ଅଯୋଧ୍ୟା: ଧର୍ମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବ । ଯାହାକି ବିଶ୍ବର ସବୁଠୁ ବଡ ପ୍ରତିମୂର୍ତ୍ତି ଭାବେ ସ୍ଥାନ ପାଇବ । ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟ(Statue of Unity) ନିର୍ମାଣ କରିଥିବା ବିଶ୍ବପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଭୂଷଣ ସମ୍ମାନପ୍ରାପ୍ତ ରାମ ଭି ସୁତାର(Ram V. Sutar) ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବେ । ପ୍ରଭୁ ରାମଙ୍କ ଏହି ପ୍ରତିମା ଦୁନିଆର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି କୁହାଯାଉଥିବା Statue of Unityକୁ ପଛରେ ପକାଇବ । ଏହି ପ୍ରତିମୂର୍ତ୍ତିିର ଉଚ୍ଚତା ପ୍ରାୟ ୨୫୧ ମିଟର ରହିବ ବୋଲି ଜଣାପଡିଛି ।
ଖ୍ୟାତିନାମା ଶିଳ୍ପୀ ସୁତାର ବର୍ତ୍ତମାନ ନିଜ ପୁଅଙ୍କ ସହ ରାମ ଜନ୍ମଭୂମି ଅଯୋଧ୍ୟାରେ ଅଛନ୍ତି । ପଦ୍ମଭୂଷଣ ସମ୍ମାନପ୍ରାପ୍ତ ଏହି ପ୍ରସିଦ୍ଧ ମୂର୍ତ୍ତି କାରିଗର ମୁମ୍ବାଇରେ ଛତ୍ରପତି ଶିବାଜୀଙ୍କ ୨୧୨ ମିଟର ଉଚ୍ଚ ବିଶାଳ ପ୍ରତିମା ନିର୍ମାଣ କରିଥିଲେ । ଏହାସହିତ ବାବା ସାହେବ ଆମ୍ବେଦରକଙ୍କ ୧୩୭ ମିଟର ପ୍ରତିମୂର୍ତ୍ତି, କର୍ଣ୍ଣାଟକରେ ୪୬.୬ ମିଟର ଉଚ୍ଚ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ତିଆରି କରିଥିଲେ ।
ଏହାମଧ୍ୟ ପଢନ୍ତୁ: ଅକ୍ଟୋବର 11ରେ ମହାକାଳେଶ୍ବର ମନ୍ଦିର ପ୍ରକଳ୍ପର ଉଦ୍ଘାଟନ କରିବେ ମୋଦି
ରାମ ଭି ସୁତାର ଜଣାଇଛନ୍ତି ଯେ, ''ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିର ଉଚ୍ଚତା ୨୫୧ ମିଟର ରହିବ । ଯାହାକି ଷ୍ଟାଚ୍ୟୁ ଅଫ୍ ୟୁନିଟ ଠାରୁ ୬୯ ମିଟର ଅଧିକ ଉଚ୍ଚ । ଗୁଜୁରାଟରେ ନିର୍ମିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତି ୧୮୨ ମିଟର ଉଚ୍ଚତା ସମ୍ପନ୍ନ ଅଟେ । ବର୍ତ୍ତମାନ ବିଶ୍ବର ସବୁଠୁ ବଡ ପ୍ରତିମୂର୍ତ୍ତିର ରେକର୍ଡ ଏହାର ନାମରେ ରହିଛି । ରାମ ସୁତାର ଏବଂ ତାଙ୍କ ପୁଅ ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତିର ଡିଜାଇନ ପ୍ରସ୍ତୁତ କରିଛନ୍ତି । ଏହି ପ୍ରତିମୂର୍ତ୍ତି ଶିଳ୍ପୀଙ୍କ ସାହିବାବାଦ ସ୍ଥିତ କାର୍ଯ୍ୟାଶାଳରେ ତିଆରି କରାଯିବ । ଏହି କାର୍ଯ୍ୟରେ ପାଖାପାଖି ୨ ହଜାର କାରିଗର ନିୟୋଜିତ ହେବେ । ତେବେ ଗୁଜୁରାଟରେ ତିଆରି Statue of Unityକୁ ୧୦୦୦ କୁଶଳୀ କାରିଗର ସାଢେ ୩ ବର୍ଷ ମଧ୍ୟରେ ପ୍ରସ୍ତୁତ କରିଥିଲେ ।
ପ୍ରକାଶଥାଉ କି, ୨୦୨୦ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ସେହିଦିନ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ପ୍ରାୟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।