ୱାଶିଂଟନ: ଗତକାଲି(ସୋମବାର) ଅଚାନକ ବନ୍ଦ ହୋଇଯାଇଥିଲା ବିଶ୍ଵର ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମ । ଏନେଇ ସମଗ୍ର ଦୁନିଆର ୟୁଜର୍ସଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଦୀର୍ଘ 6 ଘଣ୍ଟା ଅଚଳ ହେବା ପରେ ପୁଣିଥରେ ଏବେ କାମ କରିବା ଆରମ୍ଭ କରିଛି ଫେସବୁକ, ହ୍ବାଟ୍ସଆପ ଓ ଇନଷ୍ଟାଗ୍ରାମ, ମେସେଞ୍ଜର । ତେବେ ଏହି ସେବାରେ ବ୍ୟାଘାତ ପାଇଁ ଟେକ ଜିଆଣ୍ଟର ସିଇଓ ମାର୍କ ଜୁକରବର୍ଗ ମଙ୍ଗଳବାର ସକାଳୁ ଫେସବୁକରେ ଏକ ପୋଷ୍ଟ କରି ୟୁଜର୍ସମାନଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ, ‘ଏହି ବ୍ୟାଘାତ ପାଇଁ ମୁଁ ଦୁଃଖିତ - ମୁଁ ଜାଣେ ଲୋକଙ୍କ ସହିତ ଯୋଡ଼ି ରହିବା ପାଇଁ ଆପଣମାନେ ଆମର ସେବା ଉପରେ କେତେ ନିର୍ଭରଶୀଳ ’ ।
ସେହିପରି ମଙ୍ଗଳବାର ସକାଳେ ହ୍ବାଟ୍ସଆପ୍ ଟ୍ବିଟ କରି କହିଛି ଯେ, "ହ୍ବାଟ୍ସଆପ ଆପର ସେବା ବ୍ୟାଘାତ ପାଇଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛୁ । ଆମେ ଧୀରେ ଧୀରେ ହ୍ବାଟ୍ସଆପ ଆପରେ କାମ କରିବା ଆରମ୍ଭ କରିଛୁ। ଆପଣଙ୍କ ଧୈର୍ଯ୍ୟ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ଯଦି ଏନେଇ ଅଧିକ ସୂଚନା ମିଳେ, ତେବେ ଆମେ ଆପଣଙ୍କୁ ଜଣାଇବୁ’ ବୋଲି ହ୍ବାଟ୍ସଆପ କହିଛି । କମ୍ପାନୀ ସୋମବାର ଏକ ପୋଷ୍ଟରେ କହିଛି ଯେ, ଡାଉନଡିଟେକ୍ଟରରେ ଆମେ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଗ୍ରାହକ ଦେଖିଛୁ, ଯେଉଁଠି ପୃଥିବୀର ବିଭିନ୍ନ ସ୍ଥାନରୁ ଏନେଇ ମୋଟ 10.6 ମିଲିୟନରୁ ଅଧିକ ସମସ୍ୟା ରିପୋର୍ଟ ହୋଇଛି।
ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ ହେବା ପଛରେ କ’ଣ କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ହେଲେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା କି, ସର୍ଭର ଡାଉନ ହେବା ପଛରେ ସେମାନେ ଅବଗତ ଅଛନ୍ତି ଏବଂ ଏହାକୁ ଠିକ କରିବାକୁ ସେମାନେ କାମ ଆରମ୍ଭ କରି ଦେଇଛନ୍ତି ।
@ANI