ଶ୍ରୀନଗର: ଦେଶବାସୀଙ୍କ ସୁରକ୍ଷା ପାଇଁ ସୀମାରେ ଶହୀଦ ହୋଇଛନ୍ତି ପୋଲିସ ସବ-ଇନ୍ସପେକ୍ଟର ଅରଶଦ ଅଶରଫ ମିର । ଜନ୍ମମାଟିରେ ମୃତଦେହ ପହଞ୍ଚିବା ପରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ରବିବାର ଶ୍ରୀନଗରେ ଆତଙ୍କୀଙ୍କ ଗୁଳିମାଡରେ ଦେଶପାଇଁ ଶହୀଦ ହୋଇଥିଲେ ଅରଶଦ ।
ଅରଶଦ ଜମ୍ମୁ କାଶ୍ମୀର କୁପୱାଡା ନିବାସୀ ଥିଲେ । ମାତ୍ର କିଛି ଦିନ ପୂର୍ବରୁ ସବ-ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ଶ୍ରୀନଗର ଖାନିୟାର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ରବିବାର ଶ୍ରୀନଗରରେ ଆତଙ୍କବାଦ ଓ ପୋଲିସ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଶହୀଦ ହୋଇଥିଲେ ଅରଶଦ । ଆତଙ୍କୀ ଅରଶଦଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୁର୍ଭାଗ୍ୟବଶତଃ ସେ ଶହୀଦ ହୋଇଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କ ମରଶରୀର କୁପୱାଡାରେ ପହଞ୍ଚିଥିଲା ।
ଏହା ପରେ ଜନସମୁଦ୍ର ପାଲଟିଥିଲା ସ୍ଥାନୀୟ ଅଞ୍ଚଳ । ଆଖି ଆଉ ମାଟି ଭିଜିଥିଲା ଲୁହରେ । ପୁଅକୁ ହରାଇ ବୁକୁଫଟା ଚିତ୍କାର କରିଥିଲା ମାଆ । ଶହୀଦଙ୍କ ମରଶରୀରକୁ ଟିକେ ଛୁଇଁବାକୁ ଲାଗିଥିଲା ଭିଡ । ଲୋମ ଟାଙ୍କୁରି ହୋଇଗଲା ଭଳି ଥିଲା ସେ ଦୃଶ୍ୟ । ଜଣେ ଦକ୍ଷ ଓ ସାହସୀ ଯୁବ ଅଧିକାରୀଙ୍କୁ ହରାଇଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ । ଛାତିରେ କୋହ ଆଖିରେ ଲୁହ ସହିତ ଅରଶଦଙ୍କୁ ବିଦାୟ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ