ଚେନ୍ନାଇ: ତାମିଲନାଡୁରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । 2021 ଶେଷ ଆଡକୁ ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ଦୁଇ ପ୍ରମୁଖ ପାର୍ଟି ଡିଏମକେ ଓ ଶାସକ ଦଳ ଏଡିଏମକେ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି ।
ଏଡିଏମକେ ନେତା ତଥା ମୁଖ୍ୟମନ୍ତ୍ରୀ ଇ ପାଲାନିସ୍ବାମୀ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କୁ ‘କହିବାର ନାୟକ’ ବୋଲି ଦର୍ଶାଇଥିବାବେଳେ ଏହାର ଜବାବ ଦେଇଛନ୍ତି ଷ୍ଟାଲିନ । ସେ ମୁଖ୍ୟମନ୍ତ୍ରୀଙ୍କୁ ‘ଦୁର୍ନୀତିର ନାୟକ’ ବୋଲି ସମ୍ବୋଧନ କରିଛନ୍ତି ।
ଷ୍ଟାଲିନ କହିଛନ୍ତି,‘ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ନାମ ଦେବାକୁ ଚାହୁଁଛି - ‘ଦୁର୍ନୀତିର ନାୟକ’ ।’ ଏହି ଅବସରରେ ଷ୍ଟାଲିନ ନୂଆ କୃଷି ଆଇନକୁ ନେଇ ମଧ୍ୟ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି । ଏହାସହ ଚେନ୍ନାଇରେ ତାଙ୍କ ଦଳ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଉପବାସ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ସେହିପରି କେନ୍ଦ୍ର ସରକାର ମହାମାରୀକୁ କୃଷି ବିଲ ପାରିତ କରିବାର ଏକ ସୁଯୋଗ ଭାବେ ବ୍ୟବହାର କଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଜେପି ଓ ଏଆଇଏଡିଏମକେ ସରକାର ଲୋକଙ୍କ ବିରୋଧରେ ଯାଇ କୃଷି ଆଇନକୁ ପାରିତ କରିଥିବାରୁ ସେ ଏହାକୁ ନେଇ ଦୁଇ ଦଳକୁ ଟାର୍ଗେଟ କରିଛନ୍ତି ।
ସୂଚନାଥାଉକି, ନଭେମ୍ବର 26 ତାରିଖରୁ ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ