ଅହମ୍ମଦାବାଦ: ମିଛ ପ୍ରତିଶୃତି ଦେଇ ପ୍ରେମରେ ପ୍ରତାରଣା । ଚାକିରିର ଲୋଭ ଦେଖାଇ ପ୍ରଥମେ ଯୁବତୀଙ୍କୁ ବିହାରରୁ ଅହମ୍ମଦାବାଦ ଡକାଇଲେ । ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । ଗର୍ଭବତୀ ହେବା ପରେ ଯୁବତୀଙ୍କୁ ବିବାହ କରିବାକୁ ମନା କରି ଧୋକା ଦେଲେ ସ୍ପା ମାଲିକ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦରେ ।
ସୂଚନା ଅନୁସାରେ, ବିହାରର ମୂଳ ବାସିନ୍ଦା ଜଣେ 26 ବର୍ଷୀୟା ଯୁବତୀ 2017 ମସିହାରେ ଅହମ୍ମଦାବାଦ ଆସିଥିଲେ । ସେଠାରେ ଯୁବତୀଙ୍କ ଭଉଣୀ ତାଙ୍କୁ ଏକ ସ୍ପାରେ ମସାଜ ଥେରାପିଷ୍ଟ ଭାବରେ ଚାକିରି କରାଇ ଦେଇଥିଲେ । ଏହା ପରେ ଯୁବତୀ ଜଣକ ଦୁଇ ଦିନ ନିଜ ଭଉଣୀଙ୍କ ପାଖରେ ରହିବା ପରେ କାହାକୁ କିଛି ନଜଣାଇ ନିଜ ଘରକୁ ଚାଲିଯାଇଥିଲେ । ଏହାସହ ନିଜ ଫୋନକୁ ମଧ୍ୟ ବନ୍ଦ କରିଦେଇଥିଲେ । ତେବେ 2020 ମସିହାରେ କେରଳର ଆନନ୍ଦ ଜଏସ ସଜିକୁମାର ନାମକ ଜଣେ ସ୍ପା ମାଲିକ ଯୁବତୀଙ୍କ ଫେସବୁକ୍ ପ୍ରୋଫାଇଲ ଦେଖି ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏହାସହ ଯୁବତୀଙ୍କୁ 20 ହଜାର ଟଙ୍କା ଦରମା ଦେବା ସହ ସ୍ପାରେ ମ୍ୟାନେଜର କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ଯୁବତୀ ଜଣଙ୍କ ପୁଣି ଥରେ ବିହାରରୁ ଅହମ୍ମଦାବାଦର ପାଲଡିରେ ଥିବା ସେହି ସ୍ପା ସେଣ୍ଟରକୁ ଆସି ସେଠାରେ ଚାକିରି କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ....ଚାକିରି ଲୋଭରେ ବିଦେଶ ଯାଇଥିଲେ, ପ୍ରତାରଣାର ଶୀକାର ହୋଇ ଫେରିଲେ 2 ଯୁବତୀ
ତେବେ ଚାକିରି କରିବାର କିଛି ଦିନ ପରେ ସ୍ପା ମାଲିକଙ୍କ ସହ ଯୁବତୀଙ୍କର ସମ୍ପର୍କ ନିବିଡ଼ ହେବାରେ ଲାଗିଲା । ଦିନେ ସ୍ପା ମାଲିକ ଯୁବତୀଙ୍କୁ ବାହାରକୁ ବୁଲାଇ ନେବା ସହ ସେଠାରେ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲା ଏବଂ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏହା ପରେ ଏକ ଭଡା ଘର ନେଇ ସେଠାରେ ଯୁବତୀଙ୍କୁ ସ୍ତ୍ରୀ ଭାବରେ ରଖିଥିଲା । ତେବେ ଯବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ବନ୍ଧ ରଖିବା ଫଳରେ ଯୁବତୀ ଜଣଙ୍କ ଦୁଇଥର ଗର୍ଭବତୀ ହୋଇଥିଲେ, କିନ୍ତୁ ସ୍ପା ମାଲିକ ଜଣକ ଯୁବତୀଙ୍କୁ ଗର୍ଭନିରୋଧ ବଟିକା ଦେଇ ତାଙ୍କ ଗର୍ଭପାତ କରାଇଥିଲା ।
ଦିନେ ଅଭିଯୁକ୍ତ ଆନନ୍ଦ ନିଜ ଘରକୁ ଯିବାକୁ କହି ଯୁବତୀଙ୍କୁ ଭଡ଼ାଘରେ ଏକୁଟିଆ ଛାଡି ଚାଲିଯିବା ସହ ଫୋନ କରି ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲା । ଏହା ପରେ ଯୁବତୀ ଜଣଙ୍କ ବାସଣା ପୋଲିସ ଷ୍ଟେସନରେ ଏନେଇ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ କରିଥିଲେ । ତେବେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ପା ମାଲିକକୁ ଗିରଫ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ