ଅମ୍ବାଲା: ନିଶ୍ବାସ ଟିକକ ପାଇଁ କଲବଲ ଜୀବନ । କୋରୋନା କହର ଭିତରେ ଗୋଟିଏ ପଟେ ଅକ୍ସିଜେନ ସଙ୍କଟରେ ଜୁଝୁଛି ଭାରତ.. ଅନ୍ୟପଟେ ଅମ୍ବାଲାର ଜଣେ ବ୍ୟକ୍ତି ନିଜ ଘରେ ଲଗାଇଛନ୍ତି ଅକ୍ସିଜେନ ପ୍ଲାଣ୍ଟ । ଆଜ୍ଞା ! ହଁ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ .. କିନ୍ତୁ କିଛି ଏଭଳି ଚିତ୍ର ଦେଖିବାକୁ ମିଳିଛି ଅମ୍ବାଲାର ମନାଲୀ ହାଉସରେ ରହୁଥିବା 78 ବର୍ଷୀୟ ପ୍ରଫେସର ବେଦ ପ୍ରକାଶ ବିଜଙ୍କ ଘରେ । ନାନା ରକମର ଗଛଲତାରେ ଭରି ରହିଛି ତାଙ୍କର ପୂରା ବିଲ୍ଡିଂ ।
ପ୍ରଫେସର ବେଦ ପ୍ରକାଶ ବିଜ କୁହନ୍ତି କି , ‘‘ମତେ ଲାଗେ କି ଆପଣ ଯଦି ପ୍ରକୃତି ଆଖପାଖରେ ରହୁଛନ୍ତି ତେବେ ପ୍ରକୃତି ଆପଣଙ୍କୁ ସବୁ କିଛି ଦେବ । ଯାହାର କଳ୍ପନା ଆପଣ କେବେ କରିନଥିବେ । ମୋତେ ଜୀବନରେ ବହୁତ କିଛି ମିଳିଛି । ଆଉ ଏସବୁର କାରଣ ହେଉଛି ଗଛ ।’’
ପ୍ରଫେସର ବେଦ ପ୍ରକାଶ ନିଜ ଘରେ 1 ହଜାରରୁ ଅଧିକ କୁଣ୍ଡରେ ଶତାଧିକ ଗଛ ଲଗାଯାଇଛନ୍ତି । ଯାହାଦ୍ବାରା ତାଙ୍କ 3 ମହଲା କୋଠା ଗଛଲତାରେ ପରିପୂର୍ଣ୍ଣ ହୋଇ ସବୁଜ ସୁନ୍ଦର ରହିଛି ।
ଏଭଳି ଅଭିନବ ପ୍ରୟାସ ନେଇ ପ୍ରଫେସର ବେଦ ପ୍ରକାଶ କୁହନ୍ତି, ତାଙ୍କ ଗୁରୁ 1982 ମସିହାରେ ଏକ ଫୁଲ ଗଛ ଦେଇଥିଲେ । ଆଉ ସେବେଠୁ ତାଙ୍କୁ ଗଛ ଲଗାଇବା ନିଶା ଚଢିଗଲା । 40 ବର୍ଷ କାଳ ଶିକ୍ଷକ ଭାବେ ଚାକିରୀ କରିବା ପରେ ସେ 2004 ରେ ଅବସର ନେଇଥିଲେ । ଏହା ପରଠୁ ସେ କେବଳ ଘରେ ରହି ଗଛଗୁଡିକର ରକ୍ଷଣାବେକ୍ଷଣ କରିଆସୁଛନ୍ତି ।
ଛୁଆ ବଡ ହୁଅନ୍ତି, ମୋର ବି ବୟସ ବଢିଚାଲିଛି । ଘରକୁ ସୁନ୍ଦରରୁ ସୁନ୍ଦର ଭାବେ ଗଢିତୋଳିବାକୁ ମୁଁ ଏଭଳି କାମ ଆରମ୍ଭ କରିଛି । ମୁଁ ମୋ ସ୍ତ୍ରୀଙ୍କୁ କହିଛି କି ତୁମେ ଘର କାମ ଦେଖ ଆଉ ମୁଁ ବାହାର କାମ ଦେଖିନେବି । ଉଭୟ ମିଶି ଘରକୁ ସୁନ୍ଦର କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ପ୍ରଫେସର ବେଦ ପ୍ରକାଶ ବିଜ ।
ବେଦ ପ୍ରକାଶଙ୍କ ପାଖରେ 80 ପ୍ରକାରର ପ୍ଲାଣ୍ଟ ପରମାନେଣ୍ଟ ରହିଛି । ଯାହାକି ଋତୁ ଅନୁଯାୟୀ ଫୁଟିଥାଏ । ସେ ଇଂଲଣ୍ଡର ଲିଫ୍ଟନ ନର୍ସରୀରୁ ଫ୍ରିଜିଆ ବ୍ରିଡର ଗଛ ଆଣି ନିଜ ଘରେ ଲଗାଇଛନ୍ତି । ତେବେ ପ୍ରଫେସର ବେଦ ପ୍ରକାଶଙ୍କ ଅଧିକ ପସନ୍ଦ ଭାରତୀୟ ପ୍ରଜାତିର ଫୁଲ ।
ଯେବେ ମୁଁ କିଚେନରୁ କାମ ସାରି ବାହାରକୁ ଆସେ , ସେତେବେଳେ ମୋ ଥକାପଣ ପୂରା ଉଭେଇଯାଏ । ଯେବେ ସକାଳୁ ଉଠୁ , ଦେଖୁ କୌଣସି ନୂଆ ଫୁଲ ଫୁଟିଥାଏ । ଆଉ ଉଭୟ - ଉଭୟଙ୍କୁ ଡାକି ସେହି ନୂଆ ପୁଲ ଦେଖି ଆନନ୍ଦ ନେଉ ବୋଲି କୁହନ୍ତି ବେଦ ପ୍ରକାଶଙ୍କ ସ୍ତ୍ରୀ ସୁରେନ୍ଦ୍ର ବିଜ ।
ଏହି ଶସ୍ୟଶ୍ୟାମଳା ସୌନ୍ଦର୍ଯ୍ୟଭରା ଘର ପଛରେ ବେଦପ୍ରକାଶଙ୍କ ସ୍ତ୍ରୀଙ୍କ ବଡ ଯୋଗଦାନ ରହିଛି । ସେ ଗଛଗୁଡିକର ରକ୍ଷଣାବେକ୍ଷଣା କରନ୍ତି । ଆଉ ସମୟ ସମୟରେ ପାଣି ବି ଦିଅନ୍ତି । ବେଦ ପ୍ରକାଶଙ୍କ ସ୍ତ୍ରୀ ସୁରେନ୍ଦ୍ର ବିଜ ଡବଲ ଗ୍ରାଜୁଏଟ ସହ ଜଣେ ଗୃହିଣୀ । ଏଥିସହ ଜଣେ ପ୍ରକୃତି ପ୍ରେମୀ ମଧ୍ୟ ।
ପ୍ରକୃତି ଆମର ରକ୍ଷକ , ଆଉ ତାର ସୁରକ୍ଷା ଆମ କର୍ତ୍ତବ୍ୟ । ସମ୍ପ୍ରତ୍ତି ସଙ୍କଟ ସମୟରେ ସୁସ୍ଥ ରହିବା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ । ଦର୍ଶକବନ୍ଧୁ ଆମେ ସମସ୍ତେ ବେଦ ପ୍ରକାଶଙ୍କ ଭଳି ନିଜ ନିଜ ଘରେ ଛୋଟବଡ ଗଛ ଲଗାଇପାରିବା ତେବେ ନିଜେ ସୁସ୍ଥ ସହ ଭବିଷ୍ୟତ ମଧ୍ୟ ସୁନ୍ଦର ହୋଇପାରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ