତାବନୀକୁ କେନ୍ଦ୍ର ସରକାର ଧ୍ୟାନ ଦେଇନଥିଲେ । ମନୁଷ୍ୟକୃତ ଏହି ବିପର୍ଯ୍ୟୟ ସାରା ଦେଶକୁ କବଳିତ କରି ରଖିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ହିଁ କେବଳେ ସଠିକ୍ ମାର୍ଗ ଦେଖାଇପାରିବେ ।
ପ୍ରଧାନମନ୍ତ୍ରୀ ମୋଦି ନିଜେ ହିଁ ଗତ ଜାନୁଆରି ମାସରେ ଘୋଷଣା କରିଥିଲେ ଯେ, କୋରୋନା ବିରୁଦ୍ଧରେ ଲଢେଇକୁ ଭାରତ ଏକ ଜନ ଆନ୍ଦୋଳନରେ ପରିଣତ କରି ସାରିଛି ଏବଂ ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ରାଷ୍ଟ୍ର ମଧ୍ୟରେ ଭାରତ ନିଜକୁ ସାମିଲ କରି ପାରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭୂତାଣୁର ଭାଇରାଲ ମ୍ୟୁଟେସନ ସମ୍ପର୍କରେ ଅନୁଧ୍ୟାନ ପାଇଁ ଗତ ଡିସେମ୍ବର ମାସରେ 10ଟି ସମ୍ମାନଜନକ ସଂଗଠନକୁ ନେଇ ‘ଜେନେଟିକସ କନସୋର୍ଟିୟମ୍’ ଗଠନ କରାଯାଇଥିଲା । ଖୁବଶୀଘ୍ର ପୁଣି ଥରେ ଭୂତାଣୁ ସଂକ୍ରମିତ ହେବ ବୋଲି ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ଏନସିଡିସି)କୁ କନସୋର୍ଟିୟମ ଏକ ରିପୋର୍ଟ ପ୍ରଦାନ କରିଥିଲା । ଦୁଃଖର କଥା, କୋଭିଡ ସଂକ୍ରମଣ ପୁଣି ଥରେ ଦେଶରେ ଆରମ୍ଭ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଘୋଷଣା କରିବାର ମାତ୍ର ଦୁଇଦିନ ପରେ ଏହି ରିପୋର୍ଟ ଦିଆଯାଇଥିଲା । ସେଣ୍ଟର ଫର୍ ସେଲୁଲାର ଆଣ୍ଡ ମୋଲେକୁଲାର ବାୟୋଲୋଜିର ପୂର୍ବତନ ନିର୍ଦ୍ଦେଶକ ରାକେଶ ମିଶ୍ରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଏହି ରିପୋର୍ଟ ବିଷୟରେ କୁହାଯାଇନଥିବା କଥାକୁ ବିଶ୍ବାସ କରି ହେଉନାହିଁ । ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାରେ ବିଫଳତା ଯୋଗୁଁ ଏପରି ସ୍ଥିତି ଉପୁଜିଲା ବୋଲି ସେ କହିଛନ୍ତି । ଭୂତାଣୁ ଅଧିକ ବିପଜ୍ଜନକ ରୂପ ନେବ ଏବଂ ଯାହାକି ଲୋକଙ୍କ ଶରୀରର ଅଧିକ ଭିତରକୁ ଯାଇ କ୍ଷତି ପହଞ୍ଚାଇବ ବୋଲି ଉଲ୍ଲେଖ କରିଥିବା ଏହି ଅଧ୍ୟୟନ ରିପୋର୍ଟରେ ଭୂତାଣୁର ତୃତୀୟ ଲହରୀ ମଧ୍ୟ ଆସୁଥିବା ଆକଳନ କରାଯାଇଛି ।
ସିଧାସଳଖ ଏହି ଦିଗ ପ୍ରତି ଧ୍ୟାନ ଦେଇ ସୁପ୍ରିମ କୋର୍ଟ ବର୍ତ୍ତମାନ ଏବଂ ଭବିଷ୍ୟତରେ ଅକ୍ସିଜେନ୍ ଯୋଗାଣ କିପରି ସୁଚାରୁରୂପେ ପରିଚାଳନା କରାଯାଇ ପାରିବ ସେ ନେଇ ଏକ ସୁନିୟୋଜିତ ନୀତି ପ୍ରଣୟନ କରିବା ପାଇଁ ଗଠନ କରିଥିବା ଟାସ୍କ ଫୋର୍ସକୁ ଦାୟିତ୍ବ ଦେଇଛି । ଜରୁରୀ ପରିସ୍ଥିତିରେ ଆବଶ୍ୟକ ଔଷଧ ଯେପରି ଉପଲବଧ ହୋଇପାରିବ ତାହା ଉପରେ ବି ଗୁରୁତ୍ବ ଦେବାକୁ ଟାସ୍କ ଫୋର୍ସକୁ କହିଛନ୍ତି । ସଂକ୍ରମଣ ରୋଗ ବିଶେଷଜ୍ଞ ଏବଂ ଭାଇରୋଲୋଜିଷ୍ଟଙ୍କୁ ମଧ୍ୟ ଯଦି ଟାସ୍କ ଫୋର୍ସରେ ନିଆଯାଇଥାନ୍ତା ତେବେ ଏହା ଭଲ ହୋଇଥାନ୍ତା ।