ନୂଆଦିଲ୍ଲୀ: ଆଜି(ମଙ୍ଗଳବାର) ମୁମ୍ବାଇରେ ଅଚାନକ ଅବତରଣ କରିଛି ସ୍ପାଇସଜେଟର ଆଉ ଏକ ବିମାନ(SpiceJet Q400 plane conducts priority landing in Mumbai) । ମଝି ଆକାଶରେ ପବନ ଯୋଗୁଁ ବିମାନର ୱିଣ୍ଡସିଲ୍ଡ(windshield)ରେ ଫାଟ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ପାଇଲଟଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ହଠାତ୍ ବିମାନ ଅବତରଣ କରିବାକୁ ପଡିଛି । ଗତ ୧୭ ଦିନ ଭିତରେ ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟିର ଏହା ହେଉଛି ସପ୍ତମ ଘଟଣା ।
DGCA ଅଧିକାରୀ କହିଛନ୍ତି, ୨୩ ହଜାର ଫୁଟ ଉଚ୍ଚରେ ସ୍ପାଇସଜେଟର କାଣ୍ଡଲା-ମୁମ୍ବାଇ(Kandla - Mumbai) Q400 ବିମାନର ୱିଣ୍ଡସିଲ୍ଡରେ ଫାଟ ସୃଷ୍ଟି ହୋଇଥିଲା । ଯାହାପରେ ବିମାନକୁ ମୁମ୍ବାଇ ଠାରେ ସୁରକ୍ଷିତ ଅବତରଣ କରାଯାଇଛି । ଏହା ପୂର୍ବରୁ ଆଜି ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିବା ସ୍ପାଇସଜେଟର ଏକ ବିମାନ କରାଚିରେ ଜରୁରୀ ଅବତରଣ କରିଥିଲା । ପାକିସ୍ତାନ ଆକାଶରେ ଉଡୁଥିବାବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣକୁ କରାଚୀ ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା ।
ଆଜି(ମଙ୍ଗଳବାର) ଘଟିଥିବା ଏହି ଦୁଇଟିଯାକ ଘଟଣାରେ ତଦନ୍ତ ଆରମ୍ଭ କରାଯାଇଛି । ଏହାବ୍ୟତୀତ ପୂର୍ବରୁ ୫ଟି ବିମାନର ଜରୁରୀ ଅବତରଣ ଘଟଣାର ମଧ୍ୟ ଯାଞ୍ଚ ଜାରି ରହିଥିବା DGCA ପକ୍ଷରୁ କୁହାଯାଇଛି ।