ନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ କରିବାକୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଏମଭି ରମଣାଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ସ୍ପଷ୍ଟ କରିଛନ୍ତି ଜଗନ୍ନାଥଙ୍କ ମୂଳପୀଠ ପୁରୀରେ କେବଳ ରଥଯାତ୍ରା ହେବ । ଅନ୍ୟ ସ୍ଥାନରେ ଆୟୋଜନ ପାଇଁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ବର୍ତ୍ତମାନର ସ୍ଥିତିରେ ଅନୁମତି ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ।
ପୁରୀ ଭଳି ରାଜ୍ୟର କେନ୍ଦ୍ରାପଡା, ନିଆଲି, ଭଟିଲୀ ଓ ବାରିପଦାରେ ମଧ୍ୟ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଏକାଧିକ ସଂଗଠନ ଓ ସେବାୟତ ଯାଇଥିଲେ ଓଡିଶା ହାଇକୋର୍ଟ । ହାଇକୋର୍ଟଙ୍କ ଶୁଣାଣି କରି ଗତବର୍ଷର ସୁପ୍ରିମକୋର୍ଟଙ୍କ ରାୟକୁ ସମୀକ୍ଷା କରି କେବଳ ପୁରୀରେ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ କରିବାକୁ ଅନୁମତି ଦେବା ସହ ସମସ୍ତ ଆବେଦନ ଖାରଜ କରିଥିଲେ ।
ଫଳରେ ଆବେଦନକାରୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ । ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏମଭି ରମଣାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି କରି କହିଛନ୍ତି ଆମେ ନିରୁପାୟ । ବର୍ତ୍ତମାନ ସ୍ଥିତିରେ ଅନ୍ୟସ୍ଥାନରେ ରଥଯାତ୍ରା ଅନୁମତି ଦେବା ସମ୍ଭବ ନୁହେଁ । ସମସ୍ତ ମାମଲା ଖାରଜ କରି ପ୍ରଧାନ ବିଚାରପତି କହିଛନ୍ତି ପ୍ରଭୁଙ୍କ ଆଶୀର୍ବାଦ ରହିଲେ ଆସନ୍ତା ବର୍ଷ ସମସ୍ତ ସ୍ଥାନରେ ରଥଯାତ୍ରା ହୋଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ