ଲକ୍ଷ୍ନୌ: କୁହାଯାଏ ମାଆ ପୁଅର ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ । ମାଆ ନିଜ ପିଲାଙ୍କ ପାଇଁ ଯମ ସହ ଲଢିବାକୁ ମଧ୍ୟ ପଛାଏ ନାହିଁ । କିନ୍ତୁ ଜଣେ ଜନ୍ମକଲା ପୁଅ ସାମାନ୍ୟ ଜମି ପାଇଁ ନିଜ ମାଆକୁ ହତ୍ୟା କରି ଯମ ପାଖକୁ ପଠାଇ ଦେଇଛି । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ସୀତାପୁରରେ । ଯେଉଁଠି ଜଣେ ପୁଅ ନିଜ ମାଆର ଗଳା କାଟି ନିର୍ମମ ଭାବେ ହତ୍ୟା କରିବା ସହ ମାଆର କଟା ମୁଣ୍ଡକୁ ଧରି ଫେରାର ହୋଇଯାଇଥିଲା ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମିର୍ଜାପୁର ପୋଲିସ ଷ୍ଟେସନ ପରିସରରେ ରହୁଥିବା ହାର୍ଦ୍ଦିକଙ୍କ ପତ୍ନୀ କମଳା ଦେବୀ (65) ଶନିବାର ସକାଳେ ଛେଳି ଚରାଇବାକୁ ଯାଇଥିଲେ । ଏହି ସମୟରେ ଜମି ବିବାଦକୁ ନେଇ ପ୍ରଥମ ସ୍ୱାମୀଙ୍କ ପୁଅ ଦୀନେଶ ଗୋଟିଏ ଖଣ୍ଡାରେ ତାଙ୍କୁ ଗଳା କାଟି ହତ୍ୟା କରିଥିଲା । କେବଳ ଏତିକି ନୁହେଁ ସେ ନିଜ ମାଆର ମୁଣ୍ଡ ଗଣ୍ଡି ଅଲଗା କରି କଟା ମୁଣ୍ଡକୁ ଧରି ଦୌଡି ପଳାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅତିରିକ୍ତ ପୋଲିସ ଅଧିକ୍ଷକ ଦକ୍ଷିଣ ଏନପି ସିଂ, ଲାହରପୁର ସିଓ ଯାଦବେନ୍ଦ୍ର ଯାଦବ, ତଲାଗାଁ ଏସଏସଆଇ ସତୀଶ ଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ ।
ତଦନ୍ତ ପରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରିବାକୁ କୁହାଯାଇଥିଲା । ପୋଲିସର ବହୁ ଉଦ୍ୟମ ପରେ ଅଭିଯୁକ୍ତ ପୁଅକୁ କଟା ମୁଣ୍ଡ ସହିତ ଗାଁ ବାହାରେ ଥିବା ଏକ ବଗିଚାରୁ ଗିରଫ କରାଯାଇଥିଲା । ମୃତକଙ୍କ ଦ୍ୱିତୀୟ ପୁତ୍ର କମଲେଶଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ସିଓ ଯାଦବେନ୍ଦ୍ର ଯାଦବ କହିଛନ୍ତି । ମାତୃହନ୍ତା ପୁଅକୁ ଗିରଫ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ତୁଚ୍ଛ ହେଲା ମମତା, ମାଆକୁ ହତ୍ୟା କରି ଘରେ ପୋଡ଼ି ଦେଲା ପୁଅ
ତେବେ କମଳା ଦେବୀ ପ୍ରଥମେ ହାର୍ଦ୍ଦିକଙ୍କୁ ବିବାହ କରିଥିଲେ । ହାର୍ଦ୍ଦିକଙ୍କ ମୃତ୍ୟୁ ପରେ ଏହି ଜମି ଦୀନେଶ ଏବଂ କମଳା ଦେବୀଙ୍କ ନାଁରେ ହୋଇଥିଲା । ପରେ କମଳା ଦେବୀ ତାଙ୍କ ଦିଅର ଛତ୍ରପାଲଙ୍କୁ ବିବାହ କରିଥିଲେ । ଦୀନେଶ ତାଙ୍କ ପିତାଙ୍କ 6ଟି ବଡ ଜମି ଫେରସ୍ତ କରିବାକୁ କମଳାଙ୍କୁ ଅନେକ ଥର କହିଥିଲେ । କିନ୍ତୁ କମଳା ଦେବୀ ଜମି ଦେଇନଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ବିବାଦ ଲାଗି ରହୁଥିଲା । ଏହା ପୂର୍ବରୁ ଦୀନେଶ ତାଙ୍କ ମାଆଙ୍କ ସହ ଅନେକ ଥର ମାରପିଟ ମଧ୍ୟ କରିଥିଲେ । ଏସପି ଚକ୍ରେଶ ମିଶ୍ର କହିଛନ୍ତି, "ଦୀନେଶ ଓ ତାଙ୍କ ମାଆଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିଲା । ଏହି କାରଣରୁ ଦୀନେଶ ତାଙ୍କ ମାଆଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ । ଅଭିଯୁକ୍ତ ଦୀନେଶକୁ ଗିରଫ କରାଯାଇଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ