ନୂଆଦିଲ୍ଲୀ: ଦିଲ୍ଲୀରେ ନାଇଟ କର୍ଫ୍ୟୁ । ଆଜି ଠୁ ଏପ୍ରିଲ 30 ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କଲେ ସରକାର । ରାତି 10 ଟାରୁ ସକାଳ 5ଟା ଯାଏଁ ଲାଗୁ ହେବ କଟକଣା । ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ରାତ୍ରୀକଳିନ କର୍ଫ୍ୟୁ ଲଗାଇବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ।
ନାଇଟ କର୍ଫ୍ୟୁ ସମୟରେ ଗାଡିଚଳାଚଳ ରହିବ । ଟୀକାକରଣ ପାଇଁ ଯାଉଥିବା ବ୍ୟକ୍ତିଙ୍କୁ ଇ-ପାସ ମାଧ୍ୟମରେ ଅନୁମତି ମିଳିବ । ସମସ୍ତ ଜରୁରୀ ସେବା ଯୋଗାଇ ଦିଆଯିବ । ରାସନ, ପରିବା , କ୍ଷୀର କିମ୍ବା ମେଡିସିନ ଆଣିବାକୁ ଯାଉଥିବା ବ୍ୟକ୍ତି ପାସ ଦେଖାଇବେ ।
ସେହିପରି ସ୍ବାସ୍ଥ୍ୟସେବାରେ ଥିବା ଡାକ୍ତର, ନର୍ସ, ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ । ସୋମବାର ରାଜ୍ୟରୁ 3548 ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 15 ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଥିଲା ।
ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନର ସ୍ଥିତି ଦେଖି ଲକଡାଉନ ଲାଗୁ କରାଯିବ ନାହିଁ ବୋଲି କହିଥିଲେ । ତେବେ ସ୍ଥିତିକୁ ସମୀକ୍ଷା କରାଯାଉଛି । ଜନସାଧାରଣଙ୍କ ପରାମର୍ଶ କ୍ରମେ ପଦକ୍ଷେପ ନିଆଯିବ କହିଥିଲେ ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର, ରାଜସ୍ଥାନ ଭଳି ରାଜ୍ୟରେ ସଂକ୍ରମଣ ସାଙ୍ଘାତିକ ଭାବେ ବଢୁଥିବାରୁ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ହୋଇଛି ।ମହାରାଷ୍ଟ୍ରରେ ସପ୍ତାହକ ଲକଡାଉନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ