ବେଙ୍ଗାଲୁରୁ: କୋରୋନା ଚେନ ଭାଙ୍ଗିବାକୁ ଦେଶରେ ବଳବତ୍ତର ରହିଛି କଟକଣା । ବିଭିନ୍ନ ରାଜ୍ୟରେ ଲକଡାଉନ ଜାରି ରହିଛି । ଇତିମଧ୍ୟରେ କର୍ଣ୍ଣାଟକ ଦକ୍ଷିଣ କନ୍ନଡରୁ ସାମ୍ନାକୁ ଆସିଛି ସୁପ୍ରିମକୋର୍ଟର ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜଙ୍କ ଏକ ଦୃଶ୍ୟ, ଯେଉଁଥିରେ ସମ୍ପୃକ୍ତ ସଲିସିଟର ନିଜ ବିଲରେ ଚାଷ କରୁଥିବା ନଜର ଆସିଛନ୍ତି । ବର୍ତ୍ତମାନ ସମୟରେ କୃଷି ପ୍ରତି ବିମୁଖ ଯୁବପିଢି ସହର ମୁହାଁ ହେଉଥିବାବେଳେ ଅତିରିକ୍ତ ସଲିସିଟରଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କ ପାଇଁ ରୋଲ ମଡେଲ ସାଜିଛି ।
ସୂଚନାଯୋଗ୍ୟ, ଦକ୍ଷିଣ କନ୍ନଡ ଇଶ୍ବରମଙ୍ଗଳମ ଅଞ୍ଚଳର ବାସିନ୍ଦା ଅଟନ୍ତି ଅତିରିକ୍ତ ସଲିସିଟର ଜେନେରାଲ କେ ଏମ ନଟରାଜ । ସେ ଏକ କୃଷକ ପରିବାରର ହୋଇଥିବା ଯୋଗୁଁ ନଟରାଜଙ୍କର ଚାଷ ପ୍ରତି ଅହେତୁକ ପ୍ରେମ ରହିଛି । ତାଙ୍କ ପରିବାର ଦୀର୍ଘ ଦିନ ଧରି ଘରେ ଧାନ ଚାଷ କରିଆସୁଥିଲେ । ବର୍ତ୍ତମାନ ଲକଡାଉନ ଯୋଗୁଁ କେ ଏମ ନଟରାଜ ନିଜ ଗାଁରେ ରହୁଛନ୍ତି ଏବଂ ଏଣୁ ଚାଷ କାର୍ଯ୍ୟରେ ନିଜକୁ ସମ୍ପୃକ୍ତ କରିଛନ୍ତି ।
ସେ ନିଜେ ଟ୍ରାକ୍ଟର ଓ ପାୱାରଟେଲର ଯୋଗେ ବିଲରେ ହଳ କରୁଛନ୍ତି ଏବଂ ବିହନ ବୁଣୁଛନ୍ତି । ସେ ଚାଷ କରୁଥିବା ସମୟରେ ଏକ ଭିଡିଓ ତାଙ୍କ ପରିବାର ସଦସ୍ୟ ରେକର୍ଡ କରିଥିଲେ ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏ ସମ୍ପର୍କରେ ଅତିରିକ୍ତ ସଲିସିଟର ନଟରାଜ କହିଛନ୍ତି, 'ଚାଷ ମୋ ରକ୍ତରେ ରହିଛି । ବର୍ତ୍ତମାନର ଯୁବପିଢି କୃଷିକୁ ଗ୍ରହଣ କରିବା ଉଚିତ୍ ।' ନଟରାଜ ଏତେ ବଡ ଉଚ୍ଚପଦସ୍ତ ହୋଇ ମଧ୍ୟ ସାଧାରଣ ଲୋକଙ୍କ ପରି ବିଲରେ ଚାଷ କରିବା ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ