ଶ୍ରୀନଗର: କିଛି ଦିନର ନିରବତା ପରେ ଆଜି ଘାଟିରେ ପୁଣି ଦେଖିବାକୁ ମିଳିଛି ପଥର ମାଡ ଘଟଣା । ଏଥର କେହି ଅଣ ସ୍ଥାନୀୟ କିମ୍ବା ସୁରକ୍ଷାବଳର ଯବାନ ନୁହନ୍ତି ବରଂ ଫିଲ୍ମର ସୁଟିଂ ପାଇଁ ଯାଇଥିବା ଅଭିନେତା ଇମ୍ରାନ ହାସମୀଙ୍କୁ ପଥର ମାଡର ଶିକାର ହେବାକୁ ପଡିଛି (Stone pelting on Emraan Hashmi in Pahalgam) । ହାସମୀ ଏବେ ନିଜର ଅପକମିଂ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ସୁଟିଂ ପାଇଁ କିଛି ଦିନ ହେବ କାଶ୍ମୀରରେ ଅଛନ୍ତି । ତେବେ ଆଜି ସଂଧ୍ୟାରେ ତାଙ୍କୁ ପେହେଲଗାମ ମାର୍କେଟ ନିକଟରେ ପଥରମାଡ ହୋଇଥିବା ସୂଚନା ମିଳିଛି । ଏନେଇ କାଶ୍ମୀର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ମଧ୍ୟ ଆରମ୍ଭ କରିଛି ।
ସଦ୍ୟତମ ସୂଚନା ଅନୁସାରେ, ସୁଟିଂ ଶେଷ ହେବା ପରେ ହାସମୀ ସ୍ଥାନୀୟ ପେହେଲଗାମ ମାର୍କେଟକୁ ଯାଇଥିଲେ । ସେଠାରେ ତାଙ୍କୁ କିଛି ଦୁର୍ବୃତ୍ତ ତାଙ୍କୁ ପଥର ମାଡ କରି ଫେରାର ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ଘାଟିରେ ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ କରି ଚର୍ଚ୍ଚାକୁ ଆସିଥିଲେ ବିଚ୍ଛିନ୍ନତାବାଦୀ । ପରେ ଏହି ପରମ୍ପରାରେ ସ୍ଥାନୀୟ ଯୁବକ,ଯୁବତୀ ଓ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏପରି ସମସ୍ୟା ପାଇଁ ଭାରତୀୟ ସେନା ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଧାରା 370 ଓ ଅନୁଚ୍ଛେଦ 35-(କ) ଉଚ୍ଛେଦ ପରେ ଘାଟିରେ ଏହି ପରମ୍ପରା ପ୍ରାୟତଃ ବନ୍ଦ ହୋଇଥିଲା । ବିଛିନ୍ନତାବାଦୀ ଓ ଭାରତ ବିରୋଧୀ ନାରା ଦେଉଥିବା କିଛି ସଂଗଠନ ଯୁବକ, ଯୁବତୀଙ୍କୁ ଏପରି କରିବା ପାଇଁ ପ୍ରବର୍ତ୍ତାଇବାରେ ସଫଳ ନହେବାରୁ ଏପରି ଘଟଣା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଘାଟିରେ ମଧ୍ୟ ସାଧାରଣ ଲୋକେ ପୋଲିସ ଓ ସୁରକ୍ଷା ବଳକୁ ସହଯୋଗ କରିବା ଆରମ୍ଭ କରିଥିଲେ । ପରେ ଆତଙ୍କବାଦୀ ୟାସୀନ ମଲ୍ଲିକକୁ ଦଣ୍ଡାଦେଶ ଶୁଣାଇବା ବେଳେ ମଲ୍ଲିକର ଘର ଓ ଆଖାପାଖ ଅଞ୍ଚଳରେ ଉତ୍ତେଜନା ଓ ପଥର ମାଡ ଘଟଣା ଦେଖିବାକୁ ମିଳିଥିଲା । ଏନେଇ ପୋଲିସ କଠୋର ହେବା ସହ ଏକାଧିକ ଯୁବକଙ୍କୁ ଗିରଫ କରିଥିଲା । ଏବେ ପୁଣି କିଛି ମାସର ବ୍ୟବ୍ୟଧାନ ମଧ୍ୟରେ ଅଭିନେତା ଇମ୍ରାନ ହାସମି ପଥର ମାଡର ଶିକାର ହୋଇଛନ୍ତି (Stone pelting on Emraan Hashmi in Pahalgam)।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ