ନୂଆଦିଲ୍ଲୀ: ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ମହିଳାଙ୍କ ପ୍ରବେଶ ନେଇ ପୁନର୍ବାର ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଚଳିତ ବର୍ଷ ନଭେମ୍ବରରେ ହିଁ ପରୀକ୍ଷାରେ ମହିଳାଙ୍କୁ ଅନୁମତି ଦିଆଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହାକୁ ଆଉ ଗୋଟିଏ ବର୍ଷ ଘୁଞ୍ଚାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଗୋଟିଏ ପରିବର୍ତ୍ତନର ପର୍ଯ୍ୟାୟ । ହେଲେ ଏହାକୁ ଘୁଞ୍ଚାଇବାକୁ ଦିଆଯିବ ନାହିଁ । ସିଷ୍ଟମର ଜଟିଳତାକୁ ଦୂର କରି ଏହାକୁ ଆଗକୁ ବଢାଇବାକୁ ପଡିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ UPSC ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି କରାଯିବ । ସରକାରଙ୍କ ପକ୍ଷରୁ ପୂର୍ବରୁ ଆସନ୍ତାବର୍ଷ ମେ ମାସରେ ହେବାକୁ ଥିବା ପରୀକ୍ଷାରେ ମହିଳାଙ୍କୁ ପ୍ରବେଶ ନେଇ ପ୍ରସ୍ତୁତ ଥିବା କୁହାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଚଳିତ ବର୍ଷ ପରୀକ୍ଷାରେ ମହିଳାଙ୍କୁ ଏଣ୍ଟ୍ରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯଦି ଏନଡିଏରେ ମହିଳାଙ୍କୁ ପ୍ରବେଶ ଦିଆଯିବ, ତେବେ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ ଓ ରାଷ୍ଟ୍ରୀୟ ମିଲିଟାରୀ ସ୍କୁଲରେ ମଧ୍ୟ କଣ ପାଇଁ ମହିଳା ପଢିପାରିବେ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସିଟ୍ ବଢାଇବାର ଯଦି ଆବଶ୍ୟକତା ରହିଛି, ତେବେ ସେ ଦିଗରେ ପଦକ୍ଷେପ ନିଆଯିବା ଦରକାର ବୋଲି ନିଜ ଆଦେଶରେ କହିଛନ୍ତି ସର୍ବୋଚ୍ଚ ଅଦାଲତ ।
ଆସନ୍ତା ବର୍ଷ ମେ ମାସରେ ଏନଡିଏ (NDA)ରେ ମହିଳାଙ୍କୁ ଏଣ୍ଟ୍ରି ମିଳିବା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସମ୍ମାନଜନକ ଏନଡିଏ ମାଧ୍ୟମରେ ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁସେନାରେ ମହିଳାଙ୍କ ଆଡମିଶନ ଆରମ୍ଭ ହେବ । ଏଥିପାଇଁ ସରକାର ମେ 2022 ସୁଦ୍ଧା ଆବଶ୍ୟକ ବ୍ୟବସ୍ଥା ସମାପ୍ତ କରିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ମେ 2022ର ଡେଡଲାଇନ ପୂରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
ଏହାପୂର୍ବରୁ ସେପ୍ଟମ୍ବର 8ରେ ଏନଡିଏ ମାଧ୍ୟମରେ ମହିଳାଙ୍କୁ ସେନାରେ ଭର୍ତ୍ତି ବିଷୟରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଥିଲେ ସରକାର । ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ମାଧ୍ୟମରେ ମହିଳାଙ୍କୁ ସଶସ୍ତ୍ର ବାହିନୀରେ ସାମିଲ କରାଯିବ । ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ କେନ୍ଦ୍ର ସରକାର ।