ହାଇଦ୍ରାବାଦ: କଥାରେ ଅଛି ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ....ଏହି ଉକ୍ତିଟି ବେଶ ତାପର୍ଯ୍ୟପୂର୍ଣ୍ଣ । ସଭିଁଙ୍କ ମନକୁ ଛୁଇଁ ଯାଉଥିବା ବାକ୍ୟଟିଏ । କିନ୍ତୁ ଏହା କେତେ ଦୂର ଗ୍ରହଣୀୟ । ଏହାର ଉତ୍ତର ହୁଏତ କିଛି ଜଣଙ୍କ ପାଖରେ ଥିବ । ନାରୀ ଉଚ୍ଚ ଶିକ୍ଷିତ ହେଲେ, ଦେଶର ପ୍ରଗତି ସମ୍ଭବ । ଦେଶ ବିକାଶ ଆଡକୁ ଗତି କରିଥାଏ । କିନ୍ତୁ କେବଳ କିଛି ଜଣ ନିମ୍ନ ଚିନ୍ତାଧାରା ବ୍ୟକ୍ତିଙ୍କ ପାଇଁ ନାରୀ ଆଜି ପଛେଇ ଯିବାକୁ ବାଧ୍ୟ ହେଉଛି । ନାରୀ ଚାରି କାନ୍ଥ ମଧ୍ୟରେ ସୀମିତ ନୁହେଁ, ତାକୁ ଘର ଭିତରେ ଆବଦ୍ଧ କରି ରଖିହେବ ନାହିଁ । ଏରୁଣ୍ଡି ବନ୍ଧ ଡେଇଁ ନାରୀ ଆଜି କେଉଁଠି ପହଞ୍ଚିଲାଣି । ମାଟିରୁ ମହାକାଶ ପର୍ଯ୍ୟନ୍ତ ନାରୀ ନିଜକୁ ପାରଙ୍ଗମ କରିସାରିଲାଣି । କେଉଁଥିରେ ମଧ୍ୟ ସେ ଆଉ ଊଣା ହୋଇ ରହିନାହିଁ ।
ନିଜକୁ ସବୁ କ୍ଷେତ୍ରରେ ସେ ପ୍ରତିପାଦିତ କରିସାରିଲାଣି । ଏହାପରେ ମଧ୍ୟ ରୁଗଣ୍ ଚିନ୍ତାଧାରା ବ୍ୟକ୍ତିଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସିପାରିନାହିଁ । ସେମାନଙ୍କ ମତରେ ନାରୀ ଘର ଭିତରେ ହିଁ ରହିବା ଯୋଗ୍ୟ । ପଦାକୁ ଗଲେ ଘରର ସମ୍ମାନ ହ୍ରାସ ହେବା ସହ ମର୍ଯ୍ୟାଦା ହାନି ହୋଇଥାଏ । ଏଭଳି ଚିନ୍ତାଧାରା ରଖୁଥିବା ଲୋକଙ୍କ ମାନସିକତାକୁ ଆମେ ତ କେବେ ପରିବର୍ତ୍ତନ କରିପାରିବା ନାହିଁ । ବରଂ ଏହାକୁ ବାଦ୍ ଦେଇ ନାରୀ ଆଗକୁ ବଢିଯିବା ଉଚିତ୍ ।
ପୁରୁଣା ଯୁଗରେ ନାରୀକୁ ଏତେ ସ୍ବାଧୀନତା ମିଳୁ ନଥିଲା । ନିଜକୁ ଘର ଭିତରେ ଆବଦ୍ଧ ରଖିବାକୁ ବାଧ୍ୟ ହେଉଥିଲେ । ଫଳରେ ନାରୀମାନେ ଆଗକୁ ବଢିବାକୁ ଚାହୁଁଥିଲେ ମଧ୍ୟ ସମ୍ଭବ ହୋଇପାରୁ ନଥିଲା ।
ସେମିତି ଜଣେ ମହିଳାଙ୍କ ବିଷୟରେ ଆମେ ଆଲୋଚନା କରିବା, ଯିଏ କି ବହୁ ବାଧା ବିଘ୍ନ ଭାଙ୍ଗି ଆଗକୁ ବଢିବାର ସ୍ବପ୍ନ ଦେଖିଛନ୍ତି । ନିଜ ସ୍ବପ୍ନରେ ଡେଣା ଲଗାଇ ଆକାଶରେ ଉଡି ବୁଲିଛନ୍ତି । ସେ ମହିଳା ହେଉଛନ୍ତି ସରଳା ଠକରାଲ । ଯିଏ କି ଭାରତର ପ୍ରଥମ ମହିଳା ପାଇଲଟ । ଚାଲନ୍ତୁ ଜାଣିବା କେମିତି ସେ ତାଙ୍କ ସ୍ବପ୍ନ ପୂରଣ କରିଥିଲେ.....
ସରଳା ଠକରାଲ....ଜନ୍ମ 15 ମାର୍ଚ୍ଚ, 1929 ମସିହାରେ ପ୍ରଥମ ଥର ଦିଲ୍ଲୀରେ ଖୋଲା ଯାଇଥିବା ଫ୍ଲାଇଙ୍ଗ କ୍ଲବରେ ବିମାନ ଚଳାଇବାର ପ୍ରଶିକ୍ଷଣ ନେଇଥିଲେ । ଏହି ଫ୍ଲାଇଙ୍ଗ କ୍ଲବରେ ତାଙ୍କର ସାକ୍ଷାତ ପିଡି ଶର୍ମାଙ୍କ ସହ ହୋଇଥିଲା । ଯିଏ ନିଜେ ଏକ ବ୍ୟବସାୟିକ ବିମାନ ଚାଳକ ଥିଲେ । ପରେ କ୍ୟାପ୍ଟେନ ପିଡି ଶର୍ମାଙ୍କୁ ସେ 16 ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କର 2ଟି ଝିଅ ମଧ୍ୟ ଅଛନ୍ତି । ତାଙ୍କ ଶାଶୁ ଘରେ 9 ଜଣ ପାଇଲଟ୍ ଥିଲେ । ବାହାଘର ପରେ ତାଙ୍କ ସ୍ବାମୀ ଏବଂ ତାଙ୍କ ଶ୍ବଶୁର ତାଙ୍କର ମନୋବଳ ବଢାଇ ଥିଲେ । ପ୍ରଥମେ ତାଙ୍କ ସ୍ବାମୀ ତାଙ୍କୁ ବ୍ୟବସାୟିକ ବିମାନ ଉଡାଇବାକୁ ପ୍ରୋତ୍ସାହନ ଦେଇଥିଲେ । ସ୍ବାମୀଙ୍କ ସାହାସ ପାଇ ସେ ଯୋଧପୁର ଫ୍ଲାଇଙ୍ଗ କ୍ଲବରେ ଟ୍ରେନିଂ ନେଇଥିଲେ ।
ପ୍ରଥମ ଉଡାଣରେ ସୂତା ଶାଢୀ ପିନ୍ଧିଥିଲେ...
ଯେତେବେଳେ ଜଣେ ମହିଳା ହାତରେ ତିଆରି ହୋଇଥିବା ସୂତା ଶାଢୀ ପିନ୍ଧି ଏୟାରଷ୍ଟ୍ରିପ୍ରେ ପହଞ୍ଚେ, ମୁଣ୍ଡରେ ଏକ ହେଲମେଟ୍ ଲଗାଇ ଯେତେବେଳେ ସେ ଉଡାଜାହାଜ ଚଳାଇବା ପାଇଁ କକପିଟ୍ରେ ବସେ, ଆଉ କିଛି ସମୟ ମଧ୍ୟରେ ଆଖି ପିଛୁଳାକେ ଆକାଶକୁ ଉଡିଯାଏ, ଏବଂ ଯେତେବେଳେ ସେହି ଉଡାଜାହାଜ ତଳକୁ ଆସି ମାଟି ଛୁଏଁ, ସେତେବେଳେ ସେହି ମହିଳାର ନାଁ ଇତିହାସର ପୃଷ୍ଠାର ଲିପିବଦ୍ଧ ହୋଇଯାଏ । ଆଉ ସେହି ଐତିହାସିକ ନାଁ ଥିଲା, ସରଳା ଠକରାଲ । 1936ରେ ଲାହୋର ବିମାନବନ୍ଦର ଏହି ଐତିହାସିକ ଘଟଣାର ମୁକ ସାକ୍ଷୀ ପାଲଟିଲା, ଯେବେ 21 ବର୍ଷୀୟା ସରଳା ଠକରାଲ 'ଜିପ୍ସି ମାଥ' ନାମକ 2 ସିଟ୍ ବିଶିଷ୍ଟ ବିମାନ ଉଡାଇଥିଲେ ।
ସ୍ବାମୀଙ୍କ ମୃତ୍ୟୁରେ ଭାଙ୍ଗିପଡିଥିଲେ ସରଳା...
ବର୍ଷ 1939 ସରଳାଙ୍କ ପାଇଁ ବହୁତ ଦୁଃଖଦପୂର୍ଣ୍ଣ ସମୟ ଥିଲା । ଯେତେବେଳେ ସେ ବାଣିଜ୍ୟିକ ବିମାନର ଲାଇସେନ୍ସ ପାଇଁ କଠିନ ପରିଶ୍ରମ କରିଥିଲେ, କିନ୍ତୁ ଠିକ୍ ସେହି ସମୟରେ ହିଁ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଥିଲା । ଫ୍ଲାଇଟ କ୍ଲବ ବନ୍ଦ ହୋଇଯାଇଥିଲା । ଫଳରେ ସରଳା ଟ୍ରେନିଂରୁ ବଞ୍ଚିତ ହୋଇଗଲେ । ଏହା ପରେ ଆଉ ଏକ ଦୁଃଖଦପୂର୍ଣ୍ଣ ଘଟଣା ଥିଲା, ତାହା ଥିଲା ସେହି ସମୟରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା ।
ଫାଇନ ଆର୍ଟରେ ଡିପ୍ଲୋମା...
ସ୍ବାମୀଙ୍କ ମୃତ୍ୟୁ ବେଳକୁ ସରଳାଙ୍କୁ 24 ବର୍ଷ ହୋଇଥିଲା । ଏହାପରେ ତାଙ୍କ ଜୀବନ ଏକପ୍ରକାର ବଦଳି ଗଲା । ସ୍ବାମୀଙ୍କ ମୃତ୍ୟୁ ସମୟରେ ସେ ଲାହୋରରେ ଥିଲେ । ଭାରତ ବିଭାଜନ ପରେ ସରଳା ନିଜ 2ଝିଅଙ୍କ ସହ ଦିଲ୍ଲୀ ପଳାଇ ଆସିଥିଲେ । ଏହାପରେ ସେ ମେୟୋ ସ୍କୁଲ ଅଫ୍ ଆର୍ଟରେ ନିଯୁକ୍ତି ନେଇଥିଲେ । ସେଠାରେ ସେ ବଙ୍ଗଳା ସ୍କୁଲ ଅଫ୍ ରୁ ପେଣ୍ଟିଂ ଶିଖିଥିଲେ । ଫାଇନ ଆର୍ଟରୁ ଡିପ୍ଲୋମା ମଧ୍ୟ କରିଥିଲେ । ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ସେ ନିଜକୁ ସମଗ୍ର ବିଶ୍ବରେ ପରିଚିତ କରାଇପାରିଥିଲେ । ଏବଂ ଏହି ଚିତ୍ରକଳାରୁ ସେ ନିଜର ପରିବାର ଚଳାଉଥିଲେ ।
ସରଳାଙ୍କ ଦ୍ବିତୀୟ ବିବାହ...
ଦିଲ୍ଲୀ ଆସିବା ପରେ ସରଳାଙ୍କ ସାକ୍ଷାତ ଆର.ପି ଠକରାଲଙ୍କ ସହିତ ହୋଇଥିଲା । ଏହାପରେ ସରଳା ଠକରାଲଙ୍କୁ 1948ରେ ବିବାହ କରିଥିଲେ । ଜୀବନର ଦ୍ବିତୀୟ ପର୍ଯ୍ୟାୟରେ ସେ ଜଣେ ସଫଳ ଓ ଉଦ୍ୟୋଗୀ ପେଣ୍ଟର ହୋଇପାରିଲେ । 15 ମାର୍ଚ୍ଚ 2008ରେ ସରଳା ଠକରାଲଙ୍କ ମୃତ୍ୟୁ ହୋଇଯାଇଥିଲା ।
ତାତ୍ସଲ୍ୟକୁ କରି ନଥିଲେ ଖାତିର...
ଯେତେବେଳେ ସେ ପ୍ରଥମେ ବିମାନ ଉଡାଇବାକୁ ଯାଇଥିଲେ, ସେତେବେଳେ ତାଙ୍କୁ ତାଙ୍କ ସ୍ବାମୀ, କୋ-ପାଇଲଟ ଓ ସହକର୍ମୀଙ୍କ ପକ୍ଷରୁ ବିପୁଳ ସହଯୋଗ ମିଳିଥିଲା । କେବଳ ସେଠିକାର ଜଣେ କିରାଣୀ ତାଙ୍କୁ ବାରମ୍ବାର କହୁଥିଲେ ' ଜଣେ ମହିଳା ହୋଇ କିପରି ଉଡାଜାହାଜ ଉଡାଇବାକୁ ମନ କରୁଛ' ଏହି କଥାରେ ସେ ବଡ ବ୍ୟତିବ୍ୟସ୍ତ ହୋଇ ପଡୁଥିଲେ । କିନ୍ତ ପରେ ସେ ନିଜକୁ ସମ୍ଭାଳି ନେଇଥିଲେ ।
ମିଳିଥିଲା ଗ୍ରେଡ-ଏର ଲାଇସେନ୍ସ...
8 ଘଣ୍ଟା 10 ମିନିଟ୍ ଡୁଏଟ୍ ଟ୍ରେନିଂ ପରେ ତାଙ୍କ ପାଇଲଟ୍ ତାଙ୍କୁ ଏକୁଟିଆ ଫ୍ଲାଇଟ୍ ଉଡାଇବାକୁ କହିଥିଲେ । 1000 ଘଣ୍ଟା ଫ୍ଲାଏ ଆୱାର୍ସ(hours) ସମ୍ପୂର୍ଣ୍ଣ କରିବା ଯୋଗୁଁ ତାଙ୍କୁ ଗ୍ରେଡ-ଏର ଲାଇସେନ୍ସ ମିଳିଥିଲା । ଏହାକୁ ପାଇବାରେ ସେ ପ୍ରଥମ ମହିଳା ଥିଲେ ।
ମାନି ନ ଥିଲେ ହାର...
ପାଇଲଟିଂ ନିଶା ପରେ ସେ କିଛି ଦିନ ପେଣ୍ଟିଂରେ ସମୟ ବିତାଇଥିଲେ । ଏହାପରେ ସେ କଷ୍ଟ୍ୟୁମ ଡିଜାଇନିଂ, ଜୁଏଲାରୀ ଡିଜାଇନିଂକୁ ନିଜର ପେଶା ବନାଇଥିଲେ । କିନ୍ତୁ ସେ ହାର ମାନି ନ ଥିଲେ । ଦିଲ୍ଲୀସ୍ଥିତ ବିଭିନ୍ନ ନାଟ୍ୟ ଏକାଡେମୀକୁ ସେ ଡିଜାଇନିଂ ପୋଷାକ ପଠାଉଥିଲେ । ବୟସାଧିକ ହୋଇଥିଲେ ମଧ୍ୟ ସେ ସେଥିପ୍ରତି ଗୁରୁତ୍ବ ଦେଉ ନଥିଲେ। ସେ 91 ବର୍ଷ ବୟସ ପର୍ଯ୍ୟନ୍ତ ବିନା କାହା ସାହାଯ୍ୟ ନେଇ କାମ କରୁଥିଲେ । ତାଙ୍କ ମତରେ ଜୀବନରେ କେବେ ଥକିଯିବା ଉଚିତ୍ ନୁହେଁ । ହାତ-ଗୋଡ ଚାଲୁଥିବା ପର୍ଯ୍ୟନ୍ତ କାମ କରିବା ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ସେଥିପାଇଁ ତାଙ୍କୁ 'oldest fittest award' ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ