ବିଶ୍ବବ୍ୟାପୀ ୱେବ୍ ଜରିଆରେ ଇଣ୍ଟରନେଟ କାର୍ଯ୍ୟକଳାପ ବଢିଚାଲିଛି ଏବଂ ଏସବୁର ମାଧ୍ୟମ ଭାବେ ସ୍ମାର୍ଟ ଫୋନ୍ ବ୍ୟବହାର ବି ବଢୁଛି । ଏଥିସହିତ ସାଇବର ଅପରାଧୀମାନେ ଶିକାରୀ ଭଳି ଘୁରି ବୁଲୁଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ 2019ରେ ଦେଶରେ 4 ଲକ୍ଷ ସାଇବର ଆକ୍ରମଣ ଘଟଣା ଘଟିଛି । ଏହା ପରବର୍ତ୍ତୀ କୋଭିଡ ମହାମାରୀ ବ୍ୟାପିଥିବା ବର୍ଷରେ ସାଇବାର ଆକ୍ରମଣ ସଂଖ୍ୟା ସାଢେ 11 ଲକ୍ଷରେ ପହଞ୍ଚିଛି । କମ୍ପ୍ୟୁଟର ସୁରକ୍ଷା ଯୋଗାଉଥିବା ସଂସ୍ଥା ସୋଫୋସ କରିଥିବା ଏକ ଅଧ୍ୟୟନ ଅନୁଯାୟୀ ବର୍ଷକ ମଧ୍ୟରେ ଦେଶର 52 ପ୍ରତିଶତ ସଂସ୍ଥା ସାଇବର ଆକ୍ରମଣର ଶିକାର ହୋଇଛନ୍ତି । ସାରା ବିଶ୍ବରେ 35 କୋଟି ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି, କେବଳ ଭାରତରେ ସାଇବର ଅପରାଧର ଶିକାର ହୋଇଥିବା ସଂଖ୍ୟା ହେଉଛି 13 କୋଟି ।
ଯଦିଓ ଅନଲାଇନ କ୍ରାଇମ୍, ଅନଲାଇନ ଗ୍ୟାମ୍ବଲିଂ ଏବଂ ଲୋନ୍ ଆପ୍ ଜରିଆରେ ଠକେଇ ସଂଖ୍ୟା ଦେଶରେ ଅତ୍ୟଧିକ ଭାବେ ବଢି ଚାଲିଛି, ଏସବୁ ମାମଲାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ ରହିଛି । ପ୍ରମାଣ ଅଭାବରୁ 50 ପ୍ରତିଶତ ସାଇବର ଠକେଇ ମାମଲା ପ୍ରାଥମିକ ତଦନ୍ତ ସ୍ତରରେ ହିଁ ବନ୍ଦ ହୋଇଯାଉଛି । ଗୋଆ ଭଳି ରାଜ୍ୟରେ ଗତ କିଛି ବର୍ଷ ଭିତରେ ସାଇବର ଅପରାଧ ମାମଲାରେ ଜଣଙ୍କୁ ହେଲେ ବି ଦଣ୍ଡବିଧାନ ହୋଇନାହିଁ । ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଅପରାଧୀମାନେ କିପରି କୌଶଳତାର ସହ ଆଇନର ଜାଲରୁ ଖସି ଯାଉଛନ୍ତି ।
ଦୋଷୀକୁ ଧରିବାରେ ସାଇବର ପୋଲିସ ନିଜର ଅସହାୟତା ପ୍ରକାଶ କରୁଛନ୍ତି । ସେମାନଙ୍କ ମତରେ ସେମାନେ ଗୋଟିଏ ମାମଲାର ସମାଧାନ ନକରୁଣୁ ଆହୁରି 20ରୁ 30 ମାମଲା ସେମାନଙ୍କ ପାଖରେ ପହଞ୍ଚୁଛି । ଏପରିକି ଅପରାଧୀକୁ ଚିହ୍ନଟ କରିବା ଓ ଧରିବା ପରେ ବି ଅପରାଧରେ ସଂପୃକ୍ତ ଟଙ୍କା ସେମାନେ ଉଦ୍ଧାର କରିପାରୁ ନାହାଁନ୍ତି । କାରଣ ସେମାନେ ପହଞ୍ଚିବା ପୂର୍ବରୁ ଟଙ୍କା ଅନ୍ୟ ସ୍ଥାନକୁ ଟ୍ରାନସଫର ହୋଇଯାଉଛି ।
ଲୋନ୍ ଆପ୍ ଗୁଡିକ ବଡ଼ ସମସ୍ୟା ସୃଷ୍ଟି କରୁଛନ୍ତି ଯାହାକୁ ରାଜ୍ୟ ସରକାର ମାନେ ମୁକାବିଲା କରି ପାରୁନାହାଁନ୍ତି । ଅନେକ ଆତ୍ମହତ୍ୟା ଘଟଣା ପାଇଁ ଦାୟୀ ରହୁଥିବା ଏସବୁ ଆପ୍ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ କରିବାରେ ମଧ୍ୟ ରାଜ୍ୟ ସରକାରମାନେ ସକ୍ଷମ ହେଉନାହାଁନ୍ତି । ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ ନକଲେ ସାଇବର ଅପରାଧ ରୋକିବା ସମ୍ଭବପର ହେବନାହିଁ ।
ମହାମାରୀ କାରଣରୁ ୱାର୍କ ଫ୍ରମ୍ ହୋମ୍ (ଘରୁ କାମ କରିବା) ଏକ ଲୋକପ୍ରିୟ ପରମ୍ପରା ହୋଇଥିବା ବେଳେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଭଳି ସହରରେ ବ୍ୟକ୍ତିଗତ ତଥ୍ୟ ଚୋରି ହେବା ମଧ୍ୟ ବଢିବାରେ ଲାଗିଛି । ହାଇଦ୍ରାବାଦରେ ଘଟିଥିବା ଏପରି ଏକ ଘଟଣାରେ ନବମ ଶ୍ରେଣୀର ଜଣେ ଛାତ୍ର ଏକ ଡାକ୍ତରୀ ଛାତ୍ର ନାଁରେ ଅଶ୍ଲୀଳ ବାର୍ତ୍ତା ପଠାଇପାରିଛନ୍ତି । ଫିସିଂ ଜରିଆରେ କ୍ରେଜିଟ୍ କାର୍ଡ ସମ୍ପର୍କୀତ ତଥ୍ୟ ହ୍ୟାକିଂ କରିବାର ଅନେକ ଖବର ପ୍ରକାଶ ପାଉଛି । ଅପରାଧୀ ଋଣ ଏବଂ ଉପହାର ଆଦିର ଲୋଭନୀୟ ଉପହାରର ଲୋଭ ଦେଖାଇ ଲୋକଙ୍କୁ ସେମାନଙ୍କୁ ଠକାମୀର ଶିକାର କରୁଛନ୍ତି । ଫିସିଂ ଏବଂ ଅନଲାଇନ ହଇରାଣ ହରକତ କରୁଥିବା ଅପରାଧୀଙ୍କ ପାଇଁ ଆଇନରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ହେଲେ ସେମାନଙ୍କୁ ଠିକ୍ ସମୟରେ ଯଦି ଜେଲ୍ ଚାରିକାନ୍ଥରେ ବାନ୍ଧି ନହେବ ତେବେ ଆଇନର କୌଣସି ଅର୍ଥ ନାହିଁ । ଆମେରିକା, କାନାଡ଼ା, ଇଂଲଣ୍ଡ, ଋଷିଆ, ବ୍ରାଜିଲ୍ ଆଦି ରାଷ୍ଟ୍ର ଏବଂ ଅନ୍ୟମାନେ ସାଇବର ଅପରାଧ ନିୟନ୍ତ୍ରଣ କରିବାକୁ ଦିନକୁ ଦିନ ସେମାନଙ୍କର ରଣନୀତି ତୀକ୍ଷଣ କରୁଛନ୍ତି । ମାତ୍ର ଗୋଟିଏ ବର୍ଷରେ ଯେଉଁଠି 1.25 ଲକ୍ଷ କୋଟି ଟଙ୍କା ଚୋରି କରି ନେଉଛନ୍ତି ସେଭଳି ଅବସ୍ଥାରେ କର୍ତ୍ତୃପକ୍ଷ ସାଇବାର ଅପରାଧୀଙ୍କ ପ୍ରତି କିପରି ଢିଲା ନୀତି ଆପଣେଇ ପାରିବେ ?
ଆମ ଦେଶରେ ଜଣେ ଅନ୍ୟ ଜଣଙ୍କର ଜୀବନ ନେବା କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଉଛି । କିନ୍ତୁ ସାଇବର ଅପରାଧୀ ଯେଉଁମାନେ ଅନେକ ଜୀବନ ନଷ୍ଟ କରି ଦେଉଛନ୍ତି ସେମାନଙ୍କ ପ୍ରତି କୋହଳ ପ୍ରଦର୍ଶନ କରାଯାଉଛି । ସାଇବର ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଠୋର କରିବା ପାଇଁ ଆଇନର ସମୀକ୍ଷା କରି ଏହାର ପରିବର୍ତ୍ତନ କରାଯିବା ଉଚିତ୍ ।
ବେଙ୍ଗାଲୁରୁ ସିଟି ପୋଲିସ ଏକ ସିଷ୍ଟମ ସ୍ଥାପନ କରିଛନ୍ତି ଯେଉଁଥିରେ ଅପରାଧ ଏକ ଟେଲିଫୋନ ସେବା-112ରେ ରିପୋର୍ଟ କରାଯିବାର ଦୁଇ ଘଣ୍ଟା ଭିତରେ ଠକିଥିବା ସଂସ୍ଥା ଓ ଲୋକର ଆକାଉଣ୍ଟରୁ ଠକାମୀର ଶିକାର ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର ହୋଇଯିବ । ଏଭଳି ଯୋଜନା ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସମ୍ପ୍ରସାରିତ ହେବା ଉଚିତ୍ । ଏସବୁ ମାମଲା ପରିଚାଳନା ପାଇଁ ପାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରି ସାଇବର ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରାଯିବା ଉଚିତ୍ । ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଟେକନୋଲୋଜି ପ୍ରୟୋଗ କରିପାରିଲେ ସାଇବର ଅପରାଧ ରୋକିପାରିବା ।